ବିଜେପି ନେତାଙ୍କୁ ଏବେ ଗରିବଙ୍କ କଥା ମନେ ପଡୁଛି : ନବୀନ

କେନ୍ଦୁଝର () ତୃତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ପାଇଁ କେନ୍ଦୁଝରରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି । କେନ୍ଦୁଝରରେ ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରି ନବୀନ ନିଜ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ।

କେନ୍ଦୁଝରରେ ମଧ୍ୟ ନବୀନ କେନ୍ଦ୍ର ସରକାରଙ୍କ ଓଡିଶା ଓ ଚାଷୀ ବିରୋଧୀ ନୀତିର ସମାଲୋଚନା କରିଥିଲେ । ସେ କହିଥିଲେ ଯେ, କାଳିଆ ଯୋଜନାରେ 40 ଲକ୍ଷ ଚାଷୀ ଉପକାର ପାଇଲେଣି । କିନ୍ତୁ କେନ୍ଦ୍ରର ବିଜେପି ସରକାର ଏହି ଯୋଜନାକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଛି । କିନ୍ତୁ ମୁଁ ଥିବା ଯାଏଁ କାଳିଆ ଯୋଜନାକୁ କେହି ବନ୍ଦ କରିପାରିବେ ନାହିଁ ବୋଲି ଦୃଢତାର ସହ କହିବା ସହ ବିଜେଡି ସରକାରକୁ ଆସିବାର ପ୍ରଥମ ଦିନରେ ହିଁ ସବୁ ଚାଷୀଙ୍କୁ ଦୁଇଟି କିସ୍ତି ପାଇଁ 10 ହଜାର ଟଙ୍କା ମିଳିବ ବୋଲି କହିଥିଲେ ।

ସେହିଭଳି ଜିଲ୍ଲା ଖଣିଜ ପାଣ୍ଠି କେନ୍ଦୁଝର ଜିଲ୍ଲାବାସୀଙ୍କର, କାହାର ଦୟା ନୁହେଁ । ବିଜେଡି ସରକାର କେନ୍ଦ୍ର ସହିତ ଲଢେଇ କରି ଏହି ପାଣ୍ଠି କରିଛି । ଏହା ଆପଣମାନଙ୍କର ହକ । ନିର୍ବାଚନ ହେଲେ, ବିଜେପିର ବଡ ବଡ ନେତାମାନେ ଓଡିଶା ଆସି ଭୋଟ ମାଗୁଛନ୍ତି । ସେମାନଙ୍କୁ ଆପଣମାନେ ପଚାରନ୍ତୁ, କେନ୍ଦୁଝର ଜିଲ୍ଲାର ଜାତୀୟ ରାଜପଥ ଅବସ୍ଥା ଉପରେ ପାଂଚ ବର୍ଷ ହେଲା ରାଜମୁଣ୍ଡା ରିମୁଳି ରାସ୍ତା କାମ ସରୁନି କାହିଁକି? କେନ୍ଦୁଝର ମେଡିକାଲ କଲେଜ ବର୍ଷକ ଭିତରେ ଲୋକଙ୍କୁ ସେବା ଯୋଗାଇବ, 6 ମାସରେ ଭିତରେ ସବୁ ଘରକୁ ପାଇପ ପାଣି, କେନ୍ଦୁଝରର ରେଲୱେ ଟଙ୍କା ଝାଡଖଣ୍ଡରେ କାହିଁକି ଖର୍ଚ୍ଚ ହେଉଛି? କେନ୍ଦ୍ରର ବିଜେପି ସରକାର ଓଡିଶାର 25 ଲକ୍ଷ ଗରିବ ଲୋକଙ୍କ ଚାଉଳ ଦେଲେ ନାହିଁ । ବିଜେଡି ସରକାର ସବୁ ଗରିବଙ୍କୁ ଟଙ୍କିକିଆ ଚାଉଳ ଦେଉଛି । କୋଡିଏ ଲକ୍ଷ ଗରିବ ଲୋକଙ୍କ ଭତ୍ତା ବିଜେପି କାଟିଲା । ବିଜେଡି ସରକାର ସବୁ ଗରିବଙ୍କୁ ମଧୁବାବୁ ପେନସନ ଦେଲା । ଅନୁସୂଚିତ ଜାତି ଜନଜାତି ପିଲାଙ୍କ ଶିକ୍ଷାବୃତ୍ତି ଦେଉଛି । ବିଜେପି ସରକାର ଗରିବ ବିରୋଧି । ତିନିଦିନ ତଳେ ଏବେ ସେମାନଙ୍କୁର ଗରିବଙ୍କ କଥା ମନେ ପଡିଲା । କହୁଛନ୍ତି ଚାଉଳ, ଦେବୁ, ଡାଲି ଦେବୁ ଓ ଲୁଣ ଦେବୁ । ଏତେ ଦିନ କଣ କରୁଥିଲେ?

ବିଜେପି ନେତାମାନେ ଜାଣିସାରିଲେଣି ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ବିଜେପି ବିପୁଳମାତ୍ରାରେ ହାରୁଛି । ସେଥିପାଇଁ ଏବେ ଗରିବଙ୍କ କଥା ମନେ ପଡିଲା । ପାଂଚ ବର୍ଷ ସରକାରରେ ରହିଲେ, ଗରିବଙ୍କ ପାଇଁ କଣ କଲେ । ଦରଦାମ ବଢିଲା, ଗ୍ୟାସ ଦର ବଢିଲା, ପେଟ୍ରୋଲ ଦର ବଢିଲା, ବିମୁଦ୍ରୀକରଣ କଲେ ଗରିବଙ୍କୁ ଆହୁରି ଗରିବ କଲେ । ଛୋଟ ବେପାରୀଙ୍କ ଉପରେ ଜିଏସଟି ଲାଗିଲା, ଗରିବଙ୍କ ଚାକିରି ନେଲେ, ହେଲେ ଆଉ ଜୁମଲାବାଜି ଚଳିବ ନାହିଁ ବୋଲି କହିଥିଲେ ।

ବିଜେପି ନେତାଙ୍କ ଉଦ୍ଦେଶ୍ୟରେ ନବୀନ କହିଥିଲେ ଯେ, ଆପଣଙ୍କୁ ଆଉ ଭୋଟ ମିଳିବ ନାହିଁ, ଲୋକେ ଆପଣଙ୍କ ଅସଲି ଚେହେରା ଜାଣିସାରିଲେଣି । ବିଜେଡି ସରକାର ଚାଷୀଙ୍କ ସରକାର, ଗରିବଙ୍କ ସରକାର, ଶ୍ରମିକଙ୍କ ସରକାର, ଯୁବକଙ୍କ ସରକାର, ସମସ୍ତେ ମୋର ପରିବାର । ସାଢେ ଚାରି କୋଟି ଓଡିଶାବାସୀ ମୋର ପରିବାର । ଶେଷ ନିଶ୍ବାସ ପର୍ଯ୍ୟନ୍ତ ଆପଣଙ୍କ ସେବା କରିଚାଲିବି ।

Share

Leave a Reply

Your email address will not be published. Required fields are marked *

16 − one =