ବାରାଣାସୀ ଢାଞ୍ଚାରେ ବିକଶିତ ହେବ ଶ୍ରୀମନ୍ଦିର ଚତୁର୍ପାର୍ଶ୍ବ

ଦେବାଳିଆ ସ୍ଥିତିରୁ ମୁକ୍ତ ହେବ ଓଏସଆରଟିସି

ଘରୋଇ ବନ୍ଦର ବିକାଶ ପାଇଁ ମାରିଟାଇମ ବୋର୍ଡ଼

ଭୁବନେଶ୍ବର (): ବାରାଣାସୀ ଢାଞ୍ଚାରେ ପୁରୀ ଶ୍ରୀମନ୍ଦିର ଚତୁର୍ପାଶ୍ବର ଉନ୍ନତି କରାଯିବ । ଭକ୍ତ ଓ ଯାତ୍ରୀଙ୍କ ସୁବିଧା ପାଇଁ ଶ୍ରୀମନ୍ଦିର ଚାରିପଟୁ 75 ମିଟର ନିର୍ମାଣକୁ ଖାଲି କରାଯିବ । ଏଥିପାଇଁ କ୍ଷତିପୂରଣ ପ୍ରଦାନ କରାଯିବ। କ୍ଷତିପୂରଣ ବାବଦରେ କେତେଲୋକ ପ୍ରଭାବିତ ହେବା ସହ ଘରୋଇ ସମ୍ପତ୍ତି, ସରକାରୀ ଅନୁଷ୍ଠାନ, ଦୋକାନ ଗୃହ ଉଚ୍ଛେଦ କରାଯିବ ସେସବୁକୁ ଆକଳନ କରିବା ପାଇଁ ପୁରୀ ଜିଲ୍ଲାପାଳଙ୍କୁ କ୍ଷମତା ପ୍ରଦାନ କରାଗଲା । ଶ୍ରୀଜଗନ୍ନାଥ ମନ୍ଦିର ସଂସ୍କାର ପାଇଁ ଜଷ୍ଟିସ ବି.ପି. ଦାସ କମିଶନ କରିଥିବା ଏମିତିକିଛି ସୁପାରିଶକୁ ରାଜ୍ୟ କ୍ୟାବିନେଟ ମଂଜୁରୀ ଦେଇଛି ।

ଶୁକ୍ରବାର କ୍ୟାବିନେଟ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ ଉନ୍ନୟନ କମିସନର ତଥା ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ କହିଥିଲେ ଯେ, କମିସନଙ୍କ ସୁପାରିସକୁ ରାଜ୍ୟ ସରକାର ଗ୍ରହଣ କରିଛନ୍ତି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ଆଲୋଚନା କରି ଜିଲ୍ଲାପାଳ ଏ ନେଇ ପଦକ୍ଷେପ ନେବେ। ସେହିପରି ସୁରକ୍ଷା ଦୃଷ୍ଟିରୁ ଶ୍ରୀମନ୍ଦିର ପାଖରେ ଥିବା ଜୋତା ଦୋକାନକୁ ଉଚ୍ଛେଦ କରାଯିବ। ଶ୍ରୀମନ୍ଦିର ସୁରକ୍ଷା ପାଇଁ ଦୁଇ ପ୍ଲାଟୁନ ଓଏସଏପି ବାଟାଲିୟନ, ଆଇଆରବି ବାଟାଲିୟନ ଓ କ୍ୟୁଏଟି ମୁତୟନ ନେଇ ସରକାର ବିଚାର କରୁଛନ୍ତି। ଏହାସହିତ ବୋମା ନିଷ୍କ୍ରିୟକାରୀ ଦଳ ନିୟୋଜିତ କରିବାକୁ କମିସନ ସୁପାରିସ କରିଥିବା ସେ କହିଥିଲେ। ଭକ୍ତଙ୍କ ସୁବିଧା ପାଇଁ ରାସ୍ତା ଚଉଡ଼ା କରାଯିବା ସହ ଆଧୁନିକ ପାର୍କିଂ ବ୍ୟବସ୍ଥା କରିବାକୁ ସରକାର ପଦକ୍ଷେପ ନେବେ। ଏଥିପାଇଁ ଆର୍ଥିକ ଖର୍ଚ୍ଚ ସରକାର ବହନ କରିବେ।

ସେହିଭଳି ଓଡ଼ିଶା ସଡ଼କ ପରିବହନ ନିଗମର ଆର୍ଥିକ ଦେବାଳିଆ ପରିସ୍ଥିତିକୁ ପୁନରୁଦ୍ଧାର କରିବା ପାଇଁ ସରକାର ନିଗମର ଆର୍ଥିକ ପୁନର୍ବିନ୍ୟାସ କରିଛନ୍ତି। ଏ ନେଇ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ କହିଥିଲେ ଯେ, 1974ରେ ପ୍ରତିଷ୍ଠା ହୋଇଥିବା ଓଏସଆରଟିସି ବିଭିନ୍ନ କାରଣରୁ କ୍ଷତିରେ ଚାଲୁଛି । ଏଥିପାଇଁ ନୂଆ ବସ କିଣିବା ଓ ବସଷ୍ଟାଣ୍ଡର ଉନ୍ନତିକରଣ ପାଇଁ ପୁଞ୍ଜି ସଂଗ୍ରହ କରିପାରୁନାହିଁ। ଏହିଦୃଷ୍ଟିରୁ ନିଗମ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ବହୁ ପୁରୁଣା ଦେୟକୁ ଛାଡ଼ କରାଯାଇଛି। ରାଜ୍ୟ ସରକାରଙ୍କ ୭୨ କୋଟି.୦୩ ଲକ୍ଷ ଟଙ୍କା ପୁରୁଣା ବକେୟାକୁ ଇକ୍ୟୁଟି ଅଂଶଧନରେ ରୂପାନ୍ତରିତ କରାଯାଇଛି। ନିଗମର ଅଂଶଧନ ପୁଞ୍ଜିକୁ ୧୮୨ କୋଟିରୁ ୨୫୪ କୋଟିକୁ ବୃଦ୍ଧି କରାଯିବ। ନିଗମର ରାଜ୍ୟ ସରକାରଙ୍କ ଉପରେ ଥିବା ୭୭ କୋଟି ୪୪ ଲକ୍ଷ ଟଙ୍କାକୁ ଛାଡ଼ ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ ମଂଜୁରୀ କରିଛି।

ଏଥିସହିତ ଓଡ଼ିଶା ମେରିଟାଇମ୍ ବୋର୍ଡ଼ ଗଠନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏ ନେଇ ଏକ ଚିଠା ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛି। ରାଜ୍ୟରେ ଥିବା ଘରୋଇ ବନ୍ଦରର ଭିତ୍ତିଭୂମି ବିକାଶ କରାଯିବ। ଏଥିପାଇଁ ଘରୋଇ ବନ୍ଦରରୁ ଆଦାୟ ହେଉଥିବା ରାଜସ୍ବ ଏଣିକି ବୋର୍ଡ଼ ପାଖରେ ରହିବ। ଏହି ବୋର୍ଡ଼ର ଅଧ୍ୟକ୍ଷ ଭାବେ ମୁଖ୍ୟ ଶାସନ ସଚିବ ରହିବେ। ମୁଖ୍ୟ ଶାସନ ସଚିବଙ୍କ ସମେତ ୧୨ ଜଣ ଅଧିକାରୀ ସଦସ୍ୟ ରହିବେ। କେନ୍ଦ୍ର ସରକାରଙ୍କ ପ୍ରତିନିଧିଙ୍କୁ ନେଇ ବୋର୍ଡ଼ ଗଠନ କରାଯିବ।

ସେହିଭଳି ଆଠଗଡ଼ରେ ଥିବା ଗୋପବନ୍ଧୁ ବିଜ୍ଞାନ ସରକାରୀ ମହାବିଦ୍ୟାଳୟ ଜମି ରେଜିଷ୍ଟ୍ରେସନ ପାଇଁ ସରକାର ଷ୍ଟାମ୍ପ ଡ୍ୟୁଟି ଛାଡ଼ି କରିବେ। ଏଣିକି ଓଡ଼ିଶା ପୁଲିସ ସେବାରେ ନିୟୋଜିତ ସବ-ଇନ୍ସପେକ୍ଟରମାନଙ୍କୁ ସୁପରଟାଇମ୍ ସ୍କେଲରେ ନିଯୁକ୍ତି ପାଇବା ପାଇଁ ଥିବା ୧୮ବର୍ଷର ଅଭିଜ୍ଞତାକୁ ସରକାର ଉଠାଇଦେଇଛନ୍ତି।

Share

Leave a Reply

Your email address will not be published. Required fields are marked *

5 × 3 =