ଅପାରଗ ପୋଲିସ: ପରୀକ୍ଷା କେନ୍ଦ୍ର ଜଗି ପାରୁନି, ବୁଥ କଣ ଜଗିବେ

ଭୁବନେଶ୍ବର () ପୁଣି ମାଟ୍ରିକ ପ୍ରଶ୍ନପତ୍ର ଲିକ ହୋଇ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଆଜି ଇଂରାଜୀ ପ୍ରଶ୍ନପତ୍ର ଭାଇରାଲ ହୋଇଛି। ପ୍ରଥମ ଦିନ ଓଡିଆ ପ୍ରଶ୍ନପତ୍ର ପରେ ଆଜି ଇରାଂଜୀ ପରୀକ୍ଷାର ପ୍ରଶ୍ନପତ୍ର ଭାଇରାଲ ହେବା ଓଡିଶା ପୋଲିସର ପାରିବା ପଣିଆ ଉପରେ ପ୍ରଶ୍ନ ଉଠାଇଛି । ପରୀକ୍ଷା ଆରମ୍ଭ ହେବାର 15-20 ମିନିଟ ମଧ୍ୟରେ ମୋବାଇଲରୁ ମୋବାଇଲକୁ ଘୁରିବୁଲୁଛି ପ୍ରଶ୍ନପତ୍ର । ବଲାଙ୍ଗିର, କଳାହାଣ୍ଡି ସବୁଠି ଇଂରାଜୀ ପ୍ରଶ୍ନପତ୍ର ଭାଇରାଲ ହୋଇଛି । ପ୍ରଶ୍ନପତ୍ର କେବଳ ସୋସିଆଲ ମିଡିଆରେ ଭାଇରାଲ ହୋଇନି ବରଂ ଉତ୍ତର ସହ କିଛି ପରୀକ୍ଷା କେନ୍ଦ୍ର ବାହାରେ ବଣ୍ଟା ହୋଇଥିବାର ଖବର ମଧ୍ୟ ମିଳିଛି ।

ଓଡିଶା ପ୍ରଶ୍ନପତ୍ର କନ୍ଧମାଳ, ନୟାଗଡ, ଢେଙ୍କାନାଳ ଓ ନୂଆପଡାରେ ପ୍ରଶ୍ନପତ୍ର ଭାଇରାଲ ହୋଇଥିଲା । ପ୍ରଥମେ ଏହି ଘଟଣାକୁ ମନ୍ତ୍ରୀ ଓ ବୋର୍ଡ କର୍ତୃପକ୍ଷ ଅସ୍ବୀକାର କରିବା ସହ ଗୁଜବ ବୋଲି କହିଥିଲେ । କିନ୍ତୁ ପରବର୍ତୀ ସମୟରେ ଏହାକୁ ଗୁରୁତର ସହ ନେଇ ୮ ଜଣଙ୍କୁ ନିଲମ୍ବିନ କରିଛି ବୋର୍ଡ । ୪ ଜଣ ସୁପରିଟେଂଡେଂଟ ଓ ୪ ଜଣ ପରୀକ୍ଷା ନିୟନ୍ତ୍ରକଙ୍କୁ ନିଲମ୍ବିତ କରିଥିଲେ ବୋର୍ଡ ଅଧ୍ୟକ୍ଷ ଜାହାନା ଆରା ବେଗମ । ତେବେ ଆଜି ଲିକ ହୋଇଥିବା ଇଂରାଜୀ ପ୍ରଶ୍ନପତ୍ର ମୂଳ ପ୍ରଶ୍ନପତ୍ର ସହ ମେଳ ଖାଉନି ବୋଲି ଆଜି ବୋର୍ଡ ଅଧ୍ୟକ୍ଷ ସ୍ପଷ୍ଟିକରଣ ଦେଇଛନ୍ତି । ପରୀକ୍ଷାର୍ଥୀଙ୍କ ମଧ୍ୟରେ ଉତ୍କଣ୍ଠା ସୃଷ୍ଟି କରିବାକୁ କେହି ଏଭଳି ଜାଲ ପ୍ରଶ୍ନପତ୍ର ଭାଇରାଲ କରାଉଥିବା ସେ କହିଛନ୍ତି ।

ତେବେ ପ୍ରଶ୍ନ ଉଠୁଛି ପୋଲିସ କରୁଛି କଣ । ପରୀକ୍ଷା ଆରମ୍ଭ ହେବାର ଦୁଇ ଦିନ ପୂର୍ବରୁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା । ସେଠାରେ ପୋଲିସ ଡିଜି ଓ ଗୃହ ସଚିବ ମଧ୍ୟ ଥିଲେ । ସେ ସମୟରେ ପୋଲିସ ଡିଜି ପ୍ରଶ୍ନପତ୍ର ଲିକ କରୁଥିବା କିମ୍ବା ସଂପୃକ୍ତ ଥିବା ବ୍ୟକ୍ତିଙ୍କ ବିରୋଧରେ ଜାମିନ ବିହିନ ମାମଲା ରୁଜୁ କରିବା ସହ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରତିଶୃତି ଦେଇଥିଲେ । ପ୍ରଶ୍ନପତ୍ର ଲିକ ପରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ସତ, ହେଲେ ପ୍ରଶ୍ନପତ୍ର ଲିକକୁ ରୋକି ପାରୁନି ।

ଏବେ ପ୍ରଶ୍ନ ଉଠୁଛି, ସାମାନ୍ୟ ପ୍ରଶ୍ନପତ୍ର ଲିକକୁ ଓଡିଶା ପୋଲିସ ରୋକିପାରୁନି, ନିର୍ବାଚନ ସମୟରେ ବୁଥକୁ କେମିତି ଜଗିବ । ବର୍ତ୍ତମାନର ପୋଲିସ ପ୍ରଶାସନ ଉପରେ ଭରସା କରି ସରକାର 2019 ନିର୍ବାଚନକୁ ସମ୍ମୁଖୀନ ହେବାକୁ ଯାଉଥିବା ବେଳେ ପ୍ରଶ୍ନପତ୍ର ଲିକ କିମ୍ବା ଏଥିରେ ସଂପୃକ୍ତ ଗ୍ୟାଙ୍ଗ ଉପରେ ଅଙ୍କୁଶ ଲଗାଇପାରୁନଥିବା ପୋଲିସ, ବୁଥ ରିଗିଙ୍ଗ କିମ୍ବା ବେଆଇନ ଅର୍ଥ ଓ ମଦ କାରବାରକୁ କେମିତି ରୋକିବ । ବର୍ତ୍ତମାନ ଯେଉଁ ଢଙ୍ଗରେ ପୋଲିସ କାର୍ଯ୍ୟକରୁଛି ଏବଂ ଅପରାଧୀମାନେ ଭୟଶୂନ୍ୟ ହୋଇଯାଇଛନ୍ତି, ନିର୍ବାଚନ ସମୟରେ ପୋଲିସ ସେମାନଙ୍କ କାର୍ଯ୍ୟକଳାପର ସୁରାକ ମଧ୍ୟ ପାଇବା ନେଇ ସନ୍ଦେହ ରହୁଛି ।

Share

Leave a Reply

Your email address will not be published. Required fields are marked *

nineteen − 9 =