ଶିକ୍ଷା ଓ ଅନୁସନ୍ଧାନକୁ ପ୍ରଶଂସା କଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର() ‘ଜୟ ଜବାନ ଜୟ କିଷାନ’ ଥିଲା ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଆହ୍ୱାନ । ଏହା ସହିତ ‘ଜୟ ବିଜ୍ଞାନ’କୁ ଯୋଡିଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀ । ଆଉ ଏବେ ଏହି ଆହ୍ୱାନ ସହ ‘ଜୟ ଅନୁସନ୍ଧାନ’କୁ ଯୋଡିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅନୁସନ୍ଧାନ ବିନା ଶିକ୍ଷା ସମ୍ଭବ ନୁହେଁ ।

ଏଭଳି ଦୁଇଟି ମହତ ଆହ୍ୱାନକୁ ନେଇ ଗଠିତ ହୋଇଥିବା ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ଭଳି ଶିକ୍ଷାନୁଷ୍ଠାନର ସଶକ୍ତ ଭାରତ ଗଠନରେ ସକ୍ରିୟ ଭୂମିକା ନେଇପାରିବେ ବୋଲି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଡକ୍ଟର ରମେଶ ପୋଖରିୟାଲ୍ ନିଶାଙ୍କ ମତ ପ୍ରକାଶ କରିଛନ୍ତି ।

ସୋମବାର ସୋଆ ବିଶ୍ୱବିଦ୍ୟାଳୟ ପରିଦର୍ଶନରେ ଆସିଥିବା ଡଃ ପୋଖରିୟାଲ୍ ପ୍ରଥମ ସୋଆ ଅଭିଭାଷଣ ରଖିବା ପ୍ରସଙ୍ଗରେ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ସଭାପତି ପ୍ରଫେସର ଡଃ ମନୋଜରଞ୍ଜନ ନାୟକଙ୍କ ଚିନ୍ତାଧାରା ଓ ପରିକଳ୍ପନାକୁ ବାସ୍ତବତାରେ ପରିଣତ କରିବାର ଶୈଳୀକୁ ଉଚ୍ଚ ପ୍ରଶଂସା କରିଥିଲେ ।

ଡଃ ପୋଖରିୟାଲ୍ କହିଥିଲେ ଯେ ଶିକ୍ଷା କ୍ଷେତ୍ରରେ ଭାରତ ହେଉଛି ସାରା ବିଶ୍ୱର ଗୁରୁ । ତକ୍ଷଶୀଳା ଓ ନାଳନ୍ଦାର ଉଦାହରଣ ଦେଇ ସେ କହିଥିଲେ ଶିକ୍ଷା କ୍ଷେତ୍ରରେ ଭାରତ ସହ କାହାର ତୁଳନା ନାହିଁ । ନୂଆ ଭାରତ ପାଇଁ ନୂଆ ଶିକ୍ଷା ନୀତିର ଆବଶ୍ୟକତା ରହିଛି । ବିଜ୍ଞାନ ଓ ପ୍ରଯୁକ୍ତି କ୍ଷେତ୍ରରେ ଭାରତ ଖୁବ୍ ଆଗରେ ଅଛି ।

ଭାରତୀୟ ପରମ୍ପରା ହେଉଛି ‘ବସୁଧୈବ କୁଟୁମ୍ବକମ୍’ ଅର୍ଥାତ ପୁରା ସଂସାର ଆମ ପରିବାର । ପରିବାରରେ ଭଲ ପାଇବା ଥାଏ । ବଜାରରେ ବ୍ୟାପାର ହୁଏ । ଭାରତୀୟମାନେ ଅନ୍ୟର ଦୁଃଖରେ ଦୁଃଖୀ ହୋଇ ଅନ୍ୟର ସୁଖରେ ସୁଖୀ ହୋଇଥାନ୍ତି । ନୁଆ ଭାରତର ନୀତି ହେଉଛି ସ୍ୱଚ୍ଛ ଭାରତ, ସଶକ୍ତ ଭାରତ, ଶ୍ରେଷ୍ଠ ଭାରତ, ଏକ ଭାରତ ଏବଂ ସମୃଦ୍ଧ ଭାରତ ।

ଦୀର୍ଘ ୩ ଦଶନ୍ଧି ପରେ ନୂଆ ଶିକ୍ଷାନୀତି ପ୍ରଣୟନ ହେବାକୁ ଯାଇଥିବା ବେଳେ ଏହାର ଆନ୍ତର୍ଜାତୀୟ ଦୃଷ୍ଟିଭଙ୍ଗୀ ରହିଛି ବୋଲି ସେ କହିଥିଲେ । ମେକ୍ ଇନ୍ ଇଣ୍ଡିଆ, ଡିଜିଟାଲ୍ ଇଣ୍ଡିଆ, ଷ୍ଟାର୍ଟ ଅପ୍ ଇଣ୍ଡିଆ, ସ୍କିଲ୍ ଇଣ୍ଡିଆ ଭଳି କାର୍ୟ୍ୟକ୍ରମକୁ ନେଇ ଭାରତ ଶିଖରକୁ ଯିବ । ଭାରତୀୟ ଶିକ୍ଷାନୀତି ପ୍ରଣୟନ ହେବା ପୂର୍ବରୁ ଦେଶବ୍ୟାପୀ ପରାମର୍ଶ ଗ୍ରହଣ କରାଯାଇଛି । ଶିକ୍ଷାନୀତି ପାଇଁ ବିଶ୍ୱ ସ୍ତରରେ ପରାମର୍ଶ ନିଆଯାଇଥିବା ବେଳେ ଜନସାଧାରଣଙ୍କ ମଧ୍ୟରୁ ୨.୨୫ ଲକ୍ଷ ପରାମର୍ଶ ବର୍ତମାନ ସୁଦ୍ଧା ମିଳିପାରିଛି । ବାରମ୍ବାର ତର୍ଜମା ପରେ ନୂତନ ଶିକ୍ଷାନୀତିର ଢ଼ାଂଚା ପ୍ରସ୍ତୁତ କରାଯାଇଛି । ତେଣୁ ଏହିସବୁ ପରାମର୍ଶକୁ ନେଇ ଖୁବ ଶୀଘ୍ର ନୂତନ ଶିକ୍ଷାନୀତି ପ୍ରଣୟନ ହେବ ବୋଲି ଡଃ ପୋଖରିୟାଲ୍ କହିଥିଲେ ।

ଡଃ ପୋଖରିୟାଲ୍ କହିଥିଲେ ଭାରତରେ ୧୦୦୦ ରୁ ଊଦ୍ଧ୍ୱର୍ ବିଶ୍ୱବିଦ୍ୟାଳୟ, ୪୫୦୦୦ ଡିଗ୍ରୀ କଲେଜ ଓ ୧୬ ଲକ୍ଷ ବିଦ୍ୟାଳୟ ରହିଥିବା ବେଳେ ୧କୋଟିରୁ ଅଧିକ ଅଧ୍ୟାପକ ଅଧ୍ୟାପିକା ଅଛନ୍ତି ଏବଂ ୩୩ କୋଟିରୁ ଅଧିକ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ଏପରି ସ୍ଥଳେ ଯୁକ୍ତରାଷ୍ଟ୍ର ଆମେରିକାର ଜନସଂଖ୍ୟା ୩୨ କୋଟି ୮୮ ଲକ୍ଷ ଯାହାକି ଭାରତର ଯୁବପିଢ଼ିଙ୍କ ସଂଖ୍ୟା ଠାରୁ କମ୍ । ତେଣୁ ଭାରତର ବିକାଶ ଯୁବପିଢ଼ିଙ୍କ ହାତରେ ରହିଛି ବୋଲି ଡଃ ପୋଖରିୟାଲ୍ କହିଥିଲେ ।

କୃଷି ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ ସୋଆର ଉଲ୍ଲେଖନୀୟ କାର୍ୟ୍ୟ ଏବଂ ଗବେଷଣାକୁ ଉଚ୍ଚ ପ୍ରଶଂସା କରି ଡଃ ପୋଖରିୟାଲ୍ କହିଥିଲେ ଯେ ଶିକ୍ଷା ଓ ଅନୁସନ୍ଧାନ ଭଳି ବିଶ୍ୱବିଦ୍ୟାଳୟ ଦ୍ୱାରା ହିଁ ସଶକ୍ତ ଭାରତ ଗଠନ ହୋଇପାରିବ ।

ନୂତନ ଶିକ୍ଷାନୀତି ନେଇ ପ୍ରଥମ ସୋଆ ସିରିଜ୍ ଅଭିଭାଷଣ ପ୍ରଦାନ କରିବା କାର୍ୟ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଡଃ ପୋଖରିୟାଲଙ୍କୁ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର ଡଃ ମନୋଜରଞ୍ଜନ ନାୟକ ସମ୍ବର୍ଦ୍ଧିତ କରିଥିଲେ । କାର୍ୟ୍ୟକ୍ରମରେ ମଂଚରେ କେନ୍ଦ୍ରମନ୍ତ୍ରୀ ସହିତ ସୋଆ କୁଳପତି ପ୍ରଫେସର ଆର.କେ. ଚୋ÷ହାନ୍ ଉପସ୍ଥିତ ଥିଲେ ।

ଏହି ଅବସରରେ ଡଃ ପୋଖରିୟାଲଙ୍କ ଦ୍ୱାରା ଲିଖିତ କିଛି ବଛା ବଛା ଗଳ୍ପକୁ ନେଇ ସଂକଳିତ ‘ସମୟର ଚିତ୍ରଶିଳ୍ପି’ ଶୀର୍ଷକ ପୁସ୍ତକଟି ଉନ୍ମୋଚିତ ହୋଇଥିଲା । ଏହି ସମସ୍ତ ଗଳ୍ପକୁ ସୋଆର ନିର୍ଦ୍ଦେଶକ ଡଃ ମହେନ୍ଦ୍ର ପ୍ରସାଦ ଓଡ଼ିଆରେ ଅନୁବାଦ କରିଛନ୍ତି । ସୋଆ ପରିଦର୍ଶନରେ ଆସିଥିବା କେନ୍ଦ୍ରମନ୍ତ୍ରୀ ଡଃ ପୋଖରିୟାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ମଧ୍ୟ ବୁଲି ଦେଖିଥିଲେ । ସମ୍ ହସ୍ପିଟାଲର ଗ୍ୟାଷ୍ଟ୍ରୋଏନଟେରୋଲୋଜି ବିଭାଗ ଏବଂ ବର୍ନସ, ପ୍ଲାଷ୍ଟିକ୍ ଆଣ୍ଡ ରିକନଷ୍ଟ୍ରକ୍ଟିଭ୍ ସର୍ଜରୀ ବିଭାଗ ପରିଦର୍ଶନ କରିଥିଲେ କେନ୍ଦ୍ରମନ୍ତ୍ରୀ । ସେହିପରି ନୂତନ ଭାବେ ନିର୍ମିତ ସମ୍ ଅଲ୍ଟିମେଟ୍ ମେଡିକେୟାରର ଏମରଜେନ୍ସି, ଟ୍ରମା ଆଇସିୟୁ ଓ ରେଡିଓଲୋଜି ବିଭାଗ ପରିଦର୍ଶନ କରିଥିଲେ କେନ୍ଦ୍ରମନ୍ତ୍ରୀ । କେନ୍ଦ୍ରମନ୍ତ୍ରୀଙ୍କ ପରିଦର୍ଶନ ସମୟରେ ସମ୍ ଏବଂ ସମ୍ ଅଲ୍ଟିମେଟ୍ ମେଡିକେୟାର ସମସ୍ତ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

ଏହି ଅବସରରେ ନୂତନ ପିଜି ହଷ୍ଟେଲ୍ ଏବଂ କନଭେନ୍ସନ୍ ସେଂଟରର ମଧ୍ୟ ଉଦ୍ଘାଟନ କରିଥିଲେ ଡଃ ପୋଖରିୟାଲ୍ । ଏଥି ସହିତ ସୋଆର ପ୍ରତିଷ୍ଠାତା ସଭାପତି ଏବଂ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଏହି ଅବସରରେ ସୋଆର ରିସର୍ଚ୍ଚ ଆଣ୍ଡ ଡେଭଲପମେଂଟ ଡିନ୍ ପ୍ରଫେସର ପି.କେ. ନନ୍ଦ ସୋଆ ସମ୍ପର୍କିତ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ । ସୋଆର ରିସର୍ଚ୍ଚ ସ୍କଲାର ଏବଂ ଆନ୍ତର୍ଜାତୀୟ ଛାତ୍ରଛାତ୍ରୀଙ୍କ ସହ ମଧ୍ୟ ଡଃ ପୋଖରିୟାଲ୍ ଆଲୋଚନା କରି ବେଶ ଆନନ୍ଦ ପ୍ରକାଶ କରିଥିଲେ ।

Share

Leave a Reply

Your email address will not be published. Required fields are marked *

one × 5 =