ବିଜେପୁର ବିଜୟ : କାମ ଦେଲାନି ନେଗେଟିଭ କ୍ୟାମ୍ପେନ

ଭୁବନେଶ୍ବର () ବିଜେପୁରରେ ରୀତା ସାହୁ ଜିତିବା ଏକ ପ୍ରକାର ନିଶ୍ଚିତ ଥିଲେ ବି ରେକର୍ଡ ସଂଖ୍ୟକ ଭୋଟ ବ୍ୟବଧାନରେ ଜିତିବେ, ତାହା କୌଣସି ରାଜନୈତିକ ସମୀକ୍ଷକ, ବିରୋଧୀ ଦଳ କି ନିର୍ବାଚନ ଦାୟିତ୍ବରେ ଥିବା ବିଜେଡିର କାର୍ପଟଦାର ନେତାମାନେ କେବେ କଳନା କରିନଥିଲେ । ଏହା ପ୍ରମାଣିତ କରିଛି ଯେ, ବିଜେପୁରବାସୀ ରୀତା ନୁହେଁ, ବିଜେଡି ନେତୃତ୍ବ ଅର୍ଥାତ ନବୀନ ପଟ୍ଟନାୟକଙ୍କୁ ଅଧିକ ଭରଷା କରି ରେକର୍ଡ ସଂଖ୍ୟକ ଭୋଟ ବ୍ୟବଧାନରେ ଜିତାଇଛନ୍ତି I ଏଥିସହିତ ବିରୋଧୀ ଦଳଗୁଡିକୁ ପରୋକ୍ଷ ଚେତାବନୀ ମଧ୍ୟ ଦେଇଛନ୍ତି ।

2000 ମସିହାରେ ବିଜେପି-ବିଜେଡି ମେଣ୍ଟରେ ପ୍ରଥମ ବିଧାନସଭା ନିର୍ବାଚନ ଲଢିଥିଲେ । ଆଉ ସେ ସମୟରେ ବିଜେପି ପ୍ରାର୍ଥୀ ବିଶ୍ବଭୂଷଣ ହରିଚନ୍ଦନ 94 ହଜାର 555 ଖଣ୍ଡ ଭୋଟ ବ୍ୟବଧାନରେ ଜିତି ରେକର୍ଡ କରିଥିଲେ । ସେ ରେକର୍ଡକୁ ଭାଙ୍ଗି ରୀତା ସାହୁ ନୂଆ ମାଇଲଖୁଣ୍ଟ ତିଆରି କରିଛନ୍ତି । ୨୦୧୯ ମଇ ନିର୍ବାଚନରେ ବିଜେପୁରରୁ ନବୀନ ପଟ୍ଟନାୟକ, ଖଣ୍ଡପଡାରୁ ସୌମ୍ୟରଞ୍ଜନ ପଟ୍ଟନାୟକ, ଆଳିରୁ ପ୍ରତାପ ଦେବ ଓ ଆଠଗଡରୁ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ପ୍ରମୁଖ ୫୦ ହଜାରରୁ ଅଧିକ ବ୍ୟବଧାନରେ ଜିତିଥିଲେ।

ଗତ ତିନୋଟି ଯାକ ନିର୍ବାଚନର ଫଳାଫଳକୁ ବିଶ୍ଳେଷଣ କଲେ ଯେଉଁ ଚିତ୍ର ମିଳୁଛି, ତାହା ଓଡିଶାରେ ବିରୋଧୀ ରାଜନୀତିର ଅବକ୍ଷୟର ସଙ୍କେତ ଦେଉଛି। ଏକଦା କଂଗ୍ରେସର ଦୁର୍ଗ ରହିଥିବା ବିଜେପୁର ବିଜେଡି ହାତକୁ ଚାଲି ଆସିବାର ପ୍ରକ୍ରିୟାକୁ ଅନୁଧ୍ୟାନ କଲେ ଜଣାପଡୁଛି ଯେ ଓଡିଶାରେ ବିଜେଡ଼ିର ବିକଳ୍ପ ତିଆରି ହୋଇ ପାରୁନି କାହିଁକି। ୨୦୦୯ ଓ ୨୦୧୪ ନିର୍ବାଚନରେ ଏଠାରୁ କଂଗ୍ରେସକୁ ଯଥାକ୍ରମେ ୪୦.୯୧ ଓ ୩୨.୧୫% ଭୋଟ ମିଳିଥିଲା। ୨୦୧୮ ରେ ସୁବଳ ସାହୁଙ୍କ ଦେହାନ୍ତ ପରେ ତାଙ୍କ ପତ୍ନୀ ରୀତା ସାହୁ ବିଜେଡିରେ ମିଶିଥିଲେ ଓ ସେହି ଥର ଉପ ନିର୍ବାଚନରେ ରୀତାଙ୍କୁ ୧,୦୨,୮୭୧ ଭୋଟ ମିଳିଥିଲା। ସେତେବେଳେ କଂଗ୍ରେସ ଭୋଟ ବିଜେପି ଓ ବିଜେଡି ହାତକୁ ଆସିବା ଆରମ୍ଭ ହୋଇ ସାରିଥିଲା। ୨୦୧୮ ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀ ୬୦,୯୩୯ ଭୋଟ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁ ମାତ୍ର ୧୦,୨୭୪ ଭୋଟ ପାଇ ଅମାନତ ହରାଇଥିଲେ ।

ଗତ ସାଧାରଣ ନିର୍ବାଚନରେ ଏହି ନିର୍ବାଚନ ମଣ୍ଡଳୀରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫୯.୭୮% ଭୋଟ ପାଇଥିଲେ। ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀ ସନତ ଗଡ଼ତିଆଙ୍କୁ ୨୮.୯୧% ଭୋଟ ମିଳିଥିଲା। 2018 ବିଜେପୁର ଉପନିର୍ବାଚନ ଓ 2019 ଉପନିର୍ବାଚନ ଏଇ 18 ମାସ ମଧ୍ୟରେ ବିଜେଡ଼ିର ଭୋଟ ହାର ରେକର୍ଡ ସଂଖ୍ୟକ ଭାବରେ ବଢିଥିବା ବେଳେ କଂଗ୍ରେସ ସତ୍ତା ହରାଇଛି। ବିଜେପିର ଆସ୍ପର୍ଦ୍ଧା ମଧ୍ୟ ବିଜେପୁରରେ ଭାଙ୍ଗି ଯାଇଛି। ନିର୍ବାଚନ ଫଳାଫଳରେ ବିଜେଡ଼ିକୁ ୭୩.୮୭% ଓ ବିଜେପିକୁ ୨୦.୬୩% ଭୋଟ ମିଳିଛି। ମାତ୍ର ୪ ମାସ ଭିତରେ ବିଜେଡ଼ିର ଭୋଟ ହାର ପ୍ରାୟ ୧୪% ବଢିଥିବା ବେଳେ ବିଜେପିର ଭୋଟହାର ପ୍ରାୟ ୭% କମିଛି।

ଭୋଟ ଫଳାଫଳକୁ ଦେଖିଲେ ଲାଗୁଛି ଓଡିଶାରେ ନବୀନ କୁହୁକ କାମ କରୁଛି ଆଉ ଲୋକେ ମଧ୍ୟ ଏଥିରୁ ଅଲଗା ହେବାକୁ ରାଜି ନୁହଁନ୍ତି । ଏଥିସହିତ ପଞ୍ଚମ ପାଳିର ସରକାର ଦାୟିତ୍ଵ ଗ୍ରହଣ କରିବା ପରଠୁ ବିଜେଡିର ଶାସନ ଓ ସଂଗଠନ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଦେଖା ଦେଇଛି। ଲୋକ ସମ୍ପର୍କ ଓ ସରକାରୀ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବାର ବହୁ ସଫଳ ପ୍ରୟୋଗ ବିଜେଡି ଆରମ୍ଭ କରିଛି। ବିଜେଡ଼ିର ମୁକାବିଲା କରିବାକୁ ଯାଇ ଉଭୟ କଂଗ୍ରେସ ଓ ବିଜେପି ମୁଖ୍ୟମନ୍ତ୍ରୀ ଓ ତାଙ୍କ ଟିମକୁ ଗାଳି କରିବାରେ ବୃଥା ସମୟ ଅପଚୟ କରୁଥିବା ବେଳେ, ବିଜେଡି ନିଜର ସକରାତ୍ମକ ଓ ବିକାଶର ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଇ ସେମାନଙ୍କ ଆସ୍ଥାଭାଜନ ହେବାରେ ସଫଳ ହୋଇଛି। ବିଜେଡି କେବଳ ବିକାଶର ନାରା ଦେଇନି, ବିଜେପୁରବାସୀଙ୍କୁ ନବୀନ ଏଇ 18 ମାସ ମଧ୍ୟରେ ବିକାଶର ନୂଆ ଧାରା ଦେଖାଇଛନ୍ତି । ତେଣୁ ବିରୋଧୀ ଯେତେ ଘାଣ୍ଟିଚକଟି ବିରୋଧ ନାଁରେ ବିରୋଧ କରିବାକୁ ଚେଷ୍ଟା କରିଥିଲେ ବି ଭୋଟଙ୍କ ମନ ଜିଣିପାରିନଥିଲେ । ଏହି ଭୋଟ ଜରିଆରେ ଭୋଟର ବିରୋଧୀଙ୍କୁ ସ୍ପଷ୍ଟ ଚେତାବନୀ ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

17 − 9 =