ଏନ୍‌ପିସିଆଇ ପକ୍ଷରୁ ୧୨୩ପେ’ରେ ବିଦ୍ୟୁତ୍ ବିଲ୍ ପଇଠର ଶୁଭାରମ୍ଭ

ଭୁବନେଶ୍ୱର: ନ୍ୟାସନାଲ୍ ପେମେଂଟ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏନ୍‌ପିସିଆଇ) ପକ୍ଷରୁ ଘୋଷଣା କରାଯାଇଛି ଯେ ୧୨୩ପେ’ରେ ୭୦ରୁ ଅଧିକ ବିଦ୍ୟୁତ୍ ବୋର୍ଡର ବିଦ୍ୟୁତ ବିଲ୍ ପଇଠ କରିବାର ସୁବିଧାର ଶୁଭାରମ୍ଭ କରାଯାଇଛି । ଭାରତ ବିଲ ପେମେଂଟ୍ ସିଷ୍ଟମ୍ (ବିିବିପିଏସ୍‌)କୁ ନେଇ ପ୍ରସ୍ତୁତ କରାଯାଇଥିବା ଏହି ବ୍ୟବସ୍ଥାରେ ୧୨୩ପେ’ର ବ୍ୟବହାରକାରୀମାନେ ସହଜରେ ଏବଂ ସୁବିଧାରେ ସିଧାସଳଖ ସେମାନଙ୍କ ବ୍ୟାଙ୍କ୍ ଆକାଉଂଟ୍‌ରୁ ବିଦ୍ୟୁତ ବିଲ୍ ପଇଠ କରିପାରିବେ । ଏହି ପ୍ରକ୍ରିୟାରେ ୟୁଟିଲିଟି ଅଫିସ୍‌ରେ ନଗଦ ରାଶି କିମ୍ବା ଚେକ୍ ଜରିଆରେ ବିଦ୍ୟୁତ୍ ବିଲ୍ ପେମେଂଟ୍ କରିବାକୁ ପଡ଼ିବନି । ଏହି ସୁବିଧା ଉଭୟ ଫିଚର୍ ଫୋନ୍ ଏବଂ ସ୍ମାର୍ଟଫୋନ୍ ବ୍ୟବହାରକାରୀମାନଙ୍କ ଲାଗି ଉପଲବ୍ଧ ହେବ ।
ପେମେଂଟ୍ ନମ୍ବର ୦୮୦-୪୫୧୬୩୬୬୬ କିମ୍ବା ୬୩୬୬୨୦୦୨୦୦କୁ କଲ୍ କରି ଭାରତ ବିଲ ପେମେଂଟ୍ ସର୍ଭିସ୍ ଜରିଆରେ ବ୍ୟବହାରକାରୀମାନେ ୧୦ଟି ଆଂଚଳିକ ଭାଷାରେ ବିଦ୍ୟୁତ ବିଲ୍ ପେମେଂଟ୍ କରିପାରିବେ । ଏହି ପ୍ରକ୍ରିୟାରେ କଲ୍ କରିବା ପରେ ପ୍ରାରମ୍ଭରେ ନୂଆ ବ୍ୟବହାରକାରୀଙ୍କୁ ସାମିଲ କରାଯିବ । ଏହା ପରେ ବ୍ୟବହାରକାରୀମାନଙ୍କୁ ନିଜ ବିଦ୍ୟୁତ୍ ବୋର୍ଡର ନାମ କହିବାକୁ ପଡ଼ିବ । ତା’ପରେ ନିଜର ଗ୍ରାହକ ନମ୍ବର ଏବଂ କଲ୍‌ରେ ପଚାରାଯିବାକୁ ଥିବା ଅନ୍ୟାନ୍ୟ ବିବରଣୀ ଦେବାକୁ ପଡ଼ିବ । ବ୍ୟବହାରୀକାରୀମାନେ ବକେୟା ବିଲ୍ ବିଷୟରେ ଜାଣିପାରିବେ । ଏହାପରେ ୟୁପିଆଇ ପିନ୍ ଦେଲେ ପେମେଂଟ୍ ସଫଳ ହେବ ।
ଏହି ଅବସରରେ ଏନ୍‌ପିସିଆଇର ୟୁପିଆଇ ଓ ଆଇଏମ୍‌ପିଏସ୍ ଉତ୍ପାଦ ମୁଖ୍ୟ ସୌରଭ ତୋମର କହିଛନ୍ତି ଯେ, “୧୨୩ପେ’ର ବହୁ ସଂଖ୍ୟକ ଗ୍ରାହକମାନଙ୍କୁ ପ୍ରଦାନ କରାଯାଉଥିବା ସେବାରେ ଉନ୍ନତି ଆଣୁଥିବାରୁ ଆମେ ଆନନ୍ଦିତ । ଆମର ବିଶ୍ୱାସ ରହିଛି ଯେ ୧୨୩ପେ’ରେ ସ୍ୱର ଭିତିକ ବିଦ୍ୟୁତ ବିଲ୍ ପେମେଂଟ୍ ସୁବିଧା ସାରା ଦେଶର ବିଭିନ୍ନ ଅଂଚଳରେ ୟୁପିଆଇ ଗ୍ରହଣୀୟତା ବଢ଼ାଇବାରେ ସହାୟକ ହେବ ଏବଂ ବିଲ୍ ଯେଉଁ ଉପାୟରେ ପ୍ରଦାନ କରାଯାଉଥିଲା ସେଥିରେ ପରିବର୍ତନ ଆଣିବ । ଏହି ପେମେଂଟ୍ କେବଳ ସମୟ ସଂଚୟ କରିବ ନାହିଁ ବରଂ ଫୋନ୍ କଲ୍‌ରେ ସ୍ୱର ଜରିଆରେ ବିଲ୍ ପେମେଂଟ୍ କରିବାର ପ୍ରକ୍ରିୟାର ଆଧୁନିକୀକରଣ କରିବ । ଆଗାମୀ ଦିନରେ ୧୨୩ପେ’ରେ ପ୍ରଦାନ କରାଯାଉଥିବା ସେବାକୁ ସମ୍ପ୍ରସାରଣ କରିବା କାର୍ଯ୍ୟକୁ ଆମେ ଜାରି ରଖିବୁ ଏବଂ ତାହା ବ୍ୟବହାରକାରୀଙ୍କ ଲାଗି ସୁବିଧା ବଢ଼ାଇବ ।’’
ନ୍ୟାସନାଲ୍ ପେମେଂଟ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏନ୍‌ପିସିଆଇ) ପକ୍ଷରୁ ୧୨୩ପେ’ର ବିକାଶ କରାଯାଇଥିଲା ଏବଂ ଆର୍ଥିକ ସେବାର ଡିଜିଟାଲ୍ ସାନ୍ଧ୍ରତା ବଢ଼ାଇବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ୍ ପକ୍ଷରୁ ତାହାକୁ ଶୁଭାରମ୍ଭ କରାଯାଇଛି । ଏହା ଜରିଆରେ ଫିଚର୍ ଫୋନ୍ ଗ୍ରାହକମାନେ ଡିଜିଟାଲ୍ ମାଧ୍ୟମରେ ବହୁ ପ୍ରକାର କାର୍ଯ୍ୟ କରିପାରିବେ ।

Share

Leave a Reply

Your email address will not be published. Required fields are marked *

2 + 2 =