କାଲି 6 ମନ୍ତ୍ରୀ, 2 ସାଂସଦଙ୍କ ଭାଗ୍ୟ ପରୀକ୍ଷା

ଭୁବନେଶ୍ବର () ତୃତୀୟ ପର୍ଯ୍ୟାୟ ପାଇଁ ଗତକାଲି ସନ୍ଧ୍ୟାରୁ ସରିଛି ପ୍ରଚାର । ଆସନ୍ତାକାଲି ସକାଳ 7ଟାରୁ ଆରମ୍ଭ ହେବ ଭୋଟ ଗ୍ରହଣ । ତୃତୀୟ ପର୍ଯ୍ୟାୟରେ 6ଟି ଲୋକସଭା ଓ 42ଟି ବିଧାନସଭା ଆସନ ପାଇଁ ମତଦାନ ହେବ । ତୃତୀୟ ଦଫାରେ ହେଭିୱେଟଙ୍କ ଲଢେଇ ଭିତରେ 6ଜଣ ମନ୍ତ୍ରୀ ଓ 2ଜଣ ସାଂସଦଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର ।

6ଟି ଲୋକସଭା ଆସନ – କଟକ, ଭୁବନେଶ୍ବର, ପୁରୀ, କେନ୍ଦୁଝର, ସମ୍ବଲପୁର ଓ ଢେଙ୍କାନାଳ ଆସନ ପାଇଁ 61 ଜଣ ପ୍ରାର୍ଥୀ ମୈଦାନକୁ ଓହ୍ଲାଇଥିବା ବେଳେ 42ଟି ବିଧାନସଭା କ୍ଷେତ୍ରରୁ 356 ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି । 10ହଜାର 464ଟି ବୁଥରେ 92 ଲକ୍ଷ 56ହଜାର 922ଜଣ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ । ଏହି ନିର୍ବାଚନରେ ଯଦିଓ ସବୁ ପ୍ରାର୍ଥୀ ଗୁରୁତ୍ବପୂର୍ଣ୍ଣ, ନଜର କିନ୍ତୁ 6ଜଣ ମନ୍ତ୍ରୀ ଓ 2ଜଣ ସାଂସଦଙ୍କ ଉପରେ । ସେମାନେ ହେଲେ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର, ପ୍ରଫୁଲ୍ଲ ମଲ୍ଲିକ, ଡକ୍ତର ନୃସିଂହ ସାହୁ, ଚନ୍ଦ୍ରସାରଥୀ ବେହେରା, ଅଶୋକ ପଣ୍ଡା ଓ ମହେଶ୍ବର ମହାନ୍ତି । ସେହିଭଳି ସାଂସଦମାନେ ହେଲେ ଭର୍ତ୍ତୃହରି ମହତାବ ଓ ପିନାକି ମିଶ୍ର ।

କଟକ ଲୋକସଭାରେ ଭର୍ତ୍ତୃହରି ମହତାବ ବିଜେପି ପ୍ରାର୍ଥୀ ତଥା ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ରଙ୍କ ବିରୋଧରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ବେଳେ ପୁରୀରେ ପିନାକି ମିଶ୍ର ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ବିପକ୍ଷରେ ଲଢୁଛନ୍ତି । ବଦ୍ରି ପାତ୍ରଙ୍କ ବିରୋଧରେ ଘସିପୁରାରେ ପ୍ରାର୍ଥୀ ହୋଇଛନ୍ତି ପିସିସି ସଭାପତି ନିରଂଜନ ପଟ୍ଟନାୟକ । ସେହିଭଳି ଭୁବନେଶ୍ବରରେ ଲୋକସଭା ଆସନରେ ଆଇଏଏସ ଓ ଆଇପିଏସ ଲଢେଇ ରୋଚକ ହୋଇଛି । ଏଠି ବିଜେଡି ପ୍ରାର୍ଥୀ ତଥା ଅବସରପ୍ରାପ୍ତ ଆଇପିଏସ ଅଫିସର ଅରୁପ ପଟ୍ଟନାୟକଙ୍କୁ ଟକ୍କର ଦେଉଛନ୍ତି ବିଜେପି ପ୍ରାର୍ଥୀ ତଥା ପୂର୍ବତନ ଆଇଏଏସ ଅଧିକାରୀ ଅପରାଜିତ ଷଢଙ୍ଗୀ ।

ଆସନ୍ତାକାଲି ଭୋଟ ଗ୍ରହଣ ହେବାକୁ ଥିବା 6ଟି ଲୋକସଭା ଏବଂ 42ଟି ବିଧାନସଭା ଆସନ ମଧ୍ୟରୁ 2014ରେ ବିଜେଡି 6ଟି ଯାକ ଲୋକସଭା ଏବଂ 38ଟି ବିଧାନସଭା ଆସନରୁ ଜିତିଥିଲା । ଏହିସବୁ ଆସନରୁ କଂଗ୍ରେସ ଗୋଟିଏ ହେଲେ ସିଟରୁ ଜିତିନଥିଲା ବେଳେ ବିଜେପି କୁଚିଣ୍ଡା, ଦେବଗଡ ଓ ଚିଲିକା ଏହି ତିନୋଟି ଆସନରୁ ଜିତିଥିଲା । ଚମ୍ପୁଆରୁ ସ୍ବାଧୀନ ପ୍ରାର୍ଥୀ ବିଜୟୀ ହୋଇଥିଲେ । ଗତଥର ଭଳି ଏଥର ମଧ୍ୟ ବିଜେଡି ଏହି ପର୍ଯ୍ୟାୟରେ ସ୍ବିପ କରିବ ବୋଲି ବିଜେଡି ନେତାମାନେ ଦାବି କରୁଛନ୍ତି ।

Share

Leave a Reply

Your email address will not be published. Required fields are marked *

19 − 7 =