ଇ-ଲର୍ଣ୍ଣିଂ କ୍ଷେତ୍ରରେ ଉତ୍କର୍ଷତା ପାଇଁ ଆଇଗଜ ମାନ୍ୟତା ପାଇଲା ସୋଆ

ଭୁବନେଶ୍ୱର () କରୋନା ମହାମାରୀର ଘୋର ପ୍ରଭାବ ଶିକ୍ଷା କ୍ଷେତ୍ରରେ ପଡ଼ିଥିବାବେଳେ ଇ-ଲର୍ଣ୍ଣିଂ ଏବଂ ଅନଲାଇନ ଶିକ୍ଷାଦାନ କ୍ଷେତ୍ରରେ ଉତ୍କର୍ଷତା ନିମନ୍ତେ ସ୍ଥାନୀୟ ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ପୂର୍ବ ଭାରତରେ ଏକମାତ୍ର ବିଶ୍ୱବିଦ୍ୟାଳୟ ଭାବେ କ୍ୟୁଏସ୍ ଆଇଗଜ ଦ୍ୱାରା ପ୍ରଦତ ଇ-ଲର୍ଣ୍ଣିଂ ଏକ୍ସିଲେନ୍ସ ଫର ଏକାଡେମିକ ଡିଜିଟାଇଜେସନ
(ଇ-ଲିଡ) ସାର୍ଟିଫିକେଟ୍ ହାସଲ କରିଛି ।

ଭାରତୀୟ ଶିକ୍ଷାନୁଷ୍ଠାନ ଗୁଡିକ ହୁଏତ କେବେ ମଧ୍ୟ ଚିନ୍ତା କରିନଥିଲେ ଯେ ଏଭଳି ଏକ ପରିସ୍ଥିତି ଉପୁଜିବ ଯେତେବେଳେକି ସେମାନଙ୍କୁ ଅନଲାଇନ ପାଠ୍ୟକ୍ରମ ଭଳି ବୈଷୟିକ ପଦ୍ଧତି ଆପଣେଇବାକୁ ପଡ଼ିବ । ଏଭଳି ଏକ ସମୟରେ ଅନଲାଇନ ପାଠ୍ୟକ୍ରମ ପାଇଁ ଏହି ମାନ୍ୟତା ପ୍ରଦାନ କରାଯାଇଛି । ଗ୍ଲୋବାଲ୍ ର‌୍ୟାଙ୍କିଂ ଏବଂ ରେଟିଂ ଏଜେନ୍ସି କ୍ୟୁଏସର ଭାରତୀୟ ଶାଖା କ୍ୟୁଏସ ଆଇଗଜ ଭାରତୀୟ ଶିକ୍ଷାନୁଷ୍ଠାନ ଗୁଡିକରେ ଅନଲାଇନ ଶିକ୍ଷା ପ୍ରଦାନ କାର୍ଯ୍ୟକ୍ରମ ଗୁଡିକୁ ନେଇ ଏଭଳି ଏକ ଅଡିଟ୍ କରିଥିଲେ ।

ଗୁରୁବାର କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଶ୍ରୀ ରମେଶ୍ ପୋଖରିଆଲ୍ \”ନିଶାଙ୍କ\’ ଏହି ଇ-ଲିଡ ସାର୍ଟିଫିକେଟ୍‌ର ଉନ୍ମୋଚନ ଓ ପ୍ରଦାନ କରିଥିଲେ । ଅନଲାଇନ ପାଠ୍ୟକ୍ରମର ଉତ୍କର୍ଷତା ନେଇ ମନୋନୀତ ହୋଇଥିବା ୧୨ଟି ଭାରତୀୟ ଉଚ୍ଚ ଶିକ୍ଷା କ୍ଷେତ୍ରରେ ସାମିଲ୍ ଥିବା ଶିକ୍ଷାନୁଷ୍ଠାନ ମଧ୍ୟରେ ସୋଆ ସ୍ଥାନ ପାଇଛି । ମାର୍ଚ୍ଚ ମାସରେ କୋଭିଡ-୧୯ ମହାମାରୀର ଭୟାଭୟ ସାମ୍ନାକୁ ଆସିବା ପରେ ଏବଂ ସାରାଦେଶରେ ଲକଡାଉନ ଘୋଷଣା ହେବା ପରେ ତୁରନ୍ତ ସୋଆ ପକ୍ଷରୁ ଅନଲାଇନ ପାଠ୍ୟକ୍ରମ ଆରମ୍ଭ କରାଯାଇଥିଲା । ବିଭିନ୍ନ ଅଭିନବ ପ୍ରକ୍ରିୟା ଏବଂ ବୈଷୟିକ କ୍ଷେତ୍ରକୁ ଆପଣାଇ ଅନଲାଇନ କ୍ଲାସ ଗୁଡିକୁ ପରିଚାଳନା କରାଯାଇଥିଲା ।

ଏହି ମାନ୍ୟତା ପାଇବା ପରେ କ୍ୟୁଏସକୁ ଧନ୍ୟବାଦ ଜଣାଇଛନ୍ତି ସୋଆ କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର । ସେ କହିଛନ୍ତି ଯେ ଲକଡାଉନ ଘୋଷଣା ହେବା ପରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ତୁରନ୍ତ ଅନଲାଇନ ପାଠ୍ୟକ୍ରମ ଆରମ୍ଭ କରାଯାଇଥିଲା । ଯଦି ଆବଶ୍ୟକତା ପଡେ ତେବେ ଆମ ଫାକଲ୍ଟି ମାନେ ଅନଲାଇନ ପରୀକ୍ଷା ମଧ୍ୟ କରିବା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ସେ କହିଛନ୍ତି ।

ଏହି କାର୍ଯ୍ୟକ୍ରମରେ ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘର ସାଧାରଣ ସମ୍ପାଦକ ପ୍ରଫେସର ପଙ୍କଜ ମିତଲ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିବା ବେଳେ କ୍ୟୁଏସ ଦକ୍ଷିଣ ଏସିଆର ଆଂଚଳିକ ନିର୍ଦ୍ଦେଶକ ଡ. ଅଶ୍ୱିନ ଫର୍ଣ୍ଣାଣ୍ଡିସ, କ୍ୟୁଏସ ଆଇଗଜ ଇ-ଲିଡ ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ । ଉଚ୍ଚ ଶିକ୍ଷା କ୍ଷେତ୍ରରେ ପ୍ରସିଦ୍ଧି ଅର୍ଜନ କରିଥିବା ବିଶେଷଜ୍ଞ ମାନଙ୍କ ଦ୍ୱାରା ଏହି ସାର୍ଟିଫିକେଟ କାର୍ଯ୍ୟକ୍ରମର ପ୍ରକ୍ରିୟା, ଡାଟା ସଂଗ୍ରହ, ଅଡିଟ ପ୍ରକ୍ରିୟା, ଗୁଣବତାର ଯାଂଚ କରାଯାଇ ୧୨ଟି ଶିକ୍ଷାନୁଷ୍ଠାନଗୁଡିକୁ ଏହି ମାନ୍ୟତା ପ୍ରଦାନ କରାଯାଇଥିଲା ବୋଲି ସେ କହିଥିଲେ ।

Share

Leave a Reply

Your email address will not be published. Required fields are marked *

18 − 7 =