୪ ଜିଲ୍ଲା ସତର୍କ ରୁହ

ଭୁବନେଶ୍ୱର () ରାଜ୍ୟରେ ଆହୁରି ୫ ଦିନ ଘଡଘଡି ସହ ବର୍ଷା ଜାରି ରହିବ । ତେବେ ୨୯ ତାରିଖରୁ କାଳବୈଶାଖୀ ବର୍ଷା ସାମାନ୍ୟ କମିପାରେ । କାଁ ଭାଁ କିଛି ସ୍ଥାନରେ ବର୍ଷା ହେବ । ତେବେ ମଙ୍ଗଳବାର ରାଜ୍ୟର କିଛି ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ କେନ୍ଦ୍ର (ଆଇଏମ୍‌ଡି) ପୂର୍ବାନୁମାନ କରିଛି ।

ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବ । କିନ୍ତୁ ମଙ୍ଗଳବାର ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ଆଇଏମ୍‌ଡି ଦର୍ଶାଇଛି । ଆଜି ଦକ୍ଷିଣ ଓଡ଼ିଶାରେ ବର୍ଷା ହେବ । ଗଜପତି, ଗଞ୍ଜାମ, ରାୟଗଡ଼ା ଓ କୋରାପୁଟରେ ପ୍ରବଳ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ବୁଲେଟିନ୍‌ ଜାରି କରିଛି । ଏହି ୪ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଘଡ଼ଘଡ଼ି ସହ ବର୍ଷା ସାଙ୍ଗକୁ ୪୦ରୁ ୫୦କିଲୋମିଟର ବେଗରେ ପବନ ବି ବୋହିବ ବୋଲି ପୂର୍ବନୁମାନ କହୁଛି । ସେହିପରି ଆସନ୍ତାକାଲି ଉତ୍ତର ଉପକୂଳ ଓଡ଼ିଆ ଓ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ୧୬ଟି ଜିଲ୍ଲା ପାଇଁ ୟେଲୋ ୱାର୍ନିଂ ଜାରି ହୋଇଛି । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ମୟୂରଭଞ୍ଜ, ଢେଙ୍କାନାଳ, କେନ୍ଦୁଝର, କନ୍ଧମାଳ, ମାଲକାନଗିରି, ନବରଙ୍ଗପୁର ଓ କଳାହାଣ୍ଡି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

୨୯ ତାରିଖରେ କେନ୍ଦୁଝର, ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜ ସମେତ ଉପକୂଳ ଓଡ଼ିଶାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ । ଏସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୩୦ ତାରିଖରୁ କାଳବୈଶାଖୀ ବର୍ଷା କମିଯିବ । କିନ୍ତୁ ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ.ଏଚ୍‌ଆର୍‌ ବିଶ୍ୱାସ କହିଛନ୍ତି । ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ଆସନ୍ତା ୩୦ ତାରିଖରେ ଲଘୁଚାପ ସୃଷ୍ଟି ହୋଇପାରେ । କିନ୍ତୁ ଏହାର ପ୍ରଭାବରେ ଓଡ଼ିଶାରେ ବେଶି ବର୍ଷା ହେବନି । ୨୯ରୁ ୪ ତାରିଖ ଭିତରେ ତାପମାତ୍ରା ଗରମ ରହିବ । କାଁ ଭାଁ କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହୋଇପାରେ ବୋଲି ସୋଆ ପାଣିପାଗ ଜଳବାୟୁ ଓ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

two × 1 =