ଖୋଲୁଛି ଗୁମର, ଗିରଫ ହେଲେ ଓଟିଭି ସିଏଫଓ

ଭୁବନେଶ୍ବର () ଖୋର୍ଦ୍ଧା ସାରୁଅରେ ଜମି କେଳେଙ୍କାରୀ ମାମଲାରେ ଓଟିଭିକୁ ଲାଗିଛି ଆଉ ଗୋଟିଏ ଝଟକା । ଗରିଭ ହୋଇଛନ୍ତି ଓଟିଭିର ଚିଫ୍ ଫାଇନାନ୍ସ ଅଫିସର ମନୋରଂଜନ ଷଡଙ୍ଗୀ । ଆଜି କ୍ରାଇମବ୍ରାଞ୍ଚ ତାଙ୍କୁ ଜେରା କରିଥିଲା । ପୂର୍ବରୁ ମଧ୍ୟ କ୍ରାଇମବ୍ରାଞ୍ଚରେ ହାଜର ହୋଇଥିଲେ ମନୋରଞ୍ଜନ । ଜେରା ପରେ ତାଙ୍କୁ ସ୍ବାସ୍ଥ୍ୟ ପରୀକ୍ଷା କରିବା ପାଇଁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା । ସ୍ବାସ୍ଥ୍ୟ ପରୀକ୍ଷା ପରେ ତାଙ୍କୁ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରାଯାଇଥିଲା।  ଅନୁସୂଚିତ ଜାତି ଲୋକଙ୍କ ଜମି ହଡ଼ପ ନେଇ ୩ଟି ମାମଲାରୁ ଗୋଟିଏ ମାମଲାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ ।

ଗଲା ୨୯ତାରିଖରେ ଖୋର୍ଦ୍ଧା ସାରୁଅରେ ସରଜମିନ ତଦନ୍ତ କରିଥିଲା କ୍ରାଇମ୍‌ବ୍ରାଞ୍ଚ୍‌ ଟିମ୍ । ଜମି କେଳେଙ୍କାରୀ ନେଇ ଲୋକଙ୍କ ମତାମତ ବି ନେଇଥିଲା । ସାରୁଅରେ ଓଟିଭିର ଜମି କିଣାର ଜଗିଙ୍କ ମୋହରା ଥିଲେ ରବୀନ୍ଦ୍ର କୁମାର ସେଠୀ । ରବୀନ୍ଦ୍ରଙ୍କ ଜରିଆରେ ହାଲୁରୀ ପାହାଡ଼ସିଂଙ୍କଠାରୁ ଓଡ଼ିଶା ଇନ୍‌ଫ୍ରା ପ୍ରାଇଭେଟ୍ ଲିମିଟେଡ୍ ଜମି ହଡ଼ପ କରିଥିବା ଅଭିଯୋଗ ହୋଇଛି । ହାଲୁରୀ ପାହାଡ଼ସିଂ ଅନୁସୂଚିତ ଜାତି ବର୍ଗର। ସେଲ୍ ଡିଡ୍‌ରେ ବିକ୍ରେତା ଓ କ୍ରେତା ଉଭୟଙ୍କ ଠିକଣା ସମାନ ରହିଥିଲା।

ସେଲ୍‌ ଡିଡ୍‌ରେ ଜମି ବିକ୍ରିର କାରଣ ଝିଅ ବାହାଘର ବୋଲି ଦର୍ଶାଯାଇଥିଲା । ତେବେ ବିକ୍ରି ପାଇଁ ଦିଆ ଯାଇଥିବା ଅନୁମତିରେ ବିକ୍ରିର କାରଣ ଗୃହ ନିର୍ମାଣ ବୋଲି ଦର୍ଶାଯାଇଥିଲା । ହାଲୁରୀ ପାହାଡ଼ସିଂଙ୍କ ଠାରୁ ଜମି କିଣିଥିବା ରବୀନ୍ଦ୍ର ସେଠୀଙ୍କ ଦସ୍ତଖତ ବିଭିନ୍ନ କାଗଜପତ୍ରରେ ଭିନ୍ନ ଭିନ୍ନ ରହିଛି। ସ୍ବଳ୍ପ ବେତନଭୋଗୀ ଡ୍ରାଇଭର ରବୀନ୍ଦ୍ର ସେଠୀଙ୍କୁ ଜଣେ ବ୍ୟବସାୟୀ ବୋଲି ଜମି କିଣିଥିବା ଓଟିଭି ଦର୍ଶାଇଥିଲା । ଗରିବ ଅନୁସୂଚିତ ଜାତିର ଲୋକଙ୍କ ଜମି ହଡ଼ପ ପାଇଁ ରବୀନ୍ଦ୍ରଙ୍କୁ ବାରମ୍ବାର ବ୍ୟବହାର କରାଯାଇଥିଲା । ଏକଥା ଖୋଦ୍ ରବୀନ୍ଦ୍ର ସେଠୀ ତାଙ୍କ ପିଟିସନ୍‌ରେ ଦର୍ଶାଇଥିଲେ । ଅଭାବୀ ରବୀନ୍ଦ୍ରଙ୍କୁ ଧନୀ ଜମି ମାଲିକ ବୋଲି ଏଥିରେ ପରିଚିତ କରାଯାଇଛି ।

ଆଉ ତାଙ୍କୁ ମାଧ୍ୟମ କରି ସରକାରୀ କଳକୁ ବିଭ୍ରାନ୍ତ କରି ଓଟିଭି ଜମି ମାରି ନେଇଛି । ସାରୁଅ ଜମି ମାମଲାରେ ଦୁଇଟି ପିଟିସନ୍ ହୋଇଛି । ଗୋଟିଏ ହାଲୁରୀ ପାହାଡସିଂ କରିଥିବା ବେଳେ ଅନ୍ୟଟି ନିଜେ ରବୀନ୍ଦ୍ର ସେଠୀ କରିଛନ୍ତି । ହାଲୁରୀ ପାହାଡ଼ସିଂଙ୍କ ଘର ସାରୁଅରେ । ରବୀନ୍ଦ୍ରଙ୍କ ଘର ଗଞ୍ଜାମ ଜିଲ୍ଲାରେ । ରବୀନ୍ଦ୍ରଙ୍କୁ ମୋହରା ବନାଇ ଓଟିଭି ଏହି ଜମି କେଳେଙ୍କାରୀ କରିଥିବା ଅଭିଯୋଗ ଆଣିଛନ୍ତି ହାଲୁରୀ ପାହାଡସିଂ । ହାଲୁରୀଙ୍କ ଜମି ଉପରେ ଓଟିଭି ପାଚେରି ଛିଡ଼ା କରିଛି । ପାଚେରି ଯୋଗୁ ହାଲୁରୀ ପାହାଡ଼ସିଂ ତାଙ୍କର ଅନ୍ୟ ଜମିକୁ ଯିବା ପାଇଁ ରାସ୍ତା ବନ୍ଦ ହୋଇଯାଇଛି । ଏହି ମାମଲାରେ ଜଗି ପଣ୍ଡାଙ୍କ ଓଟିଭିର ସିଏଫ୍‌ଓ ମନୋରଞ୍ଜନ ଷଡ଼ଙ୍ଗୀ ଜେରା କରୁଛି କ୍ରାଇମ୍‌ବ୍ରାଞ୍ଚ୍‌  ।

Share

Leave a Reply

Your email address will not be published. Required fields are marked *

1 × 2 =