କୁନି ଧାବକ ବୁଦ୍ଧିଆଙ୍କୁ ପ୍ରଶିକ୍ଷଣ ଦେବେ ପ୍ୟାଟ୍ରିକ ସାଙ୍ଗ୍

ନୂଆଦିଲ୍ଲୀ () ଜଣାଶୁଣା କେନିଆ କୋଚ୍ ପ୍ୟାଟ୍ରିକ ସାଙ୍ଗ୍ ଓଡ଼ିଆ ବିସ୍ମୟ ଧାବକ ବୁଦ୍ଧିଆ ସିଂଙ୍କୁ ପ୍ରଶିକ୍ଷଣ ଦେବାକୁ ପ୍ରସ୍ତାବ ଦେଇଛନ୍ତି । ନିଜ ପ୍ରଶିକ୍ଷଣ ଦ୍ବାରା ସାଙ୍ଗ୍ ବିଶ୍ବରେ ଏକାଧିକ ତାରକା ଧାବକ ସୃଷ୍ଟି କରିପାରିଛନ୍ତି । ଏମାନଙ୍କ ମଧ୍ୟରୁ ସବୁଠାରୁ ଆଗରେ ରହିଛନ୍ତି କେନିଆର ଏଲିଉଡ କିପଚୋଗ୍ । ମାତ୍ର ୧୬ ବର୍ଷରେ ତାଙ୍କୁ ସାଙ୍ଗ ଚିହ୍ନଟ କରିଥିଲେ ଓ ଜଣେ ସଫଳ ମାରାଥନ ରନର ଭାବେ ବିକଶିତ କରାଇଥିଲେ । ବିଶ୍ବର ଜଣେ ଶ୍ରେଷ୍ଠ ମାରାଥନ ରନର ମାନ୍ୟତା ପାଇଥିବା ଏଲିଉଡ ଅଲିମ୍ପିକ୍ସ ସ୍ବର୍ଣ୍ଣ ଜିତବା ସହ ବିଶ୍ବର ୧୦ଟି ରେସରେ ୯ଟିରେ ବିଜୟୀ ହୋଇଥିଲେ । ତେଣୁ ସାଙ୍ଗ୍ ଭଳି ଜଣେ ବରିଷ୍ଠ ତଥା ଆନ୍ତର୍ଜାତିକ ଖ୍ୟାତି ସମ୍ପର୍ଣ୍ଣ କୋଚ୍ ବୁଦ୍ଧିଆଙ୍କୁ ପ୍ରଶିକ୍ଷଣ ପାଇଁ ପ୍ରସ୍ତାବ ଦେବା ନିଶ୍ଚିତ ଭାବେ ଏକ ଖୁସି ଖବର ।

ବୁଦ୍ଧିଆକୁ ସାହାଯ୍ୟ କରିବାକୁ ସେ ଇଚ୍ଛା ପ୍ରକାଶ କରିଛନ୍ତି । ମାତ୍ର ୬ ବର୍ଷ ବୟସରେ ବୁଦ୍ଧିଆ ୭ ଘଣ୍ଟା ୨ ମିନିଟରେ ୬୫ କି.ମି. ଦୌଡି ବିଶ୍ବରେ ହଇଚଇ ସୃଷ୍ଟି କରିଥିଲେ । ବୁଦ୍ଧିଆ ଏବେ ୧୬ ବର୍ଷରେ ପଦାର୍ପଣ କରିଛନ୍ତି । କିନ୍ତୁ ସେ ଏବେ ସାରା ଦୁନିଆ ପାଇଁ ଅଲୋଡା ଓ ଅଚିହ୍ନା ହୋଇଯାଇଛନ୍ତି । ବିନା କୋଚରେ ବୁଦ୍ଧିଆ ଏବେ ସପ୍ତାହରେ ୬ ଦିନ ଅଭ୍ୟାସ କରୁଛନ୍ତି ଓ ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ହାସଲ କରିବାକୁ ସ୍ବପ୍ନ ଦେଖୁଛନ୍ତି । ୨୦୨୪ ଅଲିମ୍ପିକ୍ସରେ ମୁଁ ଭାରତ ପାଇଁ ମାରାଥନରେ ସ୍ବର୍ଣ୍ଣ ପଦକ ଜିତିବି ବୋଲି ବୁଦ୍ଧିଆ କହିଛନ୍ତି । ବୁଦ୍ଧିଆଙ୍କ ପିଲା ବେଳର କାହାଣୀ ଶୁଣି ୫୪ ବର୍ଷୀୟ କୋଚ୍ ସାଙ୍ଗ ବେଶ୍ ପ୍ରଭାବିତ ହୋଇଛନ୍ତି । ମାତ୍ର ୬ ବର୍ଷ ବୟସରେ ବୁଦ୍ଧିଆ ମାରାଥନ ଦୌଡର ୨୫ଗୁଣରୁ ଅଧିକ ଦୂରତା ଦୌଡିଛନ୍ତି ଓ ଏହା ସାଙ୍ଗକୁ ପ୍ରଭାବିତ କରିଛି ।

ବୁଦ୍ଧିଆଙ୍କ ଭଳି ଯୁବ ଧାବକଙ୍କୁ ହ୍ୟାଣ୍ଡଲ କରିବା ନିଶ୍ଚିତ ଭାବେ ଏକ ଚ୍ୟାଲେଞ୍ଜ୍ ବୋଲି ସାଙ୍ଗ୍ କହିଛନ୍ତି । ବୁଦ୍ଧିଆଙ୍କ ଉପରେ ଅଧିକ କାର୍ଯଭାର ଦେବା ଠିକ ହେବ ନାହିଁ । ନ ହେଲେ ଇଞ୍ଜୁରି ହେବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ସାଙ୍ଗ୍ କହିଛନ୍ତି । ବୁଦ୍ଧିଆଙ୍କଠାରେ ନିଶ୍ଚିତ ଭାବେ ପ୍ରତିଭା ରହିଛି । ତେଣୁ ତାଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ଦେବାର ଆବଶ୍ୟକତା ରହିଛି ବୋଲି ବାଙ୍ଗାଲୋରରେ ଟିସିଏସର ଏକ ବିଶ୍ବ ୧୦,୦୦୦ ଇଭେଣ୍ଟ ଯୋଗ ଦେବା ଅବସରରେ ସାଙ୍ଗ କହିଛନ୍ତି ।

ଯଦି ଉପଯୁକ୍ତ ପ୍ରଶିକ୍ଷଣ ମିଳେ ତେବେ ବୁଦ୍ଧିଆ ଜଣେ ସଫଳ ମାରାଥନ ଧାବକ ହୋଇ ପାରିବେ । ପୁଣି ବୁଦ୍ଧିଆଙ୍କ ପ୍ରତିଭାକୁ ଶର୍ଟ ଡିଷ୍ଟାନ୍ସ ରନିଂରେ ପରୀକ୍ଷା କରାଯାଇ ପାରିବ । ପେସାଦାର ମାରାଥାନ ଦୌଡ ପୂର୍ବରୁ ସ୍ବଳ୍ପ ଦୂରତାରେ ବୁଦ୍ଧିଆ ଦୌଡିବା ଉପରେ ସେ ଗୁରୁତ୍ବାରୋପ କରିଛନ୍ତି । ବିଶ୍ବସ୍ତରୀୟ ମାରାଥନ ରନର ହେବାକୁ ହେଲେ ବୁଦ୍ଧିଆଙ୍କୁ ୩ରୁ ୫ ବର୍ଷ ଆବଶ୍ୟକ ହେବ ।

୨୦ ବର୍ଷ ହେବା ପରେ ବୁଦ୍ଧିଆ ୨୦୨୪ ସହିତ ୨୦୨୮ ଅଲିମ୍ପିକ୍ସରେ ମଧ୍ୟ ଭାଗ ନେଇପାରିବେ । ତେବେ ପ୍ରଥମେ ବୁଦ୍ଧିଆଙ୍କ ପ୍ରତିଭା, ଦକ୍ଷତା, କ୍ଷମତାର ପରୀକ୍ଷା ହେବା ଅବଶ୍ୟକ । ଯଦି ତାଙ୍କର ସବୁ କିଛି ଠିକ୍ ଠାକ୍ ଥାଏ ତେବେ ଏକ ପ୍ରାୟୋଜକ ଖୋଜି ବୁଦ୍ଧିଆଙ୍କୁ କେନିଆରେ ପ୍ରଶିକ୍ଷଣ ଦେବାକୁ ମୋର ଇଚ୍ଛା ରହିଛି ବୋଲି ସାଙ୍ଗ କହିଛନ୍ତି । ଉଲ୍ଲେଖଥାଉ କି, କୋଚ୍ ହେବା ପୂର୍ବରୁ ସାଙ୍ଗ ଜଣେ ବିଶ୍ବସ୍ତରୟ ମାରାଥନ ଧାବକ ଥିଲେ

Share

Leave a Reply

Your email address will not be published. Required fields are marked *

eighteen + 6 =