୧୮ ଛାତ୍ରଛାତ୍ରୀଙ୍କୁ ଟାଟା ଷ୍ଟିଲ୍ ପରିବାର ଶିକ୍ଷାବୃତି ପ୍ରଦାନ

୨୦୦୭ ପରଠାରୁ ୨୧୦ ଛାତ୍ରଛାତ୍ରୀଙ୍କୁ ମିଳିଛି ଏହି ଶିକ୍ଷା ବୃତି
ଡୁବୁରି: ଟାଟା ଷ୍ଟିଲ କଳିଙ୍ଗନଗରର (ଟିଏସ୍‌କେ) ବିସ୍ଥାପିତ ପରିବାରର ୧୮ ଜଣ ଛାତ୍ରଛାତ୍ରୀଙ୍କୁ ଓଡ଼ିଶାର ଯାଜପୁର ଜିଲ୍ଲାର ଡୁବୁରି ନିକଟସ୍ଥ ଟାଟା ଷ୍ଟିଲ କଳିଙ୍ଗନରର କର୍ପୋରେଟ୍ ସର୍ଭିସେସ୍ ହଲ୍‌ରେ ସୋମବାର ଦିନ “ଟାଟା ଷ୍ଟିଲ ପରିବାର ଶିକ୍ଷାବୃତି ୨୦୨୨-୨୩’ ପ୍ରଦାନ କରାଯାଇଛି ।
ଏହି ଅବସରରେ ଟିଏସ୍‌କେର ମେକାନିକାଲ୍ ମେଟେଂନାନ୍ସ ବିଭାଗର ଚିଫ୍ ଶଙ୍କର ବିଶ୍ୱାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଟିଏସ୍‌କେର ସିକ୍ୟୁରିଟି ବିଭାଗର ଚିଫ୍ ପ୍ରକାଶ ସଞ୍ଜୟ, ଟିଏସ୍‌କେର ପୁନର୍ବାସ ଓ ଥଇଥାନ ବିଭାଗର ମୁଖ୍ୟ ସୁବ୍ରତ ମହାପାତ୍ର ଏବଂ ଟିଏସ୍‌କେ ଓ ଟିଏସ୍‌ଏମ୍‌ର କର୍ପୋରେଟ୍ ଯୋଗାଯୋଗ ମୁଖ୍ୟ ଶୁଭ୍ରାଂଶୁ ଶେଖର ପଣ୍ଡା ଉପସ୍ଥିତ ଥିଲେ । କଂପାନିର ଅନ୍ୟାନ୍ୟ ଅଧିକାରୀ, ସ୍ଥାନୀୟ ସମାଜର ନେତୃବୃନ୍ଦ ଓ ବିସ୍ଥାପିତ ଲୋକଙ୍କ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ଅତିଥିମାନେ ଏହି ଛାତ୍ରବୃତି ପ୍ରଦାନ କରିଛନ୍ତି ।
ମୋଟ ୧୮ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୫ ଜଣ ନୂତନ ଭାବେ ଛାତ୍ରବୃତି (ସ୍କଲାରସିପ) ପାଇଛନ୍ତି ଏବଂ ସେମାନେ ଡିପ୍ଲୋମା ପାଠ ପଢ଼ିବାକୁ ଚୟନ କରିଛନ୍ତି । ଛଅ ଜଣ ଛାତ୍ରଛାତ୍ରୀ ଇଞ୍ଜିନିୟରିଂ ପାଠ ପଢ଼ୁଛନ୍ତି ଏବଂ ୧୧ ଜଣ ଛାତ୍ରଛାତ୍ରୀ ଡିପ୍ଲୋମା ଇଞ୍ଜିନିୟରିଂ ପଢୁଥିବା ବେଳେ ଜଣେ ଏମ୍‌ବିଏ ପାଠ ପଢ଼ୁଛନ୍ତି । ଏହି ଶିକ୍ଷାବୃତିରେ ପାଠପଢ଼ାର ସମ୍ପୂର୍ଣ୍ଣ ଅବଧି ପାଇଁ ଛାତ୍ରଛାତ୍ରୀଙ୍କ ନିମନ୍ତେ ସମ୍ପୂର୍ଣ୍ଣ ଟ୍ୟୁସନ ଫି’, ନାମଲେଖା ଫି’ ଏବଂ ହଷ୍ଟେଲ୍ ଦେୟ ସାମିଲ ରହିଛି ।
ଶିକ୍ଷାବୃତି ପାଇଁ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇ ଶଙ୍କର ବିଶ୍ୱାସ କହିଛନ୍ତି ଯେ, “ଟାଟା ଷ୍ଟିଲ ଏହାର କାର୍ଯ୍ୟ କ୍ଷେତ୍ରର ପାରିପାଶ୍ୱିର୍କ ଅଂଚଳର ଲୋକମାନଙ୍କ ବିକାଶ ପ୍ରତି ପ୍ରତିବଦ୍ଧ ରହିଛି ଏବଂ ଏହି ଶିକ୍ଷାବୃତି ହେଉଛି ସେହି ପ୍ରତିବଦ୍ଧତା ଦିଗରେ ଏକ ପଦକ୍ଷେପ । ଏହି ଅଭିଯାନ ସହ ଯୁବପିଢ଼ିଙ୍କୁ ଏକ ଉତମ କ୍ୟାରିୟର ପାଇଁ ପ୍ରସ୍ତୁତ ଓ ସହାୟତା କରିବା ଲାଗି ଟାଟା ଷ୍ଟିଲ୍ ଲକ୍ଷ୍ୟ ରଖିଛି ଯାହା ସେମାନଙ୍କ ପରିବାରର ଜୀବନକୁ ରୂପାନ୍ତରିତ କରିପାରିବ । ଶିଳ୍ପାୟନର ଲାଭ ବିସ୍ଥାପିତ ପରିବାର ପାଖରେ ନିଶ୍ଚିତ ପହଂଚିବା ଦରକାର ଯେଉଁମାନେ କଳିଙ୍ଗନଗରର ବିକାଶର ସହଯୋଗୀ ହୋଇଛନ୍ତି ।’’
୨୦୦୭ରେ ଶୁଭାରମ୍ଭ କରାଯାଇଥିବା ଟାଟା ଷ୍ଟିଲ ପରିବାର ଶିକ୍ଷାବୃତି ହେଉଛି ପୁନର୍ବାସ ଓ ଥଇଥାନ ନୀତିବାଦର ଏକ ଅଭିଯାନ । ଟାଟା ଷ୍ଟିଲ କଳିଙ୍ଗନଗର କାରଖାନା ପାଇଁ ବିସ୍ଥାପିତ ହୋଇଥିବା ପରିବାରଗୁଡ଼ିକର ଶହ ଶହ ପ୍ରତିଭାବାନ ଛାତ୍ରଛାତ୍ରୀଙ୍କ ସ୍ୱପ୍ନ ଓ ଅଭିଳାଷକୁ ପୂରଣ କରିବା ହେଉଛି ଏହାର ଲକ୍ଷ୍ୟ ଯେଉଁମାନେ ସଚେତନତା ଅଭାବରୁ ଉଚ୍ଚ ଶିକ୍ଷାରୁ ବଂଚିତ ହେଉଛନ୍ତି । ପରର୍ବତୀ ପିଢ଼ି କେବଳ ଅଣ-କୁଶଳକାର୍ଯ୍ୟରେ ନିଯୁକ୍ତ ନହୋଇ ଶ୍ରେଷ୍ଠମାନଙ୍କ ସହ ପ୍ରତିଦ୍ୱନ୍ଦ୍ୱିତାର ସୁଯୋଗ ପାଇବା ବିଷୟକୁ ନିଶ୍ଚିତ କରିବା ଲାଗି ଏହି ସ୍କିମ୍‌କୁ ଆନ୍ତର୍ଜାତିକ ଶ୍ରେଷ୍ଠ ପ୍ରଥାର ମାନ୍ୟତା ପ୍ରଦାନ କରାଯାଇଛି । ବିଟେକ୍‌, ଏମ୍‌ବିବିଏସ୍‌, ଏମ୍‌ବିଏ ଓ ଇଞ୍ଜିନିୟରିଂରେ ଡିପ୍ଲୋମା ଭଳି ପ୍ରଫେସନାଲ୍ ପାଠ୍ୟକ୍ରମରେ ବିଭିନ୍ନ ମାନ୍ୟତାପ୍ରାପ୍ତ ଶିକ୍ଷାନୁଷ୍ଠାନରେ ପାଠପଢ଼ିବା ଲାଗି ନାମଲେଖାଇବା ସୁଯୋଗ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଏହି ସ୍କିମ୍‌ରେ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୦୭ ପରଠାରୁ ଟାଟା ଷ୍ଟିଲ୍ ପକ୍ଷରୁ ବିସ୍ଥାପିତ ପରିବାରର ୨୧୦ ଜଣ ଛାତ୍ରଛାତ୍ରୀଙ୍କୁ ଶିକ୍ଷାବୃତି ଦିଆଯାଇଛି । ଏହି କାର୍ଯ୍ୟକ୍ରମର ଲାଭ ହାସଲ କରିବା ଏବଂ ଏକ ଉତମ ଭବିଷ୍ୟତ ପାଇଁ ଦକ୍ଷତା ବିକାଶ କରିବା ନିମନ୍ତେ ବିସ୍ଥାପିତ ପରିବାରର ଅଧିକରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଟାଟା ଷ୍ଟିଲ୍ ପକ୍ଷରୁ ଉତ୍ସାହିତ କରାଯାଉଛି ।

Share

Leave a Reply

Your email address will not be published. Required fields are marked *

seventeen − 8 =