ସ୍ବାସ୍ଥ୍ୟସେବା ପାଇଁ ପୁଣି ଥରେ ଓଡିଶା ପୁରସ୍କୃତ

ଭୁବନେଶ୍ବର () ସ୍ବାସ୍ଥ୍ୟସେବା ପାଇଁ ଓଡିଶାକୁ ମିଳିଛି ସମ୍ମାନଜନକ ଜେ.ଆର.ଡି ଟାଟା ମେମୋରିଆଲ ପୁରସ୍କାର । ପପୁଲେସନ ଫାଉଣ୍ଡେସନ ଅଫ୍‍ ଇଣ୍ଡିଆ ପକ୍ଷରୁ ଜଗତସିଂହପୁର ଜିଲ୍ଲା ପ୍ରଶାସନକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ନୂଆଦିଲ୍ଲୀର ଇଣ୍ଡିଆ ହାବିଟାଟ ସେଣ୍ଟରରେ ଆୟୋଜିତ ଏକ ଉତ୍ସବରେ ନୀତି ଆୟୋଗର ଉପାଧ୍ୟକ୍ଷ ରାଜୀବ କୁମାରଙ୍କ ଠାରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଅଶୋକ କୁମାର ପଟ୍ଟନାୟକ ।

ପରିବାର ନିୟୋଜନ ସହିତ ସ୍ବାସ୍ଥ୍ୟସେବାରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଜିଲ୍ଲାକୁ ଏଭଳି ପୁରସ୍କାର ପ୍ରଦାନ କରାଯାଇଛି । ପପୁଲେସନ ଫାଉଣ୍ଡେସନ ଅଫ୍‍ ଇଣ୍ଡିଆ ପକ୍ଷରୁ ସମଗ୍ର ଦେଶରେ ଏ ସଂକ୍ରାନ୍ତରେ ସର୍ବେକ୍ଷଣ କରାଯାଇଥିଲା । ସର୍ବଶେଷ ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେର ରିପୋର୍ଟ ଅନୁଯାୟୀ ଜଗତ୍‍ସିଂହପୁର ଜିଲ୍ଲାରେ ପରିବାର ନିୟୋଜନ ହାର ସମଗ୍ର ରାଜ୍ୟ ତୁଳନାରେ ଅଧିକ ରହିଛି । ରାଜ୍ୟରେ ୫୭.୩ ପ୍ରତିଶତ ମହିଳା ପରିବାର ନିୟୋଜନ କରାଉଥିବାବେଳେ ଜଗତ୍‍ସିଂହପୁର ଜିଲ୍ଲାରେ ତାହା ୬୩.୮ ପ୍ରତିଶତ ଅଛି । ଜିଲ୍ଲାରେ ୪୫.୨ ପ୍ରତିଶତ ମହିଳା ଅତ୍ୟାଧୁନିକ ପରିବାର ନିୟୋଜନ ବ୍ୟବସ୍ଥାକୁ ଆପଣେଇ ନେଉଛନ୍ତି ।

ସେହିଭଳି ଡାକ୍ତରଖାନାରେ ଶଶୁ ଜନ୍ମହାର ସମଗ୍ର ରାଜ୍ୟରେ ୮୫.୩ ପ୍ରତିଶତ ଥିବାବେଳେ ଜଗତ୍‍ସିଂହପୁର ଜିଲ୍ଲାରେ ଏହି ହାର ୯୭ ପ୍ରତିଶତରୁ ଅଧିକ ରହିଛି । ୫ବର୍ଷ ବୟସରୁ କମ୍‍ ବୟସର ଶିଶୁଙ୍କ ଜନ୍ମ ପଞ୍ଜିକରଣ ହାର ମଧ୍ୟ ଜିଲ୍ଲାରେ ପ୍ରାୟ ୮୭ ପ୍ରତିଶତ ଥିବା ସର୍ଭେ ରିପୋର୍ଟରେ ଉଲ୍ଲେଖ ଅଛି ।

ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନକୁ ନେଇ ଜାତୀୟ ସ୍ତରରେ ପୁରସ୍କୃତ ହେବାପରେ ଜିଲ୍ଲାର ଏଭଳି ସଫଳତାକୁ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା, ବିଭାଗୀୟ କମିଶନର ତଥା ଶାସନ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଦା ଓ ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ପ୍ରମୁଖ ପ୍ରଶଂସା କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

seventeen − 14 =