କେନ୍ଦ୍ରୀୟ ଆର୍ଥିକ ଦୁରବସ୍ଥା ଉପରେ ଅପରାଜିତା ନୀରବ କାହିଁକି ?

ଭୁବନେଶ୍ୱର () ପ୍ରଶାସକରୁ ରାଜନେତା ସାଜିଥିବା ଅଣଓଡ଼ିଆ ଆଇଏଏସ ଅଫିସର ଅପରାଜିତା ଷଢଙ୍ଗୀ ରାଜ୍ୟର ଅର୍ଥନୈତିକ ସ୍ଥିତି ଉପରେ ପ୍ରଶ୍ନ ଉଠାଇ ଅଠାକାଠିରେ ପଡିଯାଇଛି । ରାଜ୍ୟ ଅର୍ଥନୀତି ଉପରେ ଅଙ୍ଗୁଳି ଉଠାଉଥିବା ଅପରାଜିତା କେନ୍ଦ୍ରୀୟ ଅର୍ଥନୀତି ଉପରେ କିନ୍ତୁ ମୁହଁ ଖୋଲୁନାହାନ୍ତି । ଗତ ସାଢ଼େ 4 ବର୍ଷ ମଧ୍ୟରେ କେନ୍ଦ୍ରର ମୋଦି ସରକାର ଅମଳରେ ଦେଶର ଋଣ ଭାର 49 ପ୍ରତିଶତ ବଢି 82 ଲକ୍ଷ କୋଟି ଟଙ୍କାରୁ ଅଧିକ ହୋଇଛି ।

ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ପ୍ରଶ୍ନ କରିଛନ୍ତି, କେନ୍ଦ୍ରର ଋଣ ଭାର 82 ଲକ୍ଷ 3 ହଜାର 253 କୋଟି ଟଙ୍କା ସମ୍ପର୍କରେ ଅପରାଜିତା କାହିଁକି ମୁହଁ ବନ୍ଦ ରଖିଛନ୍ତି । ଅପରାଜିତା ନିଜକୁ ଜଣେ ସଚ୍ଚୋଟ ନେତା ବୋଲି ଦାବି କରୁଥିବା ଏହି ବିଜେପି ନେତ୍ରୀ କାହିଁକି କେନ୍ଦ୍ରର ଅର୍ଥନୈତିକ ଦୁରବସ୍ଥା ସମ୍ପର୍କରେ ନୀରବ ବୋଲି ସେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ।

ଜାତୀୟ ଅର୍ଥନୀତି ଓ ଋଣଭାର ସମ୍ପର୍କିତ ଅଷ୍ଟମ ରିପୋର୍ଟରେ ଜୁନ 2014ରେ ଦେଶର ଋଣ ବୋଝ 54 ଲକ୍ଷ 90 ହଜାର 763 କୋଟି ଥିବା ବେଳେ 2018 ସେପ୍ଟେମ୍ବର ବେଳକୁ ଋଣଭାର 82 ଲକ୍ଷ 3ହଜାର 253 କୋଟି ଟଙ୍କାରେ ପହଞ୍ଚିଥିଲା  । ସେ ମଧ୍ୟରେ ସାଧାରଣ ବ୍ୟବହାର ଉପଯୋଗୀ ଋଣରେ 51.7 ପ୍ରତିଶତ ଅଭିବୃଦ୍ଧି ହୋଇ 48 ଲକ୍ଷ କୋଟିରୁ 73 ଲକ୍ଷ କୋଟିରେ ପହଞ୍ଚିଥିଲା । ସେହିଭଳି ଆଭ୍ୟନ୍ତରୀଣ ଋଣ ବୋଝରେ 54 ପ୍ରତିଶତ ବୃଦ୍ଧି ହୋଇ 68 ଲକ୍ଷ କୋଟି ଛୁଇଁଥିଲା ।

ଖୋଲା ବଜାରରୁ ଋଣ ଉପରେ ଅଧିକ ନିର୍ଭର ଯୋଗୁ ଏଥିରେ 47.5 ପ୍ରତିଶତ ବୃଦ୍ଧି ଘଟି 52 ଲକ୍ଷ କୋଟିରେ ଏହି ସାଢ଼େ ଚାରି ବର୍ଷ ମଧ୍ୟରେ ପହଂଚିଛି । ସୁନା ବନ୍ଧକ ରଖି ଋଣ ଗ୍ରହଣ 2014 ଜୁନରେ ଶୁନ୍ୟ ଥିବା ବେଳେ ଏବେ ଏହା 9,089 କୋଟି ଛୁଇଁଛି । ଋଣ ବୋଝ ଏତେ ବଢିଛି ଯେ ବିତ୍ତୀୟ ନିଅଣ୍ଟରୁ ମଧ୍ୟ ତାର ଭରଣା ହୋଇପାରିବନି । ଚଳିତ ଆର୍ଥିକ ବର୍ଷରେ 6.24 ଲକ୍ଷ କୋଟି ଟଙ୍କାର ବିତ୍ତୀୟ ନିଅଣ୍ଟ ହେବ ବୋଲି ଆକଳନ କରାଯାଉଥିବା ବେଳେ ନଭେମ୍ବର ସୁଦ୍ଧା ବିତ୍ତୀୟ ନିଅଣ୍ଟରେ 114.8 ପ୍ରତିଶତ ବୃଦ୍ଧି ହୋଇଛି ।

ରାଜ୍ୟର ଋଣ ବୋଝକୁ ନେଇ ଉଦବେଗ ପ୍ରକାଶ କରୁଥିବା ଅପରାଜିତା କେନ୍ଦ୍ରୀୟ ଅର୍ଥନୀତ ଅଧୋଗତି ସମ୍ପର୍କରେ କିନ୍ତୁ ନିରୁତ୍ତର ରହୁଛନ୍ତି । ଅର୍ଥନୈତିକ ସମୀକ୍ଷକଙ୍କ ମତରେ ରାଜ୍ୟ ସରକାରଙ୍କ ଋଣ ମୋଟ ଘରୋଇ ଉତ୍ପାଦର 15 ପ୍ରତିଶତ ମଧ୍ୟରେ ସୀମିତ । ସର୍ବୋପରି ବିକାଶ କାର୍ଯ୍ୟ ପାଇଁ ହେଉଥିବା ଋଣ ପରବର୍ତ୍ତୀ ସମୟରେ ରାଜ୍ୟର ଅଭିବୃଦ୍ଧିରେ ସହାୟକ ହୋଇଥାଏ । କାଳିଆ ଯୋଜନା ରାଜ୍ୟର ବିକାଶ ଧାରାକୁ ସହଯୋଗ କରିବ ବୋଲି ଅର୍ଥନୀତି ବିଶେଷଜ୍ଞମାନେ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

1 × five =