ସରକାରଙ୍କୁ ଅଡୁଆ ହେଲାଣି ରାଜ୍ୟ ରାଜଧାନୀ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କୁ ଅଡୁଆ ହେଲାଣି ରାଜ୍ୟ ରାଜଧାନୀ । କରୋନାର କହର ହେଉ କିମ୍ବା ଡେଙ୍ଗୁ ସଂକ୍ରମଣ ଅଥବା ବାଟବଣା ସାଇକେଲ ଯୋଜନା, ରାଜଧାନୀରେ ଅଧିକାଂଶ ସମସ୍ୟା ବେକାକୁ ହେଉଥିବାରୁ ବିରୋଧିଦଳ ସରକାରଙ୍କୁ ଘେରିବାକୁ ସୁଯୋଗ ପାଇଯାଉଛନ୍ତି । ଏହା ଫଳରେ ସରକାରଙ୍କ ବହୁ ସଫଳତା ଉପରେ ରାଜଧାନୀର ଏସବୁ ବିଫଳତା ଏକ ପ୍ରକାର ପାଣି ପକାଇ ଦେଉଥିବା ନେଇ ରାଜନୈତିକ ମହଲରେ ଆଲୋଚନା ହେଉଛି ।

ସାରା ରାଜ୍ୟରେ କରୋନା ନିୟନ୍ତ୍ରଣକୁ ଆସୁଥିବାବେଳେ ରାଜଧାନୀରେ କିନ୍ତୁ ବେକାବୁ । ଯେତେ ଯାହା କଲେ ବି କମୁନାହିଁ । ସଟଡାଉନ୍‌, ଲକଡାଉନ୍‌, ରାତି କଟକଣା କିଛି ବି କାମ ଦେଉନି । ଲୋକେ ଯେତିକି ବେଫିକର ପ୍ରଶାସନ ବି ସେତିକି କୋହଳ । ବିଏମସି କେବଳ ଚଢଉ ଓ ଜୋରିମାନା ଆଦାୟରେ ବ୍ୟସ୍ତ ଥିବାବେଳେ ପୁଲିସ୍ ପ୍ରଶାସନ ଏକ ପ୍ରକାର ହାତଟେକି ଦେଲାଣି । ଅମାନିଆଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାପାଇଁ ସତେ ଯେମିତି ପୁଲିସର ହାତ ଥରୁଛି । ସ୍ମାର୍ଟସିଟର ଏଭଳି ଦୟନୀତି ସ୍ଥିତି ଏବେ ସାରା ଦେଶରେ ଚର୍ଚ୍ଚାରେ ।

ରାଜଧାନୀରେ ନୂଆ ସମସ୍ୟା ହୋଇଛି ଡେଙ୍ଗୁ । ଗୋଟିଏ ଅଞ୍ଚଳରୁ ଆଉଗୋଟିଏ ଅଞ୍ଚଳକୁ ଡେଇଁବାରେ ଲାଗିଛି । ବିଏମସିକୁ ଡେଙ୍ଗୁ ମଶାମାନେ ଖାତିର କରୁନାହାନ୍ତି । ବିଏମସି କର୍ତ୍ତୃପକ୍ଷ କେତେବେଳେ ଡେଙ୍ଗୁ ପାଇଁ ବନ୍ଦ ପାର୍କକୁ ଦୋଷ ଦେଉଛନ୍ତି ତ ଆଉ କେତେବେଳେ ବସ୍ତି ଅଞ୍ଚଳକୁ । ହେଲେ ମଶା ନିୟନ୍ତ୍ରଣ କରିବାରେ ଯେ ବିଏମସି ବିଫଳ ହୋଇଛି ତାହା ସାଧାରଣରେ ଆଲୋଚନା ହୋଇଛି । ରାଜଧାନୀବାସୀ ଏବେ କରୋନା ଠାରୁ ଡେଙ୍ଗୁକୁ ଅଧିକ ଭୟ କରିବାରେ ଲାଗିଛନ୍ତି । ଖୋଦ୍ ବିଏମସି ଦପ୍ତରର କେଇହାତ ଦୂର ବିଜେବିନଗର ଏବେ ଡେଙ୍ଗୁ ପ୍ରଜନନ କେନ୍ଦ୍ର ପାଲଟିଛି ।

ତୃତୀୟ ସମସ୍ୟା ହେଉଛି ଜଳବନ୍ଦୀ । ବର୍ଷା ଋତୁ ପୂର୍ବରୁ ନଗରର ଉନ୍ନୟନ ବିଭାଗର ନାନା ଉପଦେଶ ସତେ ଯେମିତି ବର୍ଷାପାଣିରେ ଧୋଇହୋଇ ଯାଇଛି । ନଗର ଉନ୍ନୟନ ବିଭାଗ ଓ ବିଏମସି ମିଳିତ ଭାବେ ସହରର ବର୍ଷାପାଣିକୁ ନିୟନ୍ତ୍ରଣ କରିପାରୁ ନାହାନ୍ତି । ବର୍ଷୠତୁ ପୂର୍ବରୁ ବିଭିନ୍ନ ସ୍ଥାନରେ ଜଳ ନିଷ୍କାସନ ପାଇଁ ପମ୍ପସେଟ୍ ରଖି ଗଣମାଧ୍ୟମକୁ ଫଟୋ ଛାଡିଥିବା ବିଏମ୍‍ସି କିଭଳି ଜଳ ନିଷ୍କାସନ କରୁଛି ତାହା ଲୋକେ ଇସ୍ପନ ମନ୍ଦିର ନିକଟରେ ବାରମ୍ବାର ଦେଖୁଛନ୍ତି । ରାଜଧାନୀରେ ବଡ ବଡ କାର ଓ ମୋଟର ସାଇକେଲ ବି ବର୍ଷାରେ ଭାସିବା ଆରମ୍ଭ ହେଲାଣି । ଅବସ୍ଥା ଏଭଳି ହୋଇଛି ଯେ କଂଗ୍ରେସ ନେତାମାନେ ଲୋକସେବା ଭବନ ନିକଟରେ ରାସ୍ତାରେ ଡଙ୍ଗାରଖି ସରକାରଙ୍କୁ ସମାଲୋଚନା କରିବା ଆରମ୍ଭ କରିଦେଇଛନ୍ତି ।

ସେହିଭଳି ସରକାରଙ୍କ ତଣ୍ଟିରେ ଲାଗିଥିବା ଆଉଗୋଟିଏ କଣ୍ଟା ହେଉଛି ମୋ ସାଇକେଲ । ରାସ୍ତା ଚାଲିବାପାଇଁ କୋଟି କୋଟି ଟଙ୍କାରେ କିଣାଯାଇଥିବା ମୋ ସାଇକେଲ ଏବେ କବାଡିଖାନାରେ ଖଣ୍ଡ ଖଣ୍ଡ ହୋଇ କଟା ହେଉଛି । ଏହି ଘଟଣାରେ ବିଜେପି ସରକାରଙ୍କୁ ବାରମ୍ବାର ଆକ୍ରମଣ କରୁଥିବାବେଳେ ଏହାର ମୁକାବିଲା କରାଯାଇ ପାରୁନାହିଁ । ସ୍କାର୍ଟସିଟି କର୍ତ୍ତୃପକ୍ଷ ଏ ନେଇ ସେଭଳି କିଛି ପଦକ୍ଷେପ ନେଇପାରୁ ନାହାନ୍ତି । ଏହିସବୁ ଘଟଣା ବିରୋଧିଙ୍କ ହାତରେ ଗୋଟିଏ ଗୋଟିଏ ଲଡୁ ଭଳି ପଡି ଯାଇଥିବାବେଳେ ତାହାର ସଦୁପଯୋଗ କରିବାକୁ ସେମାନେ ପଛାଉ ନାହାନ୍ତି । ଫଳରେ ସରକାରଙ୍କର ବହୁ ସଫଳତା ଉପରେ ଏଭଳି ଘଟଣା ପରଦା ଢାଙ୍କି ଦେଉଥିବା ଦେଖିବାକୁ ମିଳୁଛି ।

Share

Leave a Reply

Your email address will not be published. Required fields are marked *

1 + three =