ମିଶନ ଶକ୍ତି : ଏକ ନୀରବ ବିପ୍ଳବ

ଭୁବନେଶ୍ୱର () ମହିଳା ମାନଙ୍କୁ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ସଂଗଠିତ କି ସଶକ୍ତିକରଣ କରିବା ପାଇଁ 2001 ମାର୍ଚ୍ଚ 8 ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଦ୍ଵାରା ମିଶନ ଶକ୍ତି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । ମୁଖ୍ୟମନ୍ତ୍ରୀଙ୍କ ମାନସ ସନ୍ତାନ ମିଶନ ଶକ୍ତି ମହିଳାମାନଙ୍କର ନିଜର ପରିବାରରେ ଓ ସମାଜରେ ସ୍ୱନ୍ତର ସ୍ଥାନ ସୃଷ୍ଟି କରିବା ସହ ଏବେ ଏକ ନୀରବ ବିପ୍ଳବର ରୂପ ନେଇଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 6 ଲକ୍ଷ ଗୋଷ୍ଠୀ ମାଧ୍ୟମରେ 70 ଲକ୍ଷ ମହିଳା ମିଶନ ଶକ୍ତିରେ ସାମିଲ ହୋଇଛନ୍ତି ।

ମିଶନ ଶକ୍ତି ମହିଳା ସଶକ୍ତିକରଣ ଦିଗରେ ଏବେ ଏକ ସଫଳ କାହାଣୀ ହୋଇଛି । ସ୍ୱୟଂ ସହାୟକ ଗୋଷ୍ଠୀ ବିଭିନ୍ନ ରୋଜଗାର ଭିତ୍ତିକ ଓ ଅର୍ଥନୈତିକ କାର୍ଯ୍ୟକ୍ରମ ଯଥା ଏଲିଡି ବଲବ, ବିଜୁ ଗାଁ ଗାଡି, ସମନ୍ବିତ ଶିଶୁ ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ପୃଷ୍ଟିକର ଖାଦ୍ୟ ପ୍ରସ୍ତୁତି, ନିର୍ମାଣ କାର୍ଯ୍ୟ, ଇଲେକ୍ଟ୍ରି ବିଲ ଆଦାୟ ଏବଂ ସାନିଟାରୀ ପ୍ୟାଡ଼ ପ୍ରସ୍ତୁତି ଆଦି କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ଅଂଶଗ୍ରହଣ କରୁଛନ୍ତି ।

ସାମର୍ଥ୍ୟ ଅନୁଯାୟୀ ସ୍ୱଳ୍ପ ସଞ୍ଚୟ ଏବଂ ମୁଠି ଚାଉଳ ମାଧ୍ୟମରେ ସଞ୍ଚୟ ଆରମ୍ଭ କରି ଗୋଷ୍ଠୀର ପାଣ୍ଠି ସୃଷ୍ଟି କରିଥିବା ଏହି ସ୍ୱୟଂ ସହାୟକ ଗୋଷ୍ଠୀ ବର୍ତ୍ତମାନ ସେମାନଙ୍କ ନିଜର ବ୍ୟବସାୟ ଆରମ୍ଭ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିବାରେ ସମର୍ଥ ହୋଇପାରିଛନ୍ତି । ବାର୍ଷିକ 2000 କୋଟି ଆର୍ଥିକ ଋଣ କାରବାର ସହିତ ଗୋଷ୍ଠୀମାନଙ୍କର ସଞ୍ଚୟ ରାଶି 5000 କୋଟି ଟଙ୍କା ହୋଇପାରିଛି । ଏହାକୁ ଦୃଷ୍ଟିରେ ରଖି ପୂର୍ବରୁ ରାଜ୍ୟ ସରକାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ନିମନ୍ତେ 1 ପ୍ରତିଶତ ବାର୍ଷିକ ସୁଧ ହାରରେ ବ୍ୟାଙ୍କ ଋଣ ଘୋଷଣା କରିଥିଲେ । ଏହାକୁ ମିଶନ ଶକ୍ତି ଋଣ ନାମରେ ନାମିତ କରାଯାଇଛି । ସବୁ ସ୍ୱୟଂ ସହାୟକ ଗୋଷ୍ଠୀ ବାର୍ଷିକ 3 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଏକ ପ୍ରତିଶତ ସୁଧରେ ଋଣ ପାଉଛନ୍ତି । ଏବେ ରାଜ୍ୟ ସରକାର ଏହି ଋଣକୁ ସୁଧ ମୁକ୍ତ କରିଛନ୍ତି ।

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ସମସ୍ତ 6800 ଗ୍ରାମ ପଂଚାୟତରେ ମିଶନ ଶକ୍ତି ଗୃହ ନିର୍ମାଣ କରାଯିବ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏହି ଗୃହ ସ୍ୱୟଂ ସହାୟକ ଗୋଷ୍ଠୀର ମାସିକ ବୈଠକ ଏବଂ ରୋଜଗାର ଭିତ୍ତିକ କାର୍ଯ୍ୟରେ ବ୍ୟବହାର କରାଯିବ । 2017 ଏପ୍ରିଲ ପରଠାରୁ ନୂତନ ଭାବେ ଗଠିତ 3 ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀକୁ ପ୍ରୋତ୍ସାହିତ କରିବାକୁ ସିଡ୍ ମନି ସହାୟତା ବାବଦରେ 15ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ । ଏବାବଦରେ 450 କୋଟି ଟଙ୍କା ପ୍ରଦାନ କରାଯିବ ।

ଡିଜିଟାଲ ପ୍ରଯୁକ୍ତି ବିଦ୍ୟା ଦ୍ବାରା ମହିଳାମାନେ ସହଜରେ ରୋଜଗାର ବୃଦ୍ଧି, ଅନଲାଇନ ବ୍ୟାଙ୍କ ସେବା ସଂପର୍କରେ ଅବଗତ ହେବା ସହ ତଦାରଖ, ଉତ୍ପାଦିକ ସାମଗ୍ରୀର ପ୍ରଚାର, ସ୍ବଳ୍ପ ବ୍ୟୟରେ ଯୋଗାଯୋଗ ସୁବିଧା ପାଇପାରିବେ । ମୋବାଇଲ କିଣିବା ପାଇଁ ଦିଆଯାଉଥିବା ସହାୟତା ରାଶି ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ହେବ । ସ୍ବୟଂ ସହାୟକ ଗୋଷ୍ଠି ନିଜ ପସନ୍ଦର ଯେକୌଣସି କମ୍ପାନୀର ସ୍ମାର୍ଟ ଫୋନ କିଣିପାରିବେ । ଡିଜିଟାଲ ସଶକ୍ତିକରଣରେ 6 ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀକୁ 180 କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବ ।

ବ୍ଲକ ସ୍ତରରେ ସ୍ୱୟଂ ସହାୟକ ଗୋଷ୍ଠୀର ବିଭିନ୍ନ କାର୍ଯ୍ୟକ୍ରମକୁ ରୋଜଗାରଭିତ୍ତିକ କରିବା ପାଇଁ ମହାସଂଘ ଗଠନ କରାଯାଇଛି । ମହାସଂଘକୁ 25 ଲକ୍ଷ ଟଙ୍କା ଲେଖାଏଁ ଆର୍ଥିଜ ସହାୟତା ପ୍ରଦାନ କରାଯିବ । ଏଥିସହ ଅଙ୍ଗନୱାଡି କର୍ମୀଙ୍କୁ 500 ଟଙ୍କା ଓ ସହାୟିକାଙ୍କୁ 200 ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ । ଏବାବଦରେ ଅଙ୍ଗନୱାଡି କର୍ମୀ ଓ ସହାୟିକାଙ୍କୁ 20 କୋଟି 9 ଲକ୍ଷ ଟଙ୍କା ପ୍ରଦାନ କରିବେ ।

Share

Leave a Reply

Your email address will not be published. Required fields are marked *

two × 4 =