ପାହିଗଲା ରାତି, ହାରିଗଲେ ମହାରଥୀ

ଭୁବନେଶ୍ୱର () ପାହିନାହିଁ ରାତି, ହାରିନାହିଁ ମହାରଥୀ … ଓଡିଶା ରାଜନୀତିର ବହୁ ଚର୍ଚ୍ଚିତ ଏବଂ ବିବାଦୀୟ ନେତା ପ୍ରଦୀପ ମହାରଥୀଙ୍କ ଏ ଡାଇଲଗ ଏକ ସମୟରେ ସବୁ ଗଣମାଧ୍ୟମ ପୃଷ୍ଠା ମଣ୍ଡନ କରିଥିଲା । ହେଲେ ଆଜି ସେହି ମହାରଥୀ ବିରୋଧୀଙ୍କ ଘନଘନ ରାଜନୈତିକ ଆକ୍ରମଣ ଆଗରେ ହାରମାନିଲେ ।

ଗତ ଦୁଇ ସପ୍ତାହ ଧରି ଚାଲିଥିବା ଆନ୍ଦୋଳନ ଓ ରାଜନୈତିକ ଆକ୍ଷେପର ଚାପ ଆଗରେ ମୁଣ୍ଡ ନୂଆଇଁଛନ୍ତି । ଏହି ଘଟଣାରେ କିମ୍ବା କୋର୍ଟ ରାୟ ପରେ ମହାରଥୀଙ୍କ ବିବାଦୀୟ ବିବୃତିରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ କୌଣସି ସମ୍ପୃକ୍ତି ନଥିଲେ ମଧ୍ୟ ବିରୋଧୀ ତାଙ୍କୁ ଟାର୍ଗେଟ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛତା ଉପରେ ପ୍ରଶ୍ନ ଉଠାଇଥିଲେ ।

ତାଙ୍କ ଯୋଗୁ ସୃଷ୍ଟି ହୋଇଥିବା ବିବାଦର ନୈତିକ ଦାଇତ୍ୱ ନିଜ ମୁଣ୍ଡକୁ ନେଇ ସେ ଇସ୍ତଫା ଦେଇଛନ୍ତି । ତେବେ ତାଙ୍କ ଉପରେ କୌଣସି ଚାପ ନଥିଲା ବୋଲି ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି । 2011 ଶେଷ ଭାଗରେ ପିପିଲିରେ ଘଟିଥିବା ଏହି ଘଟଣା ମହାରଥୀଙ୍କ ରାଜନୈତିକ ଜୀବନରେ ଏକ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଛି । ଏହି ସମାନ ଘଟଣାରେ 2012ରେ ମଧ୍ୟ ତାଙ୍କ ମନ୍ତ୍ରୀପଦ ଯାଇଥିଲା । ସେ ସମୟରେ ମଧ୍ୟ ସେ ନୈତିକ ଦାଇତ୍ୱ ନେଇ ମନ୍ତ୍ରୀପଦ ଛାଡିଥିଲେ ।

ବିଜେଡିର ଏହି ବହୁବଳୀ ବିଧାୟକ ପିପିଲିରୁ 6 ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । 1985ରେ ସେ ପ୍ରଥମ ଥର ଜନତା ଦଳରୁ ବିଧ୍ୟାୟକ ଭାବେ ନିର୍ବାଚିତ ହୋଇଥିଲେ । 1985 ଓ 1990ରେ ସେ ଦୁଇଥର ଜନତା ଦଳରୁ ବିଧାୟକ ହୋଇଥିଲେ । 1995ରେ ସେ କଂଗ୍ରେସ ପ୍ରାର୍ଥୀ ଯୁଧିଷ୍ଟିର ସାମନ୍ତରାୟଙ୍କ ଠାରୁ ହରିଥିଲେ । 2000 ମସିହାରୁ ସେ ଆଉ ହାରିନାହାନ୍ତି । 2000ରୁ କ୍ରମାଗତ ଭାବେ ବିଜେଡି ଟିକେଟରୁ ଜିତୁଛନ୍ତି । 2000ରୁ 2004 ପର୍ଯ୍ୟନ୍ତ ସେ ସରକାରୀ ଦଳ ମୁଖ୍ୟ ସଚେତକ ଥିଲେ । 2009, 2011 ଓ 2014ରେ ତିନି ଥର ମନ୍ତ୍ରୀ ହୋଇଛନ୍ତି ।

Share

Leave a Reply

Your email address will not be published. Required fields are marked *

13 + eighteen =