ପ୍ରଶ୍ନପତ୍ର ଲିକରେ ମାତିଛନ୍ତି ଦଲାଲ ଗୋଷ୍ଠି, କେମିତି ଜାଣନ୍ତୁ

ଭୁବନେଶ୍ବର () ପ୍ରଶ୍ନପତ୍ର ଲିକ ଏବେ ଏକ ଲାଭଜନକ ବ୍ୟବସାୟରେ ପରିଣତ ହୋଇଛି । କେବଳ ମାଟ୍ରିକ ପ୍ରଶ୍ନପତ୍ର ନୁହେଁ, ବିଭିନ୍ନ ରାଜ୍ୟ ସରକାରଙ୍କ ଦ୍ବାରା ପରିଚାଳିତ ଓଏମଆର ପରୀକ୍ଷା ପ୍ରଶ୍ନପତ୍ର ବି ଲିକ ହେଉଛି ଆଉ ଚଢା ଦରରେ ବିକ୍ରି ହେଉଛି । ମୋଟାମୋଟି ଭାବେ ଦେଖିବାକୁ ଗଲେ ଏଥିରେ ଏକ ବିରାଟ ଗ୍ୟାଙ୍ଗ କାମ କରୁଛି ଆଉ କିଛି ଦଲାଲଙ୍କ ପାଇଁ ଏହା ଏକ ଲାଭଜନକ ବ୍ୟବସାୟ ହୋଇଛି ।

କିଛି ମାସ ତଳେ ଓଡିଶା ଟିଚର୍ସ ଏଲିଜିବିଲିଟି ଟେଷ୍ଟ ଓ ଓଡିଶା ସେକେଣ୍ଡାରୀ ସ୍କୁଲ ଟିଚର୍ସ ଏଲିଜିବିଲିଟି ଟେଷ୍ଟ ଅନୁଷ୍ଠିତ ହୋଇଥିଲା । ସମାନ ଢଙ୍ଗରେ ଏହିସବୁ ପରୀକ୍ଷାର ପ୍ରଶ୍ନପତ୍ର ଯଦିଓ ଲିକ ହୋଇନଥିଲା, କିନ୍ତୁ ପରୀକ୍ଷା ସମୟରେ ଏକ ବିରାଟ ଗ୍ରୁପ ବିଭିନ୍ନ ଜିଲ୍ଲାରେ ସକ୍ରିୟ ହୋଇଥିଲେ । ଏହି ଗ୍ରୁପ ଏକ ଚେନ ସୂତ୍ରରେ କାର୍ଯ୍ୟ କରୁଥିଲେ । ଏହି ପରୀକ୍ଷା ଯେହେତୁ ଅଫଲାଇନରେ ହେଉଥିଲା, କିଛି ପରୀକ୍ଷାର୍ଥୀଙ୍କ କହିବା ଅନୁଯାୟୀ ଏହି ଚେନ ପରୀକ୍ଷାରେ ସାଧାରଣ ବର୍ଗର ପରୀକ୍ଷାର୍ଥୀଙ୍କୁ ସର୍ବନିମ୍ନ 80 ମାର୍କ ଏବଂ ସଂରକ୍ଷିତ ଛାତ୍ରଛାତ୍ରୀଙ୍କୁ ସର୍ବନିମ୍ନ 70 ମାର୍କ ରଖିଲା ଭଲି ପ୍ରଶ୍ନପତ୍ର ଆଗୁଆ ପ୍ରଦାନ କରାଯାଉଛି । ଏପରିକି ପ୍ରଶ୍ନପତ୍ର ସହ ଉତ୍ତର ମଧ୍ୟ ଜଣାଇ ଦିଆଯାଉଥିବା ଜଣାପଡିଛି ।

ଏଥିପାଇଁ ଜଣେ ଜଣେ ପରୀକ୍ଷାର୍ଥୀଙ୍କ ଠାରୁ ଏହି ର୍ୟାକେଟ 90ରୁ 1 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦାବି କରନ୍ତି । ଯେଉଁମାନେ ଏହି ଅର୍ଥ ପ୍ରଦାନ କରନ୍ତି, ସେମାନଙ୍କୁ ନିଶ୍ଚିତ ପରୀକ୍ଷା ପାସ ହେବାର ଗ୍ୟାରେଣ୍ଟି ଦିଆଯାଏ । ଏଥିସହିତ ଗଂଜାମ, ଜୟପୁର, କଳାହାଣ୍ଡି, ବୌଦ୍ଧ ଭଳି କିଛି ଜିଲ୍ଲାରେ ପରୀକ୍ଷାର୍ଥୀ ପରୀକ୍ଷା ହଲରେ ନବସି ମଧ୍ୟ ପରୀକ୍ଷା ଓଡିଶା ସେକେଣ୍ଡାରୀ ସ୍କୁଲ ଟିଚର୍ସ ଏଲିଜିବିଲିଟି ଟେଷ୍ଟ ପାସ କରିଥିବାର ନଜିର ଦେଖିବାକୁ ମିଳିଛି ।

ସବୁଠୁ ସମ୍ବେଦନଶୀଳ ପ୍ରସଙ୍ଗ ହେଉଛି, ଏହି ର୍ୟାକେଟ ପରୀକ୍ଷାର୍ଥୀଙ୍କ ପାଖରେ ପହଁଚୁଛନ୍ତି ଏବଂ ପରୀକ୍ଷାର୍ଥୀ ମଧ୍ୟ ସେମାନଙ୍କ କାରବାର ଠାବ କରି ସେମାନଙ୍କ ପାଖରେ ପହଁଚୁଛନ୍ତି । କିନ୍ତୁ ଏହି ବିରାଟ ଚେନ ସଦୃଶ୍ୟ ର୍ୟାକେଟ ବିଷୟରେ କିନ୍ତୁ ପୋଲିସ ଟେର ପାଉନି, କାର୍ଯ୍ୟାନୁଷ୍ଟାନ ତ ଦୂରର କଥା । ଏହି କାରବାର ବର୍ଷ ବର୍ଷ ଧରି ଚାଲିଛି । ଚେନରେ କାମ କରୁଥିବା ଦଲାଲ ପରୀକ୍ଷା ସିଜନରେ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି ।

ତେବେ କିଛି ଚର୍ଚ୍ଚା କରୁଛନ୍ତି ଯେ, ଆଗକୁ ନିର୍ବାଚନ ଥିବାରୁ ଏହା ସରକାରଙ୍କୁ ବଦନାମ କରିବାକୁ ବିରୋଧୀଙ୍କ ଆଉ ଏକ ଚାଲ । ତଦନ୍ତ ହେଲେ କିନ୍ତୁ ଏକ ବଡ ର୍ୟାକେଟର ପର୍ଦ୍ଦାଫାଶ ହୁଅନ୍ତା ।

Share

Leave a Reply

Your email address will not be published. Required fields are marked *

six + ten =