ମହିନ୍ଦ୍ରା ପକ୍ଷରୁ ନୂଆ ଇଲେକ୍ଟ୍ରିକ୍ ଏସ୍‌ୟୁଭି “ଏକ୍ସୟୁଭି୪୦୦” ଉନ୍ମୋଚିତ; ଦାମ୍ ୧୫.୯୯ ଲକ୍ଷ ଟଙ୍କା

ଭୁବନେଶ୍ୱର: ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା ପକ୍ଷରୁ ଏହାର ପ୍ରଥମ ଇଲେକ୍ଟ୍ରିକ୍ ଏସ୍‌ୟୁଭି “ଏକ୍ସୟୁଭି୪୦୦”କୁ ବିଶ୍ୱ ଇଭି ଦିବସରେ ଉନ୍ମୋଚନ କରାଯାଇଛି । ଇଲେକ୍ଟ୍ରିକ୍ ଗାଡ଼ି ବିପ୍ଳବରେ ସାମିଲ ହେବାକୁ ଚାହୁଥିବା ଗ୍ରାହକମାନଙ୍କୁ ନଜରରେ ରଖି ଏହାର ଡିଜାଇନ୍ ଓ ଇଞ୍ଜିନୟରିଂ ପ୍ରସ୍ତୁତ କରାଯାଇଛି । ମହିନ୍ଦ୍ରାର ବିଦ୍ୟୁତକରଣ ଯାତ୍ରାକୁ ଆଗକୁ ବଢ଼ାଇଥିବା ଏହି ସମ୍ପୂର୍ଣ୍ଣ ଇଲେକ୍ଟ୍ରିକ୍ ଏସ୍‌ୟୁଭିର ମୂଲ୍ୟ ୧୫.୯୯ ଲକ୍ଷ ଟଙ୍କା ରଖାଯାଇଛି । ଏକ୍ସୟୁଭି ୪୦୦ ଇସିର ୭.୨ କିଲୋୱାଟ୍ ମଡେଲ୍‌ର ଦାମ୍ ୧୬.୪୯ ଲକ୍ଷ ଟଙ୍କା ଏବଂ ଏକ୍ସୟୁଭି୪୦୦ ଇଏଲ୍ ମଡେଲ୍‌ର ଦାମ୍ ୧୮.୯୯ ଲକ୍ଷ ଟଙ୍କା ରହିଛି ।
ଏହି ଶୁଭାରମ୍ଭ ମୂଲ୍ୟ ଦୁଇ ଭାରିଆଂଟ୍‌ର ପ୍ରଥମ ୫୦୦୦ ବୁକିଂ ପାଇଁ ଲାଗୁ ହେବ । ବଜାର ପ୍ରବେଶ ହେବାର ବର୍ଷକ ଭିତରେ କଂପାନି ୨୦,୦୦୦ ଏକ୍ସୟୁଭି୪୦୦ ଡେଲିଭରି ଦେବାକୁ ଲକ୍ଷ୍ୟ ରଖିଛି । ମହିନ୍ଦ୍ରାର ଏହି ପ୍ରଥମ ଇଭିରେ ରହିଛି କପର ଟ୍ୱିନ ପିକ୍ ଲୋଗୋ ଯାହା ସଡ଼କରେ ଏହାର ଉପସ୍ଥିତିକୁ ଜଣାଇବ । ଦୁଇଟି ଭାରିଆଂଟ୍‌ରେ ଉପଲବ୍ଧ ଏହା ଉପଲବ୍ଧ ହେବ । ଏକ୍ସୟୁଭି୪୦୦ ଇଏଲ୍ ଭାରିଆଂଟ୍‌ରେ ୩୯.୪ କିଲୋୱାଟ୍‌ର ବ୍ୟାଟେରି ଥିବା ବେଳେ ଏକ୍ସୟୁଭି୪୦୦ ଇସି ଭାରିଆଂଟ୍‌ରେ ରହିଛି ୩୪.୫ କିଲୋୱାଟ୍‌ର ବ୍ୟାଟେରି । ଆର୍କଟିକ୍ ବ୍ଲୁ, ଏଭରେଷ୍ଟ ହ୍ୱାଇଟ୍‌, ଗାଲାକ୍ସି ଗ୍ରେ, ନାପୋଲି ବ୍ଲାକ୍ ଓ ଇନଫାଇନିଟି୍ ବ୍ଲୁ ଭଳି ପାଂଚଟି ଆକର୍ଷଣୀୟ ରଙ୍ଗରେ ଏହା ଆସିବ ଏବଂ ସାଟିନ୍ କପର ଭଳି ଡୁଆଲ୍ ଟୋନ୍ ବିକଳ୍ପ ମଧ୍ୟ ରହିବ । ଏହି ଏସୟୁଭି ଉପରେ ୩ ବର୍ଷ/ ଅସୀମିତ କିମିର ୱାରେଂଟି ରହିବ ଏବଂ ବ୍ୟାଟେରି ଓ ମୋଟ ଉପରେ ୮ ବର୍ଷ କିମ୍ବା ୧,୬୦,୦୦୦ କିମିର ୱାରେଂଟି ରହିବ ।
ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରାର ସଭାପତି-ଅଟୋମୋଟିଭ୍ ସେକ୍ଟର ବିଜୟ ନାକ୍ରା କହିଛନ୍ତି ଯେ, “ମହିନ୍ଦ୍ରାର ଇଲେକ୍ଟ୍ରିକ୍ ଏସ୍‌ୟୁଭି ଯାତ୍ରାରେ ଏକ୍ସୟୁଭି୪୦୦ର ଶୁଭାରମ୍ଭ ଏକ ଐତିହାସିକ ମୁହୂର୍ତ । ଏକ୍ସୟୁଭି ୪୦୦ ଉତ୍କୃଷ୍ଟ ପ୍ରଦର୍ଶନ, ଡିଜାଇନ, ସ୍ଥାନ ଓ ପ୍ରଯୁକ୍ତି ଏବଂ ମୂଲ୍ୟ ଦୃଷ୍ଟିରୁ ବେଶ ଆକର୍ଷଣୀୟ । ଏକ ନିରନ୍ତର ଭବିଷ୍ୟତ ଚାହୁଥିବା ଗ୍ରାହକମାନଙ୍କ ଲାଗି ଆମେ ସ୍ୱତନ୍ତ୍ର ଭାବେ ଏହି ବ୍ରାଣ୍ଡ୍‌ର ବିକାଶ କରିଛୁ । ଆମର ବିଶ୍ୱାସ ରହିଛି ଯେ ଆମ ପ୍ରଥମ ଇଲେକ୍ଟ୍ରିକ୍ ଏସ୍‌ୟୁଭି ଭାରତରେ ଅଧିକରୁ ଅଧିକ ଗ୍ରାହକଙ୍କୁ ଇଲେକ୍ଟ୍ରିକ୍ ଗାଡ଼ି ଗ୍ରହଣ କରିବାକୁ ଉତ୍ସାହିତ ଓ ଅନୁପ୍ରାଣିତ କରିବ । ଭାରତ ପାଇଁ ନିରନ୍ତର ଗମନାଗମନ ସମାଧାନ ବିକାଶ କରିବା ପ୍ରତି ରହିଥିବା ଆମ ପ୍ରତିବଦ୍ଧତାକୁ ଏହା ଆହୁରି ସୁଦୃଢ଼ କରିଛି ।’’
ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରାର ସଭାପତି-ଅଟୋମୋଟିଭ୍ ଟେକ୍ନୋଲୋଜି ଆଣ୍ଡ୍ ପ୍ରଡକ୍ଟ ଡେଭେଲପ୍‌ମେଂଟ୍ ଆର୍ ଭେଲୁସ୍ୱାମୀ କହିଛନ୍ତି ଯେ, “ଜିଏନ୍‌ସିଏପି ୫-ଷ୍ଟାର ମାନ୍ୟତାପ୍ରାପ୍ତ ଦୃଢ଼ ଏକ୍ସୟୁଭି୩୦୦ ପ୍ଲାଟଫର୍ମରେ ଏକ୍ସୟୁଭି୪୦୦କୁ ତିଆରି କରାଯାଇଛି ଏବଂ ଏହା ହେଉଛି ସବୁଠୁ ଚଉଡ଼ାତମ ଏସ୍‌ୟୁଭି ଯାହା ଯାତ୍ରୀଙ୍କୁ ଶ୍ରେଷ୍ଠ ମାନର ସୁରକ୍ଷା ଓ ଆରାମ ପ୍ରଦାନ କରୁଛି । ଗ୍ରାହକମାନଙ୍କୁ ନିରବଚ୍ଛିନ୍ନ ଅନୁଭୂତି ପ୍ରଦାନ କରିବା ଲାଗି ଆମେ ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରାର ଆରଆଣ୍ଡ୍‌ଡି ଦକ୍ଷତାକୁ ବ୍ୟବହାର କରିଥିବା ବେଳେ ବିଭିନ୍ନ ପାଣିପାଗ ପରିସ୍ଥିତିରେ ଏହାକୁ ବିଶ୍ୱବ୍ୟାପୀ ପରୀକ୍ଷଣ କରାଯାଥିବା ବେଳେ ବିଭିନ୍ନ ଭୌଗୋଳିକ ସ୍ଥାନରେ ଏହାର ଫାଷ୍ଟ୍ ଚାର୍ଜିଂ ବ୍ୟବସ୍ଥାର ପରୀକ୍ଷଣ କରାଯାଇଛି । ଏକ୍ସୟୁଭି୪୦୦ରେ ଉଲ୍ଲେଖନୀୟ ତ୍ୱରଣ ଥିବା ବେଳେ ଏହା ମଲ୍‌ଟି-ମୋଡ୍ ସୁବିଧା ସୁଯୋଗ ବିପୁଳ ରୋମାଂଚ ପ୍ରଦାନ କରୁଛି । ସିଙ୍ଗଲ ପେଡାଲ ଓ ସ୍ମାର୍ଟ ଷ୍ଟିୟରିଂ ବ୍ୟବସ୍ଥା ଜରିଆରେ ଏହା ନିରବଚ୍ଛିନ୍ନ ଗାଡ଼ି ଚାଳନା ସୁବିଧା ପ୍ରଦାନ କରୁଛି । ଏକ୍ସୟୁଭି୪୦୦ ସହିତ ଆମେ ଏହା ଦେଖାଉଛୁ ଯେ ନିଜ ଜୀବନଶୈଳୀ ସହ ସାଲିସ ନକରି ଇଭି ମାଲିକାନାକୁ ଉପଭୋଗ କରିବା ସମ୍ଭ ଯାହା କୌତୁକ ଉପାୟରେ ନିରନ୍ତର ଗମନାଗମନର ଭବିଷ୍ୟତ ପ୍ରଦାନ କରିବ ।’’
ଏକ୍ସୟୁଭି୪୦୦ ମାତ୍ର ୮.୩ ସେକେଣ୍ଡ୍‌ରେ ଘଂଟା ପିଛା ୧୦୦ କିମି ବେଗରେ ଦୌଡ଼ିବାକୁ ପ୍ରସ୍ତୁତ ହୋଇଯିବ । ଏହାର ଟପ୍ ସ୍ପିଡ୍ ହେଉଛି ଘଂଟା ପିଛା ୧୫୦ କିମି । ଏଥିରେ ଧୁଳିକଣା ଓ ପାଣି ନିରୋଧର ବ୍ୟାଟେରି ପ୍ୟାକ୍ ଏବଂ ମୋଟର ରହିଛି । ୨୦୨୩ ଜାନୁଆରି ୨୬ରୁ ଏହାର ବୁକିଂ ଆରମ୍ଭ ହେବ । ୨୦୨୩ ମାର୍ଚ୍ଚ ବେଳକୁ ଏକ୍ସୟୁଭି ୪୦୦ ଇଏଲ୍‌ର ଏବଂ ଦୀପାବଳି ବେଳକୁ ଏକ୍ସୟୁଭି୪୦୦ ଇସିର ଡେଲିଭରି ଆରମ୍ଭ ହେବ । ଗ୍ରାହକମାନେ ଭୁବନେଶ୍ୱର ସମେତ ୩୪ଟି ସହରରେ ଏହାର ଟେଷ୍ଟ ଡ୍ରାଇଭ ସୁବିଧା ପାଇପାରିବେ ।

Share

Leave a Reply

Your email address will not be published. Required fields are marked *

one × 5 =