ଓଡ଼ିଶା ସାବତ ପୁଅ !

ଭୁବନେଶ୍ବର () ଓଡ଼ିଶାର ସୁବିଧା ଅସୁବିଧା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରମ୍ବାର ବିଜେପି ନେତୃତ୍ବାଧୀନ ଏନ୍‍ଡିଏ ମେଣ୍ଟକୁ ଜଣାଇବା ସହ ରାଜ୍ୟର ଆର୍ଥିକ ବିକାଶ ଓ ପ୍ରଗତିକୁ ତ୍ବରାନ୍ବିତ କରିବା ଲାଗି ଉଦ୍ୟମ ବଳବତ୍ତର ରଖିଥିଲେ ହେଁ କେନ୍ଦ୍ରର ବିଜେପି ସରକାର କିଛି ମଧ୍ୟ ଶୁଣିବାକୁ ନାରାଜ କାହିଁକି?

ସାମଗ୍ରିକ ଭାବେ ଦେଶର ଆର୍ଥିକ ବିକାଶ ଲାଗି ପ୍ରତି ରାଜ୍ୟର ଉନ୍ନତି ହେବା ଜରୁରୀ ଥିଲେ ହେଁ ତାହା କେନ୍ଦ୍ରର ବିଜେପି ସରକାର ଓଡ଼ିଶାରେ କରାଇ ଦେଉନାହାନ୍ତି । ଏପରିକି ଇ-ବସ୍‍ ଯୋଜନା କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାର ଉତ୍ସୁକ ଥିଲେ ହେଁ ତାହା କରାଇ ଦିଆଗଲା ନାହିଁ । ଓଡ଼ିଶାରେ ୫୨ଟି ଇ-ବସ୍‍ ଚଳାଚଳ ପାଇଁ ପଦକ୍ଷେପ ନେବାକୁ ଓଏସ୍‍ଆର୍‍ଟିସି ପ୍ରସ୍ତାବ ପଠାଇଥିଲା ବେଳେ ଏଥିଲାଗି ୧୩ଟି ରୁଟ୍‍ ଚିହ୍ନଟ କରାଯାଇଥିଲା । ଦୀର୍ଘ ୭ମାସ ଧରି ଏ ପ୍ରସ୍ତାବ ସଂପର୍କରେ କେନ୍ଦ୍ର ଭାରି ଶିଳ୍ପ ମନ୍ତ୍ରାଳୟ ପାଟିରେ ତୁଣ୍ଡି ବାନ୍ଧି ବସିଛି ।

ଏପରିକି ପ୍ରଥମ ପର୍ଯ୍ୟାୟ ଚୟନ ତାଲିକାରେ ଦିଲ୍ଲୀ, ବାଙ୍ଗାଲୋର, ଇନ୍ଦୋର ଓ ଗୌହାଟୀ ସମେତ ଦେଶରେ ଥିବା ଆଉ କେତେକ ସହରକୁ ଇ-ବସ୍‍ କିଣିବା ଲାଗି କେନ୍ଦ୍ର ପକ୍ଷରୁ ପ୍ରୋତ୍ସାହନ ସ୍ବରୂପ ଅନୁଦାନ ମଞ୍ଜୁର କରାଯାଇଥିବା ବେଳେ ଓଡ଼ିଶାକୁ ଗୋଟିଏ ଟଙ୍କା ମଧ୍ୟ ଏ ବାବଦ ମିଳିନାହିଁ । ଓଡ଼ିଶା ସରକାର ୫୨ଟି ଇ-ବସ୍‍ ଚଳାଇବାକୁ ଯେଉଁସବୁ ରୁଟ୍‍ ଚିହ୍ନଟ କରିଥିଲେ, ସେଥିରେ ସାମଗ୍ରିକ ଭାବେ ରାଜ୍ୟ ବିକାଶର ଲକ୍ଷ୍ୟ ରଖିଥିଲେ । କିନ୍ତୁ ରାଜ୍ୟ ସରକାର ଲେଖିଥିବା ପତ୍ରର ଉତ୍ତର ଅଦ୍ୟାବଧି କେନ୍ଦ୍ର ସରକାରନଦେବା କ୍ଷୋଭଦାୟକ । ବିଜେପି ନେତାମାନଙ୍କ ରୁଗ୍‍ଣ ମାନସିକତାର ଏହା ଏକ ଜ୍ବଳନ୍ତ ନିଦର୍ଶନ ।

ଓଡ଼ିଶାକୁ ସାବତ ପୁଅ ଭଳି କେନ୍ଦ୍ର ଦେଖିବା ଏବଂ ଇ-ବସ୍‍କୁ ନଦେବା ଜଣାଇଦେଉଛି ଯେ ବିଜେପି ସରକାର ଓଡ଼ିଶାକୁ ଅନ୍ୟ ରାଜ୍ୟଗୁଡିକ ସହ ତୁଳନାତ୍ମକ ଢଙ୍ଗରେ ବିଚାର କରି ନାହାନ୍ତି, ବରଂ ଓଡ଼ିଶାର ପ୍ରସ୍ତାବକୁ ଅଣଦେଖା କରିଛନ୍ତି । ଏହା ନିନ୍ଦନୀୟ ଏବଂ ଆଦୌ କୌଣସି ପରିସ୍ଥିତିରେ ଗ୍ରହଣୀୟ ନୁହେଁ ବୋଲି ବିଜେଡି ରାଜ୍ୟ ସଂପାଦକ ବିଜୟ ନାୟକ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

seventeen + fourteen =