୮.୨୪ ଲକ୍ଷ କୋଟି ଟଙ୍କାର ପ୍ରସ୍ତାବ

ଭୁବନେଶ୍ୱର,୯ା୧(ସ୍ୱା.ପ୍ର.): ପଞ୍ଚଦଶ ଅର୍ଥ କମିଶନ ନିକଟରେ ରାଜ୍ୟ ସରକାର ମୋଟ ୮ ଲକ୍ଷ ୨୪ ହଜାର ୬୪୪ କୋଟି ଟଙ୍କାର ସହାୟତା ପ୍ରସ୍ତାବ ଦେଇଛନ୍ତି । ଚଳିତ ବର୍ଷ ଶେଷ ସୁଦ୍ଧା କମିଶନ ତାଙ୍କ ରିପୋର୍ଟ ଦାଖଲ କରିବେ । ୨୦୨୦ ଏପ୍ରିଲ୍ ପହିଲାରୁ କମିଶନଙ୍କ ରିପୋର୍ଟ କାର୍ଯ୍ୟକାରୀ ହେବ । ତଦନୁଯାୟୀ ରାଜ୍ୟମାନଙ୍କୁ ବିଭିନ୍ନ ଯୋଜନାରେ ସହାୟତା ଓ ଟିକସର ଅଂଶ ମିଳିବ । ୨୦୨୦ରୁ ୨୦୨୫ ଏହି ୫ ବର୍ଷରେ ରାଜ୍ୟ ସରକାର ୬ ଲକ୍ଷ ୭୧ ହଜାର ୩୬୫ କୋଟି ଟଙ୍କା ରାଜସ୍ୱ କ୍ଷତି ହେବ ବୋଲି ଆକଳନ କରି ବିଭିନ୍ନ କେନ୍ଦ୍ରୀୟ ଯୋଜନା ଓ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନାରେ ସହାୟତା ଦାବି କରିଛନ୍ତି ।

ରାଜ୍ୟ ସରକାର ଦୀର୍ଘ ବର୍ଷ ଧରି ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦାବି କରୁଥିଲେ ବି ତାହାକୁ କେନ୍ଦ୍ର ଅଗ୍ରାହ୍ୟ କରିଦେଉଛନ୍ତି । ନିକଟରେ ସ୍ୱତନ୍ତ୍ର ପାହ୍ୟା ରାଜ୍ୟକୁ ଉତ୍ତର-ପୂର୍ବ ଓ ପଶ୍ଚିମ ହିମାଳୟ ରାଜ୍ୟ ଯୋଜନା ନାମରେ ନାମିତ କରାଯାଇଛି । ଏହି ଦୃଷ୍ଟିରୁ ବିଭିନ୍ନ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନାରେ ରାଜ୍ୟକୁ ଉତ୍ତର-ପୂର୍ବ ଓ ପଶ୍ଚିମ ହିମାଳୟ ରାଜ୍ୟ ଯୋଜନା ଢାଞ୍ଚାରେ ୯୦ ପ୍ରତିଶତ କେନ୍ଦ୍ରୀୟ ସହାୟତା ପାଇଁ ଦାବି କରିଛି ରାଜ୍ୟ । ରାଜ୍ୟର ଆବଶ୍ୟକତା ଅନୁଯାୟୀ ଏହି ୫ ବର୍ଷରେ ୮୭,୫୨୦ କୋଟି ଟଙ୍କା ଦାବି ରଖାଯାଇଛି । ବିପର୍ଯ୍ୟୟ ମୁକାବିଲା ପାଇଁ ୧୧,୮୭୫ କୋଟି ଏବଂ ବିଭିନ୍ନ ପୌରାଞ୍ଚଳଗୁଡିକୁ କେନ୍ଦ୍ରୀୟ ଅନୁଦାନ ବାବଦରେ ୫୩,୮୮୪ କୋଟି ଟଙ୍କାର ସହାୟତା ଦାବି କରାଯାଇଛି ।

ରାଜ୍ୟ ଆବଶ୍ୟକତା ଅନୁଯାୟୀ ଦାବି କରାଯାଇଥିବା କେନ୍ଦ୍ରୀୟ ସହାୟତା ବିଶେଷ କରି ସାର୍ବଜନୀନ ପାଇପ୍ ଯୋଜେ ଜଳଯୋଗାଣ, ବନ୍ୟା ପରିଚାଳନା, ଆଶ୍ରମ ସ୍କୁଲକୁ ହାଇସ୍କୁଲରେ ରୂପାନ୍ତରିତ, ସ୍ୱାସ୍ଥ୍ୟ ଭିତ୍ତିଭୂମିର ଉନ୍ନତିକରଣ, ପୋଲିସ ଜେଲ୍ ଓ ଅଗ୍ନିସେବାର ଆଧୁନିକୀକରଣ, ରାଜ୍ୟରେ ସବୁଜବଳୟ ସୃଷ୍ଟି କରାଯିବା, ଦକ୍ଷତା ବିକାଶ, ମାଓ ପ୍ରବଣ ଅଞ୍ଚଳରେ ଭିତ୍ତିଭୂମିର ବିକାଶ, ଶ୍ରୀଜଗନ୍ନାଥ ମନ୍ଦିର ଓ ଏହାର ଆଖପାଖ ଅଞ୍ଚଳରେ ପର୍ଯ୍ୟଟକଙ୍କ ପାଇଁ ବିଶ୍ୱସ୍ତରୀୟସୁବିଧା କରିବାକୁ କେନ୍ଦ୍ରୀୟ ସହାୟତା ଦାବି କରାଯାଇଛି । ଏଥିସହିତ ଏସ୍ଡିଆରଏଫ୍ ପାଣ୍ଠିର ଭାର ସମ୍ପୂର୍ଣ୍ଣ ଭାବେ କେନ୍ଦ୍ର ସରକାର ବହନ କରିବାକୁ ରାଜ୍ୟ ଦାବି କରିଛି । ବିଭିନ୍ନ ବିପର୍ଯ୍ୟୟ ପ୍ରଶମନ ପ୍ରକଳ୍ପ ପାଇଁ ମଧ୍ୟ ୨୫,୭୫୨ କୋଟି ଟଙ୍କା ଦାବି କରାଯାଇଛି ।

Share

Leave a Reply

Your email address will not be published. Required fields are marked *

7 + seventeen =