ଗୋଦରୀଲୋ ନିଜ ଗୋଡ଼କୁ ଅନା …

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ବିଜେଡିର ଜବାବ

ଭୁବନେଶ୍ୱର () ପିପିଲି ଘଟଣାର ସିବିଆଇ ତଦନ୍ତ ଦାବି କରିଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନକୁ ବିଜେଡି କଡା ଜବାବ ଦେଇଛି । ଏହି ଘଟଣାର ସିବିଆଇ ତଦନ୍ତ ଦାବି କରିବ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ନିଜ ନୈତିକତାକୁ ଦେଖିବାର ଆବଶ୍ୟକତା ରହିଛି । ନିଜେ କେନ୍ଦ୍ରମନ୍ତ୍ରୀଙ୍କ ମାଫିଆ ସମ୍ପର୍କ ଓ ବିଜେପି ନେତାଙ୍କ ଅପରାଧିକ ସମ୍ପୃକ୍ତି ରାଜ୍ୟବାସୀଙ୍କୁ ଜଣା ବୋଲି ବିଜେଡି ସାଂସଦ ତଥା ମୁଖପାତ୍ର ପ୍ରତାପ ଦେବ ଏକ ପ୍ରେସ ବିଜ୍ଞପ୍ତିରେ କହିଛନ୍ତି ।

ଗ୍ୟାଙ୍ଗଷ୍ଟର ଧଳସମନ୍ତଙ୍କୁ ବାଇମୁଣ୍ଡି ଆଖ୍ୟା ଦେଇ ଅପରାଧୀଙ୍କୁ ଧର୍ମେନ୍ଦ୍ର ମୁଣ୍ଡରେ ବସାନ୍ତି । ବିଜେପୁର ଉପନିର୍ବାଚନ ସମୟରେ ଧର୍ମେନ୍ଦ୍ର ପରିସ୍ଥିତି ଭୟାବହ ହେବ ବୋଲି ଧମକ ଦେବା ପରେ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ଭାଇଙ୍କ ଉପରେ ମରଣାନ୍ତକ ଆକ୍ରମଣ ହେଲା ଯେଉଁଥିରେ ଜଣେ ବିଜେଡି କର୍ମୀଙ୍କ ମୃତ୍ୟୁ ହେଲା । ଛତ୍ରପୁର ବିଜେଡି କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନଙ୍କ ହତ୍ୟା ଘଟଣାରେ ବିଜେପି ନେତାଙ୍କ ସମ୍ପୃକ୍ତି ସମସ୍ତଙ୍କୁ ଜଣା । ଗ୍ୟାଙ୍ଗଷ୍ଟର ଟିଟୋକୁ ଆଇଓସିଏଲ ପେଟ୍ରୋଲ ପମ୍ପ ଦାନ କରି ଧର୍ମେନ୍ଦ୍ର ନିଜର ଅପରାଧିକ ସମ୍ପୃକ୍ତି ପ୍ରମାଣିତ କରିଛନ୍ତି ବୋଲି ବିଜେଡି ସାଂସଦ ଅଭିଯୋଗ କରିଛନ୍ତି ।

ଏବେ ସିବିଆଇର ସ୍ଥିତି ରସାତଲକୁ ଗଲାଣି ଓ ଏହି ତଦନ୍ତକାରୀ ସଂସ୍ଥାକୁ ସମସ୍ତେ ଛି ଛି କରୁଛନ୍ତି । ଟିକିରି ଇତିଶ୍ରୀ ହତ୍ୟା ମାମଲାରେ ରାଜ୍ୟ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ସେମାନେ ଦୋଷୀ ସାବ୍ୟସ୍ତ ହୋଇଥିଲେ । କିନ୍ତୁ ବିରୋଧୀ ସିବିଆଇ ତଦନ୍ତ ଦାବି କରିଥିଲେ। ସିବିଆଇ ମଧ୍ୟ ଏହି ମାମଲାର ତଦନ୍ତ କରିଥିଲା । କିନ୍ତୁ ଏହି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା କୌଣସି ତଥ୍ୟପ୍ରମାଣ ଯୋଗାଡ଼ କରିନପାରି କ୍ଲୋଜର ରିପୋର୍ଟ ଦାଖଲ କରି ତଦନ୍ତ ବନ୍ଦ କରିଦେଲା । ସେ ସମୟରେ କେନ୍ଦ୍ରମନ୍ତ୍ରୀ କେଉଁଠିଥିଲେ ବୋଲି ସେ ପ୍ରଶ୍ନ କରିଛନ୍ତି ।

ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ପୂର୍ବରୁ ଗୋଦାରୀଲୋ ନିଜ ଗୋଡ଼କୁ ଅନା ନ୍ୟାୟରେ ଧର୍ମେନ୍ଦ୍ର ନିଜ ଦଳର ଚାଲିଚଳନ ଉପରେ ଦୃଷ୍ଟି ଦେବା ଆବଶ୍ୟକ ବୋଲି ସେ କହିଛନ୍ତି । 2014ରେ ବିଜେପିର କେନ୍ଦ୍ର ନେତା ନିହାଲ ଚାନ୍ଦ ମେଘୱାଲଙ୍କ ଉପରେ ଜଣେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ ଆସିଥିଲା । ସେସମୟରେ ନା ସେ ଇସ୍ତଫା ଦେଇଥିଲେ ନା ବିଜେପିର କେନ୍ଦ୍ର ସରକାର ଇସ୍ତଫା ଦାବି କରିଥିଲେ । ମହିଳାଙ୍କ ସୁରକ୍ଷା ନେଇ ବିଜେପିର ଦୋମୁହାଁ ନୀତି ରହିଛି । କେନ୍ଦ୍ରମନ୍ତ୍ରୀ ଏହିସବୁ ପ୍ରସଂଗରୁ ମୁହଁ ନଫେରାଇ ସ୍ପଷ୍ଟୀକରଣ ଦେବା ଉଚିତ ବୋଳି ପ୍ରତାପ ଦେବ ଦାବି କରିଛନ୍ତି ।

ଆଜି ଅପରାହ୍ନରେ ଧର୍ମେନ୍ଦ୍ର ପ୍ରଧାନ ବେବିନାର ବାପା, ମା ଓ ପରିବାରକୁ ଭେଟିଥିଲେ । ସେଠାରୁ ଫେରି ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ ସିବିଆଇ ତଦନ୍ତ ଦାବି କରିଥିଲେ । ସେ ଅଭିଯୋଗ କରିଥିଲେ ଯେ, ବେବିନା ପରିବାର ପୋଲିସ ଉପରୁ ଆସ୍ଥା ହରାଇଛି । କ୍ରାଇମବ୍ରାଞ୍ଚ ସରକାରୀ ଦଳର ନେତାଙ୍କୁ ଘଣ୍ଟ ଘୋଡାଉଥିବାରୁ ଏହାର ତଦନ୍ତଭାର ସିବିଆଇକୁ ଦେବାକୁ ସେ ଦାବି କରିଥିଲେ ।

Share

Leave a Reply

Your email address will not be published. Required fields are marked *

11 − one =