ଜଙ୍ଗଲ ନିଆଁ ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧିନ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଦ୍ୱାରା ନିଆଯାଇଥିବା ସକ୍ରିୟ ପଦକ୍ଷେପ ପାଇଁ ରାଜ୍ୟରେ ଜଙ୍ଗଲ ନିଆଁକୁ ପ୍ରତିହତ କରିବା ସହ ରାଜ୍ୟରେ ଜଙ୍ଗଲ ଅଗ୍ନି ପରିସ୍ଥିତିକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରାଯାଇପାରିଛି । ଶିମିଳିପାଳ ଜଙ୍ଗଲର ନିଆଁକୁ ଆୟାତାଧୀନ କରାଯାଇଛି । ନ୍ୟାସନାଲ ରିମୋଟ୍ ସେନ୍ସିଂ ସେଣ୍ଟର (ଏନ୍ଆରଏସସି), ହାଇଦ୍ରାବାଦର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଶିମିଳିପାଳ ଜଙ୍ଗଲରେ ନିଆଁ ଲାଗିବା କାର୍ଯ୍ୟ ସମ୍ପୂର୍ଣ୍ଣ ହ୍ରାସ ପାଇଛି । ଏଫ୍ଏସ୍ଆଇ ଦେହରାଡୁନ୍, ସୂଚନା ଅନୁଯାୟୀ ଗତକାଲିର ୭୦୧ଟି ଜଙ୍ଗଲ ଆଲର୍ଟ ସ୍ଥାନରେ ଆଜି ରାଜ୍ୟରେ ୩୪୧ଟି ଜଙ୍ଗଲ ଅଗ୍ନି ସତର୍କ ସୂଚନା ସହିତ ଶିମିଳିପାଳରେ କେବଳ ୪ଟି ଫାୟାର ଆଲର୍ଟ ରହିଛି ଏବଂ ରାଜ୍ୟରେ ଜଙ୍ଗଲ ଅଗ୍ନି ପରିସ୍ଥିତି ଆୟତାଧିନ ରହିଛି ।

ଜିଲ୍ଲାପାଳ, ଏସପି, ଉପ ଜିଲ୍ଲାପାଳ, ତହସିଲଦାର, ଜଙ୍ଗଲ ବିଭାଗର କ୍ଷେତ୍ର ଅଧିକାରୀମାନଙ୍କ ସହିତ ୨୪ ଘଣ୍ଟିଆ ଅଗ୍ନି ହ୍ରାସ କରିବାରେ ଓ କ୍ଷୟକ୍ଷତିର ଆକଳନ କରିବାରେ ସାହାଯ୍ୟ କରୁଛନ୍ତି । ରାତ୍ରି ପାଟ୍ରୋଲିଂ ସମେତ ଅନ୍ୟ ସମସ୍ତ ପାଟ୍ରୋଲିଂକୁ ଦୃଢ଼ୀଭୂତ କରାଯାଇଛି ଏବଂ ଏହାକୁ ପିସିସିଏଫ ଙ୍କ କାର୍ଯ୍ୟାଳୟର ଓଡ଼ିଶା ଫରେଷ୍ଟ ମ୍ୟାନେଜମେଣ୍ଟ ସିଷ୍ଟମ୍ ମାଧ୍ୟମରେ ୨୪ଘଣ୍ଟିଆ ପର୍ଯ୍ୟବେକ୍ଷଣ କରାଯାଉଛି । ଏମ୍ଓଡିଆଇଏସ୍ ଓ ଏସ୍ଏନପିପି ଉପଗ୍ରହ ଭିତ୍ତିକ ଜଙ୍ଗଲ ଅଗ୍ନି ଆଲର୍ଟ ପଏଣ୍ଟ , ତଥ୍ୟ ବ୍ୟବହାର କରି ଏଫଏସଆଇ ଦେହରାଡୁନରୁ ପ୍ରାପ୍ତ ବନାଗ୍ନି ସ୍ଥିତି ସଂକ୍ରାନ୍ତୀୟ ସବିଶେଷ ବିବରଣୀ ଏସଏମଏସ ଜରିଆରେ ତଥା ହ୍ୱାଟସଆପ୍ ମାଧ୍ୟମରେ କ୍ଷେତ୍ରୀୟ କର୍ମଚାରୀଙ୍କ ପଂଜୀକୃତ ମୋବାଇଲରୁ ଏବଂ ଇମେଲ୍ ବନଖଣ୍ଡ କାର୍ଯ୍ୟାଳୟକୁ ଅବିଳମ୍ବେ ପ୍ରେରଣ କରାଯାଉଅଛି । ବନ କର୍ମଚାରୀମାନେ ତୁରନ୍ତ ଏହି ପଏଣ୍ଟ ଗୁଡ଼ିକରେ ପହଞ୍ଚି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । ଏଯାବତ୍ ପ୍ରାପ୍ତ ଅଗ୍ନି ପଏଣ୍ଟ ଗୁଡ଼ିକର ପ୍ରାୟ ୯୫% କ୍ଷେତ୍ରରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏଫଏସ୍ଆଇ ଆଲର୍ଟ ସୂଚନା ଅନୂଯାୟୀ, ବର୍ତମାନ ସୁ୍ଦ୍ଧା ରାଜ୍ୟର ପ୍ରାୟତଃ କୌଣସି ଅଗ୍ନି ପଏଣ୍ଟ ଗୁଡ଼ିକର କ୍ରମାଗତ ଅଗ୍ନି ନାହିଁ ।

କ୍ଷେତ୍ର ସ୍ତରରେ ଜଙ୍ଗଲ ଅଗ୍ନି ନିୟନ୍ତ୍ରଣ ନିମନ୍ତେ ବର୍ଦ୍ଧିତ ମାନବ ଶକ୍ତି ଏବଂ ଭିତିଭୂମିର ଦୃଢ଼ୀକରଣ ଫଳପ୍ରଦ ଭାବରେ ବ୍ୟବହୃତ ହେଉଛି । ଅସୁରକ୍ଷିତ ବନାଞ୍ଚଳ ଏବଂ ବନାଗ୍ନି ପ୍ରାବଲ୍ୟ ସ୍ଥାନ ଗୁଡ଼ିକର ସୁରକ୍ଷା ନିମନ୍ତେ ଅଧିକ ଅଗ୍ନି ସଚେତନତା, ଅଗ୍ନି ନୀରିକ୍ଷଣକାରୀ ଦଳ ଏବଂ ଲିଫ୍ ବ୍ଲୋୟର୍ ନିୟୋଜନ କରାଯାଇଅଛି । ଜଙ୍ଗଲ ନିଆଁକୁ ନିୟନ୍ତ୍ରଣ କରିବା ପାଇଁ କ୍ରମାଗତ ଭାବରେ ପିଆରଆଇ ଏବଂ ସେଲ୍ଫ୍ ହେଲ୍ପ୍ ଗ୍ରୁପ୍ ସହାୟତାରେ ସମ୍ପ୍ରଦାୟ ମଧ୍ୟରେ ସଚେତନତା ବୃଦ୍ଧି ପାଇଁ ପ୍ରୟାସ ଜାରି ରହିଛି । ସ୍ଥାନୀୟ ସଂପ୍ରଦାୟ ସଜାଗ ରହିବା ପାଇଁ ଭିଏସଏସ/ଇଡିସିଏସସ୍/ଜେଏଫଏମ୍ସି ଗୁଡ଼ିକ ମାଧ୍ୟମରେ କ୍ରମାଗତ ଭାବରେ ସଚେତନତା ବୈଠକ ଆୟୋଜନ କରାହେଉଅଛି । ଅଗ୍ନି ନିୟନ୍ତ୍ରଣରେ ସକ୍ରିୟ ଭୂମିକା ପାଇଁ ସ୍ଥାନୀୟ କିମ୍ବା ଭିଏସଏସ ସଦସ୍ୟଙ୍କୁ ପ୍ରୋତ୍ସାହନ ପ୍ରଦାନ ଏବଂ ପୁରସ୍କାର ବ୍ୟତୀତ ଅନ୍ୟାନ୍ୟ ଆବଶ୍ୟକତା ଅନୁଯାୟୀ ଦେୟ ଆଧାରରେ ସ୍ଥାନୀୟ ସମ୍ପ୍ରଦାୟର ସଦସ୍ୟଙ୍କୁ ଅଗ୍ନି ନିର୍ବାପକ କାର୍ଯ୍ୟରେ ନିୟୋଜିତ କରିବାକୁ ରାଜ୍ୟ ସରକାର ବନଖଣ୍ଡ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।


ଅଗ୍ନିଶମ ଅଧିକାରୀଙ୍କ ସହିତ ୨୫ ଜଣ ସଦସ୍ୟ ବିଶିଷ୍ଟ ୮ଟି ଓଡ୍ରାଫ୍ ଟିମ୍ ଜଙ୍ଗଲ କର୍ମଚାରୀଙ୍କ ସହିତ ବନାଗ୍ନିକୁ ଆୟତ କରିବାରେ ସକ୍ରିୟ ଅଛନ୍ତି । ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ମୋନା ଶର୍ମା ଶିମିଳିପାଳ ଜଙ୍ଗଲ ଅଞ୍ଚଳ ସହ ଏହାର କୋର ଅଞ୍ଚଳ ପରିଦର୍ଶନ କରି ସ୍ଥାନୀୟ ଜନସାଧାରଣ ଓ ବନାଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ବନାଗ୍ନି ଦମନ ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିବା ସହ ସ୍ଥାନୀୟ ଲୋକଙ୍କର ସହଯୋଗକୁ କାୟମ ରଖି ବନାଗ୍ନିକୁ ଦମନ କରିବା ନିମନ୍ତେ ସମସ୍ତ ଉଦ୍ୟମ ଜାରି ରଖିବାକୁ ସମ୍ପୃକ୍ତ ଅଧିକାରୀ ଏବଂ କ୍ଷେତ୍ର କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେଣ୍ଟ୍ରାଲ ଟିମ୍ ଶିିମିଳିପାଳ ଗସ୍ତ ପରେ ବର୍ତମାନ କୁଲଡିହା ବନ୍ୟଜନ୍ତୁ ଅଭୟାରଣ୍ୟରେ ଆମର କ୍ଷେତ୍ର ଅଧିକାରୀମାନଙ୍କ ସହ ଅଗ୍ନି ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରୁଛନ୍ତି ।ରାଜ୍ୟରେ ଜଙ୍ଗଲ ଅଗ୍ନି ପରିଚାଳନା ପାଇଁ ସରକାର ଏବଂ ଟାସ୍କ ଫୋର୍ସ ଦ୍ୱାରା କ୍ଷେତ୍ର ଅଧିକାରୀଙ୍କ ସହିତ ଅଗ୍ନି ସ୍ଥିତିର ନିରନ୍ତର ବ୍ୟକ୍ତିଗତ ତଦାରଖ ଓ ସମୀକ୍ଷା ଜାରି ରହିଛି ।

Share

Leave a Reply

Your email address will not be published. Required fields are marked *

seventeen − four =