ଜଳଭଣ୍ଡାରରେ ନାହିଁ ଜଳ, ମିତବ୍ୟୟ କରି ଜଳ ସଂଚୟ କରିବାକୁ ଚାଷୀଙ୍କୁ ପରାମର୍ଶ

ଭୁବନେଶ୍ବର () ରାଜ୍ୟରେ ମରୁତିର ସ୍ଥିତି ଗମ୍ଭୀର । 5ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଥିବା ବେଳେ 25 ଜିଲ୍ଲାରେ ସ୍ବାଭାବିକ ଠାରୁ କମ ବର୍ଷା ହୋଇଛି । 79ରେ ସ୍ବାଭାବିକ ଓ 235ରେ କମ ବର୍ଷା ହୋଇଛି। 21ବ୍ଲକରେ ସ୍ବାଭାବିକ ଠାରୁ 59 ପ୍ରତିଶତ ନିଅଣ୍ଟ ବର୍ଷା ହୋଇଛି। 2 ଦିନ ମଧ୍ୟରେ ବର୍ଷା ନ ହେଲେ ସ୍ଥିତି ଗମ୍ଭୀର ହେବ। ନଦୀ ନାଳରେ ଜଳ ପ୍ରବାହ ଆଶା ଅନୁରୂପ ହୋଇନି । ଗତବର୍ଷ ଏହି ସମୟ ମଧ୍ୟରେ ରାଜ୍ୟର ବିଭିନ୍ନ ଜଳଭଣ୍ଡାରରେ 28 ପ୍ରତିଶତ ଜଳ ଗଚ୍ଛିତ ଥିବା ବେଳେ ଏବେ ମାତ୍ର 15.66 ପ୍ରତିଶତ ଜଳ ରହିଛି । ତେଣୁ ବିଭିନ୍ନ ଜଳଭଣ୍ଡାରର ସେଚାଞ୍ଚଳ ଗୁଡିକୁ ଜଳସେଚନ କରାଯାଇପାରୁନି । 2699ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ମଧ୍ୟରୁ 2160ଟି ପ୍ରକଳ୍ପରେ ଜଳ ଡେଡ ଷ୍ଟୋରେଜ ତଳେ ରହିଥିବାରୁ ସେଠାରେ ମଧ୍ୟ ସେଚାଞ୍ଚଳରେ ଜଳସେଚନ ହୋଇପାରୁନି । ଆଜି ରାଜ୍ୟର ମରୁଡି ପରିସ୍ଥିତି ସଂପର୍କରେ ବିଧାନସଭାରେ ବିବୃତି ଦେଇ ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି ଏହି ସୂଚନା ଦେଇଛନ୍ତି ।

ବୃଷ୍ଟିପାତ ସମୀକ୍ଷାର ଜଣାପଡୁଛି ଯେ, କୋରାପୁଟ, ନବରଙ୍ଗପୁର, କଟକ ଓ କଳାହାଣ୍ଡିରେ ବୃଷ୍ଟିପାତ ସ୍ବାଭାବିକ ଥିବା ବେଳେ ଅନ୍ୟ ସବୁ ଜିଲ୍ଲାରେ ବୃଷ୍ଟିପାତର ପରିମାଣ ହ୍ରାସ ପାଇଛି । କୃଷି ଓ କୃଷକ ସଶକ୍ତିକରଣ ବିଭାଗଙ୍କ ଠାରୁ ପ୍ରାପ୍ତ ତଥ୍ୟ ଅନୁଯାୟୀ ଚଳିତ ଖରିଫ ଋତୁରେ 25 ଲକ୍ଷ 80 ହଜାର 579 ହେକ୍ଟର ଜମିରେ ଧାନ ଓ ଅଣଧାନ ଫସଲ ହୋଇଛି, ଯାହାକି ସମ୍ପୁର୍ଣ୍ଣ କାର୍ଯ୍ୟକ୍ରମ ପରିସରର 41 ପ୍ରତିଶତ । ଏଥିମଧ୍ୟରୁ 15 ଲକ୍ଷ 11ହଜାର 303 ହେକ୍ଟର ଧାନ, 2 ଲକ୍ଷ 18 ହଜାର 807 ହେକ୍ଟର ଡାଲି ଜାତୀୟ, 84 ହଜାର 20 ହଜାର ହେକ୍ଟର ତୈଳବୀଜ ଏବଂ 7 ଲକ୍ଷ 66 ହଜାର 449 ହେକ୍ଟର ପନିପରିବା ଓ ଅନ୍ୟାନ ଫସଲ ଚାଷ ହୋଇଛି ।

ଏଭିତରେ ଧାନ ବୁଣା କାର୍ଯ୍ୟ ଶେଷ ହୋଇଛି । ତଳିଘେରା ପ୍ରସ୍ତୁତ ହୋଇ ତଳି ପଡିଛି । ପାଣି ଥିବା ସ୍ଥାନରେ ଠାଏ ଠାଏ ରୁଆ କାର୍ଯ୍ୟ ଚାଲିଛି । ବର୍ଷା ଅଭାବରୁ ଅନେକ ସ୍ଥାନରେ ବେଉଷଣ କାର୍ଯ୍ୟ ହୋଇପାରିନାହିଁ । ତଳି ଘେରାରେ ତଳି ଉପାଡି ହୋଇପାରୁନାହିଁ ଏବଂ ଧାନ ରୂଆ କାର୍ଯ୍ୟ ମଧ୍ୟ ହୋଇପାରୁନାହିଁ । ବୁଣାଧାନ ଏବଂ ତଳି ଘେରାରେ ଥିବା ଧାନ ତଳି ଆସନ୍ତା 2-3 ଦିନ ମଧ୍ୟରେ ବର୍ଷା ନହେଲେ ବିଶେଷ ପ୍ରଭାବିତ ହୋଇପାରେ ବୋଲି ରାଜସ୍ବମନ୍ତ୍ରୀ ଆଶଙ୍କା ପ୍ରକାଶ କରିଛନ୍ତି ।

ବର୍ଷାର ପରିମାଣ ସ୍ବାଭାବିକ ଠାରୁ ଅନେକ କମ ହେବାରୁ ଏପର୍ଯ୍ୟନ୍ତ ରାଜ୍ୟରେ ଥିବା ନଦୀ, ନାଳ, ବୃହତ, ମଧ୍ୟମ ଓ କ୍ଷୁଦ୍ର ଜଳଭଣ୍ଡାର ଏବଂ ବ୍ୟାରେଜ ଗୁଡିକରେ ଆଶାନୁରୂପ ଜଳପ୍ରବାହ ହେଉନାହିଁ । ତେଣୁ ଜଳଭଣ୍ଡାର ଗଡିକରେ ଜଳସେଚନ ଯୋଗାଇ ଦେବା ପାଇଁ ଆବଶ୍ୟକ ଜଳ ଉପଲବ୍ଧ ହେଉନାହିଁ । ଗତବର୍ଷ ଏହି ସମୟରେ ବୃହତ ଏବଂ ମଧ୍ୟମ ଜଳଭଣ୍ଡାରଗୁଡିକରେ ଲାଇଭ ଷ୍ଟୋରେଜ କ୍ଷମତାର 28.28 ପ୍ରତିଶତ ଜଳ ମହଜୁଦ ଥିଲା । ଏବର୍ଷ 15.66 ପ୍ରତିଶତ ଜଳ ରହିଛି । ହରୀହରଯୋର, ଝାରବନ୍ଧ, ଖରଖରା ଏବଂ ସରଫଗଡ ଭଳି ମଧ୍ୟମ ଜଳପକଳ୍ପରେ ଜଳଭଣ୍ଡାରରେ ଜଳସ୍ତର ଡେଡ ଷ୍ଟୋରେଜ ତଳେ ଜଳ ରହିଛି । ତେଣୁ ସେଠାରେ ସେଚାଞ୍ଚଳରେ ଜଳସେଚନ ହୋଇପାରୁନି । 2699ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ମଧ୍ୟରୁ 2160ଟି ପ୍ରକଳ୍ପରେ ଜଳ ଡେଡ ଷ୍ଟୋରେଜ ତଳେ ରହିଥିବାରୁ ସେଠାରେ ମଧ୍ୟ ସେଚାଞ୍ଚଳରେ ଜଳସେଚନ ହୋଇପାରୁନି ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି ।

ପରିସ୍ଥିତି ଉଦବେଗଜନକ ହୋଇଥବାରୁ ଗତ 22 ତାରିଖରେ ଜଳସମ୍ପଦ ମନ୍ତ୍ରୀ ଓ ପ୍ରମୁଖ ଶାସନ ସଚିବ ଭିଡିଓ କନଫରେନସିଂ ମାଧ୍ୟମରେ ସବୁ ଜିଲ୍ଲାର ଜଳସେଚନର ସ୍ଥିତି ସମୀକ୍ଷା କରିଛନ୍ତି । ସ୍ବଳ୍ପ ଜଳ ବ୍ୟବହାର କରି କୃଷିକାର୍ଯ୍ୟକୁ ସୁଚାରୁରୁପେ ଆଗେଇ ନେବା ପାଇଁ କୃଷି ବିଭାଗ, ପାଣି ପଂଚାୟତ ଓ ଜଳସମ୍ପଦ ବିଭାଗର କ୍ଷେତ୍ର କର୍ମଚାରୀମାନେ ମିଳିତ ଭାବେ କାର୍ଯ୍ୟ କରିବାକୁ ପରାମର୍ଶ ଦିଆଯାଇଛି । ଜଳସେଚନ ପାଇଁ ମିତବ୍ୟୟ କରି ଜଳ ସଂଚୟ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ଜଳସମ୍ପଦ ବିଭାଗର ଅଧିକାରୀମାନେ ଗତ ସପ୍ତାହରେ ବିଭିନ୍ନ ଜିଲ୍ଲାକୁ ଗସ୍ତ କରି ସାମ୍ପ୍ରତିକ ସ୍ଥିତିରେ ଜଳର ସୁପରିଚାଳନାକୁ ତଦାରଖ କରିଛନ୍ତି ଏବଂ ଆୟକଟର ତଳମୁଣ୍ଡ ପର୍ଯ୍ୟନ୍ତ ପାଣି ପହଁଚାଇବାକୁ ସୁନିଶ୍ଚିତ କରିଛନ୍ତି । ଏଥିସହିତ ଯେଉଁଠି ଉଠା ଜଳସେଚନ ପ୍ରକଳ୍ପଗୁଡିକୁ ବିଦ୍ୟୁତ ସେବା ନାହିଁ, ସେଠାକୁ ତୁରନ୍ତ ବିଦ୍ୟୁତ ଯୋଗାଇ ଦେବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦିଆଯାଇଛି ବୋଲି ସେ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

3 × two =