କେଳେଙ୍କାରୀରେ ବୁଡ଼ି ରହିଛି ଓଡ଼ିଶା ଔଷଧ ନିଗମ

ସରକାର କରୋନା ମୁକାବିଲା ପାଇଁ ଓଡିଶା ଔଷଧ ନିଗମ ମାଧ୍ୟମରେ ଯେଉଁ ଜିନିଷ ଯଥା : ଟେଷ୍ଟିଙ୍ଗ କିଟ, ମାସ୍କ, ସାନିଟାଇଜର, ଭେଣ୍ଟିଲେଟର, ପିସିଆର ମେସିନ, ଔଷଧ ତଥା ଅନ୍ୟାନ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ ସବୁ କିଣିଛନ୍ତି ସେଥିରେ ସାଙ୍ଘାତିକ କେଳେଙ୍କାରୀ ଭରି ରହିଛି । ଗୋଟିଏ ପରେ ଗୋଟିଏ କେଳେଙ୍କାରୀ ଏବଂ ଦୁର୍ନୀତିର ପର୍ଦ୍ଦାଫାଶ ହେଉଛି । ପୂର୍ବରୁ ମାସ୍କ କିଣିବା କ୍ଷେତ୍ରରେ କିଭଳି ଦୁର୍ନୀତି ଉଙ୍କି ମାରିଛି ତାହା ଗଣମାଧ୍ୟମରେ ପ୍ରକାଶ ପାଇଥିଲା । 9.90 ପଇସା ରେ ଗୋଟେ କମ୍ପାନୀ ପାଖରୁ ମାସ୍କ କିଣିବାର ୨ ଦିନ ପରେ ଆଉଗୋଟେ କମ୍ପାନୀ ଠାରୁ ସମାନ ମାନର ମାସ୍କ 16 ଟଙ୍କା ରେ କିଣା ଯାଇଥିଲା ସେହି ବାବଦ କୁ କୋଟି କୋଟି ଟଙ୍କା ତୋଷରପାତ ହୋଇଛି । ଏବେ ଆଉକିଛି କେଳେଙ୍କାରୀ ର ତଥ୍ୟ ଆମର ହସ୍ତଗତ ହୋଇଛି  । ରିଏଲ ଟାଇମ ପିସିଆର ମେସିନ ଏବଂ ସେଥିରେ ବ୍ୟବହୃତ ଟେଷ୍ଟିଙ୍ଗ କିଟ କିଣାରେ ସାଙ୍ଘାତିକ ଦୁର୍ନୀତି ହୋଇଥିବାର ସ୍ପଷ୍ଟ ପ୍ରମାଣ ରହିଛି । ଗୋଟିଏ କମ୍ପାନୀ ପାଖରୁ ଔଷଧ ନିଗମ ପ୍ରତି ପିସିଆର ପିଛା 12 ଲକ୍ଷ 90 ହଜାର ଟଙ୍କା ଦେଇ ସେ ବାବଦକୁ 12 କୋଟି 94 ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି 100 ମେସିନ କିଣିବା ପାଇଁ । ଏହି ମେସିନ ଖୋଲା ବଜାରରେ 4-5 ଲକ୍ଷ ଟଙ୍କାରେ ଉପଲବ୍ଧ ଥିଲାବେଳେ 12 ଲକ୍ଷ 94 ହଜାର ଟଙ୍କାରେ କିଣାହେବା ସମସ୍ତଙ୍କୁ ଚକିତ କରିଦେବାର କଥାଟିଏ । ସେହିପରି ଏହି ରିଏଲ ଟାଇମ ପିସିଆର ମେସିନ ରେ ବ୍ୟବହୃତ ଟେଷ୍ଟିଙ୍ଗ କିଟ ଯାହାର ବଜାର ମୂଲ୍ୟ 700 – 800 ଟଙ୍କା । ତାହାକୁ 1314 ଟଙ୍କାରେ ଔଷଧ ନିଗମ କିଣିଛି । 2 ଲକ୍ଷ ଏହି ଭଳି ଟେଷ୍ଟିଙ୍ଗ କିଟ କିଣା ବାବଦକୁ 26 କୋଟି 80 ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି । ବଜାର ମୂଲ୍ୟ ଠାରୁ ବହୁ ଚଢ଼ା ଦାମରେ ମେସିନ ଏବଂ କିଟ କିଣିବା ପଛରେ ଅସାଧୁ ଉଦ୍ଦେଶ୍ୟ ସ୍ପଷ୍ଟ ପ୍ରମାଣିତ ।

ସରକାର କୋଟି କୋଟି ଟଙ୍କାର ପିପିଇ ( ପର୍ସନାଲ ପ୍ରୋଟେକ୍ଟିଭ ଇକ୍ୱିପମେଣ୍ଟ ) କିଣିଛନ୍ତି । ଏଗୁଡ଼ିକ ଡାକ୍ତର, ନର୍ସ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟକର୍ମୀ ମାନେ ବ୍ୟବହାର କରିଥାନ୍ତି, କରୋନା ସଂକ୍ରମଣରୁ ନିଜକୁ ସୁରକ୍ଷା ଦେବାପାଇଁ । ଆଇସିଏମଆର ର ଗାଇଡଲାଇନ ଅନୁସାରେ ଏହି ପିପିଇ ଗୁଡ଼ିକ ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀ ମାନେ ବ୍ୟବହାର କରିବା ପୂର୍ବରୁ ଏଗୁଡିକର ଟେଷ୍ଟିଙ୍ଗ ହେବା ଆବଶ୍ୟକ । ତାହା ନହେଲେ ଏହି ପିପିଇ ସେମାନଙ୍କୁ କରୋନା ସଂକ୍ରମଣରୁ ସୁରକ୍ଷା ଦେବା ନାହିଁ ସନ୍ଦେହ ରହିଥାଏ । ମାତ୍ର ଆଶ୍ଚର୍ଯ୍ୟର ବିଷୟ ହେଉଛି, ସରକାର ଔଷଧ ନିଗମ ଦ୍ୱାରା କିଣାଯାଇଥିବା ପିପିଇ ଗୁଡ଼ିକୁ ଟେଷ୍ଟିଙ୍ଗ କୌଣସି ବୈଷୟିକ ସଂସ୍ଥା ଦ୍ୱାରା ଟେଷ୍ଟିଙ୍ଗ ନକରି ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟକର୍ମୀ ମାନଙ୍କୁ ପିନ୍ଧେଇଛନ୍ତି, ଯାହା ସେମାନଙ୍କର ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି କରେ । ଭୁବନେଶ୍ୱର ରେ ସିପେଟ ଭଳି ସଂସ୍ଥା ରହିଛି । ତା’ ଦ୍ୱାରା ସରକାର ପିପିଇ ଗୁଡ଼ିକୁ ଟେଷ୍ଟିଙ୍ଗ କରେଇ ପାରିଥାନ୍ତେ କିନ୍ତୁ ତାହା କରି ନାହାନ୍ତି । ଏହା ସରକାରଙ୍କ ର କରୋନା ଯୋଦ୍ଧା ମାନଙ୍କ ପ୍ରତି କେତେ ସମ୍ମାନ ଏବଂ ସମ୍ବେଦନଶୀଳତା ରହିଛି ତାହାର ସାକ୍ଷ୍ୟ ବହନ କରେ ।

ଓଡିଶା ଔଷଧ ନିଗମର ବହୁ କେଳେଙ୍କାରୀ ଗୋଟିଏ ପରେ ଗୋଟିଏ ଆମର ହସ୍ତଗତ ହେଉଛି । ସେଗୁଡ଼ିକରେ ଲୁଚି ରହିଥିବା ଦୁର୍ନୀତି ଏବଂ କେଳେଙ୍କାରୀ କ୍ରମଶଃ ପଦାକୁ ଆସୁଛି । ସରକାର ଏହାର ବିଧିବଦ୍ଧ ତଦନ୍ତ କରି ଯେଉଁ ଅଫିସର ମାନେ ଏଥିରେ ସମ୍ପୃକ୍ତ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଆମେ ଦାବି କରୁଛୁ ।

Share

Leave a Reply

Your email address will not be published. Required fields are marked *

fourteen − eleven =