ଟିପି ଓଡ଼ିଶା ଡିସ୍‌କମ୍ ପକ୍ଷରୁ ଓଡ଼ିଶା ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି, ଏ ପର୍ଯ୍ୟନ୍ତ ସାରା ରାଜ୍ୟରୁ ୫୩,୦୦୦ରୁ ଅଧିକ ଯୁବପିଢ଼ି ପାଇସାରିଛନ୍ତି ନିଯୁକ୍ତି

ଭୁବନେଶ୍ୱର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ଓଡ଼ିଶା ଡିସ୍‌କମ୍‌ଗୁଡ଼ିକ ରାଜ୍ୟରେ ବିଦ୍ୟୁତ ବଂଟନ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ଚାରିଟି ଡିସକମ୍ ପକ୍ଷରୁ ୫୩,୦୦୦ରୁ ଅଧିକ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ପ୍ରଦାନ କରାଯାଇଛି । ସାରା ରାଜ୍ୟରେ ଭରସାଯୋଗ୍ୟ ଓ ଗୁଣାତ୍ମକ ବିଦ୍ୟୁତ ଯୋଗାଣକୁ ସୁନିଶ୍ଚିତ କରିବା ଲାଗି ଓଡ଼ିଶାର ଯୁବପିଢ଼ିଙ୍କୁ ଏହି ଡିସ୍‌କମ୍‌ଗୁଡ଼ିକ ସଶକ୍ତ କରିଛନ୍ତି ।
ସ୍ଥାନୀୟ ପ୍ରତିଭାଙ୍କୁ ସମୃଦ୍ଧ କରିବା ଲାଗି କଂପାନି ପ୍ରତିବଦ୍ଧ ରହିଛି ଏବଂ ଓଡ଼ିଶାର ଲୋକଙ୍କୁ ବହୁ ସଂଖ୍ୟାରେ ନିଯୁକ୍ତି ପ୍ରଦାନ କରିଛି । ପ୍ରତ୍ୟକ୍ଷ ନିଯୁକ୍ତି କାର୍ଯ୍ୟକ୍ରମ ବ୍ୟତୀତ ରାଜ୍ୟରେ ଟାଟା ପାୱାରର ଉପସ୍ଥିତି ଯୋଗାଣକାରୀଙ୍କଠାରୁ ଆରମ୍ଭ କରି ସେବା ପ୍ରଦାନକାରୀ, ଠିକାଦାର ଏବଂ ସହାୟକ ସେବା ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ବହୁ ସଂଖ୍ୟାରେ ପରୋକ୍ଷ ନିଯୁକ୍ତି ସୃଷ୍ଟିରେ ସହାୟକ ହୋଇଛି ଯାହା ଫଳରେ ସ୍ଥାନୀୟ ଅର୍ଥନୀତି ସମୃଦ୍ଧ ହୋଇପାରିଛି ।
କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡଷ୍ଟ୍ରିଆଲ୍ ଟେକ୍ନୋଲୋଜି (କିଟ୍‌), ଇନ୍ଦିରା ଗାନ୍ଧୀ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଜିଆଇଟି), ସିଲିକନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଏସ୍‌ଆଇଟି), ଭୁବନାନନ୍ଦ ଓଡ଼ିଶା ସ୍କୁଲ ଅଫ୍ ଇଞ୍ଜିନିୟରିଂ (ବୋସ୍‌), ବୈଷୟିକ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ (ଆଇଟିଇଆର୍‌) ଏବଂ ବିଶ୍ୱ ଦକ୍ଷତା କେନ୍ଦ୍ର (ଡବ୍ଲ୍ୟୁଏସ୍‌ସି) ଭଳି ପ୍ରତିଷ୍ଠିତ ଅନୁଷ୍ଠାନସହ ବିଭିନ୍ନ ରଣନୈତିକ ନିବେଶ, ଭାଗିଦାରୀ ଏବଂ ସହଯୋଗ ମାଧ୍ୟମରେ କମ୍ପାନି ଓଡ଼ିଶାର ସାମାଜିକ-ଅର୍ଥନୈତିକ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ବେଳେ ରାଜ୍ୟରେ ଜୀବନଜୀବିକା ସୁଯୋଗ ପ୍ରଦାନ କରିଛି ଯାହା ଫଳରେ ସ୍ଥାନୀୟ ଲୋକମାନେ ନିଜ ଅଂଚଳରେ କର୍ମସଂସ୍ଥାନ ପାଇପାରିଛନ୍ତି ।ଯୁବପିଢ଼ିଙ୍କୁ ସମୃଦ୍ଧ କରି, ସେମାନଙ୍କୁ ଆବଶ୍ୟକ ଦକ୍ଷତା ପ୍ରଦାନ କରି ନିଯୁକ୍ତି ଲାଗି ସକ୍ଷମ କରିବା ସହ ମେକ୍ ଇନ୍ ଓଡ଼ିଶା ଲକ୍ଷ୍ୟକୁ ସହାୟତା ପ୍ରଦାନ କରି ଓଡ଼ିଶାକୁ ଏକ ସେବା ଅର୍ଥନୀତିରେ ପରିଣତ କରିବା ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଦିଗରେ କଂପାନି କାର୍ଯ୍ୟ କରୁଛି ।
ଦକ୍ଷ, ଟେକ୍ନିସିଆନ ଓ ଅନ୍ୟାନ୍ୟ କର୍ମଚାରୀଙ୍କୁ ନିଯୁକ୍ତି ଦେଇ ଓଡ଼ିଶାର ଶ୍ରମଶକ୍ତିରେ ଟାଟା ପାୱାର ଉଲ୍ଲେଖନୀୟ ବିସ୍ତାର କରିପାରିଛି । ପରିଚାଳନା, ସୁରକ୍ଷା, ବୈଷୟିକ ଓ ପ୍ରଶାସନିକ ଭୂମିକାଠାରୁ ଆରମ୍ଭ କରି ମହିଳାମାନଙ୍କ ଦ୍ୱାରା ମିଟର ପରୀକ୍ଷଣ ଲ୍ୟାବ, ବିଦ୍ୟୁତ ବ୍ୟବସ୍ଥା ନିୟନ୍ତ୍ରଣ କେନ୍ଦ୍ର, ଆଇଟି, ଫାଇନାନ୍ସ ଓ ସତର୍କତା ଆଦିର ପରିଚାଳନା ପର୍ଯ୍ୟନ୍ତ ବିଭିନ୍ନ ଭୂମିକାରେ ସେମାନେ କାର୍ଯ୍ୟ କରୁଛନ୍ତି ।
ଡିସ୍‌କମ୍‌ଗୁଡ଼ିକ ବିଭିନ୍ନ ପ୍ରକାର ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଓ ଅଭିଯାନ ସହିତ ଯୋଡ଼ିହୋଇ ସ୍ଥାନୀୟ ଗୋଷ୍ଠୀ ସମୁଦାୟକୁ ବ୍ୟାପକ ତାଲିମ ଓ ଦକ୍ଷତା ପ୍ରଦାନ କରୁଛନ୍ତି । ଲୋକମାନଙ୍କ ନିଯୁକ୍ତି ପାଇବାର କ୍ଷମତା ବଢ଼ାଇବା ଏବଂ ସେମାନଙ୍କୁ ବିବିଧ ଶିଳ୍ପ ଆବଶ୍ୟକ କରୁଥିବା ଦକ୍ଷତା ପ୍ରଦାନ କରି ସଶକ୍ତ କରିବା ଲାଗି ଏହି କାର୍ଯ୍ୟକ୍ରମଗୁଡ଼ିକୁ ବେଶ ଭାବିଚିନ୍ତି ପ୍ରସ୍ତୁତ କରାଯାଇଛି ।
ଏ ସମ୍ପର୍କରେ ଟାଟା ପାୱାରର ସଭାପତି-ଟିଆଣ୍ଡ୍‌ଡି ଶ୍ରୀ ସଂଜୟ ବାଙ୍ଗା କହିଛନ୍ତି ଯେ, “ଓଡ଼ିଶାର ନିର୍ମାଣକାରୀ’-ସ୍ଥାନୀୟ ଯୁବପିଢ଼ିଙ୍କୁ ଦୀର୍ଘସ୍ଥାୟୀ ନିଯୁକ୍ତି ସୁଯୋଗ ପ୍ରଦାନ କରି ଟାଟା ପାୱାର ଓଡ଼ିଶା ଡିସକମ୍‌ଗୁଡ଼ିକ ଗର୍ବିତ । ରାଜ୍ୟରେ ପ୍ରତିଭାବାନଙ୍କ ଏକ ଦଳକୁ ସମୃଦ୍ଧ କରିବା ଲାଗି ଆମେ ପ୍ରତିବଦ୍ଧ ରହିଛୁ ଏବଂ ଆମର ବିଶ୍ୱାସ ରହିଛି ଯେ ଏହି ଯୁବପିଢ଼ି ଓଡ଼ିଶାର ସାମାଜିକ-ଅର୍ଥନୈତିକ ବିକାଶ ପ୍ରତି ଉଲ୍ଲେଖନୀୟ ଯୋଗଦାନ ପ୍ରଦାନ କରିପାରିବେ । ଆମର ଶ୍ରେଷ୍ଠ ମାନର ଶିକ୍ଷଣୀୟ ଓ ବିକାଶ ଅଭିଯାନ ଜରିଆରେ ସଠିକ ଦକ୍ଷତା ପ୍ରଦାନ କରି ଆମେ ସେମାନଙ୍କୁ ଭବିଷ୍ୟତ ଲାଗି ପ୍ରସ୍ତୁତ କରୁଛୁ ।’’
ସାରା ଦେଶରେ ଟାଟା ପାୱାରର ଦୃଢ଼ ଶ୍ରମ ଶକ୍ତି ରହିଥିବା ବେଳେ ଓଡ଼ିଶାର ଚାରିଟି ଡିସକମ୍ ଟିପି ସେଂଟ୍ରାଲ, ଟିପି ସଦର୍ଣ୍ଣ, ଟିପି ନର୍ଦନ ଓ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ ଦ୍ୱାରା ପ୍ରତ୍ୟକ୍ଷ ଭାବେ ୧୪,୦୦୦ କର୍ମଚାରୀ ନିୟୋଜିତ ହୋଇଛନ୍ତି ।

Share

Leave a Reply

Your email address will not be published. Required fields are marked *

3 × one =