ଓଡିଶାରୁ ଆନ୍ତର୍ଯ୍ୟାତିକ ବିମାନ ଉଡାଣ ଦାବି କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିମାନ ଚଳାଚଳ କ୍ଷେତ୍ରରେ ଆଖିଦୃଶିଆ ଉନ୍ନତି ସତ୍ତ୍ୱେ ଓଡ଼ିଶାକୁ ମିଳୁନି ପ୍ରାଥମିକତା । ଭୁବନେଶ୍ୱର, ଝାରସୁଗୁଡ଼ାରୁ ଦେଶ ଭିତରେ ବିମାନ ଚଳାଚଳରେ ଉନ୍ନତି ଆସିଛି । କିନ୍ତୁ, ଅନ୍ତର୍ଜାତୀୟ ଉଡ଼ାଣ ପାଇଁ ସୁଯୋଗ ଥାଇ ବିମାନ ଉଡ଼ୁନି । ଫଳରେ ଓଡ଼ିଶାବାସୀଙ୍କୁ ଦିଲ୍ଲୀ ଓ କୋଲକାତା ଉପରେ ନିର୍ଭର କରିବାକୁ ପଡ଼ୁଛି । ଏଣୁ, ଓଡ଼ିଶାରୁ ଅନ୍ତର୍ଜାତୀୟ ବିମାନ ଉଡ଼ାଣକୁ ଗୁରୁତ୍ୱ ଦିଆଯାଉ । ଭୁବନେଶ୍ୱର ଓ ଝାରସୁଗୁଡ଼ା ବିମାନବନ୍ଦରରୁ ଅନ୍ତର୍ଜାତୀୟ ଉଡ଼ାଣ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରକୁ ଚିଠି ଲେଖିଛନ୍ତି ।

କେନ୍ଦ୍ର ବେସାମରିକ ବିମାନ ଚଳାଚଳ ରାଷ୍ଟ୍ର ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କୁ ଚିଠି ଲେଖି ମୁଖ୍ୟମନ୍ତ୍ରୀ ଅଧିକ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ପାଇଁ ଦାବି କରିଛନ୍ତି । ଅନ୍ତର୍ଜାତୀୟ ବିମାନ ଉଡ଼ାଣ ପାଇଁ ଓଡ଼ିଶାରେ ଭରପୂର ସୁଯୋଗ ରହିଛି । ମୁଖ୍ୟମନ୍ତ୍ରୀ, ହରଦୀପ ସିଂ ପୁରୀ ଓ ମନ୍ତ୍ରାଳୟର ଅଧିକାରୀ ଓ ଏୟାରଲାଇନ୍ସର ସିଇଓଙ୍କୁ ଓଡ଼ିଶା ଆସିବାକୁ ଆମନ୍ତ୍ରଣ କରିଛନ୍ତି ।

ଓଡ଼ିଶାର ଲୋକ ଆମେରିକା, ୟୁରୋପ ଓ ମଧ୍ୟ ପୂର୍ବ ଦେଶରେ ରହୁଛନ୍ତି । ସ୍କିଲ୍ଡ ଓଡ଼ିଶା ମାଧ୍ୟମରେ ସୃଷ୍ଟ କୁଶଳୀ ଓଡ଼ିଆ କାରିଗର ବିଦେଶରେ ନିଯୁକ୍ତି ପାଇଛନ୍ତି । ତେଣୁ, ଭୁବନେଶ୍ୱରରୁ ଏହି ସବୁ ଦେଶକୁ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ହେଲେ ଓଡ଼ିଆ ଉପକୃତ ହେବା ସହ କମ୍ ବ୍ୟୟ ହେବ ବୋଲି ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି । ଏଥିସହ ଓଡ଼ିଶାରେ ପର୍ଯ୍ୟଟନର ଭରପୂର ସୁଯୋଗ ରହିଛି । ଚିଲିକା, ଶିମିଳିପାଳ, ଭିତରକନିକା, ସାତକୋଶିଆ ଭଳି ପର୍ଯ୍ୟଟନ ସ୍ଥଳୀ ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି । ରାଜ୍ୟରେ ବୌଦ୍ଧ ତୀର୍ଥସ୍ଥଳୀ ଅନ୍ତର୍ଜାତୀୟ ସ୍ତରରେ ପରିଚିତି ପାଇଛି ।

ତେଣୁ, ଅନ୍ତର୍ଜାତୀୟ ବିମାନ ଚଳାଚଳ ହେଲେ ବିଦେଶୀ ପର୍ଯ୍ୟଟକ ସହଜରେ ଆସିପାରିବେ । ଏହାଛଡ଼ା ଓଡ଼ିଶା ୨୦୨୩ରେ ୱାର୍ଲଡକପ୍ ହକି ଆୟୋଜନ କରିବାକୁ ଯାଉଛି । ଏହା ପୂର୍ବରୁ ଉଡ଼ାଣ ଯୋଜନାରେ ଜୟପୁର ଓ ରାଉରକେଲାରୁ ବିମାନ ଚଳାଚଳ ଆରମ୍ଭ କରିବାକୁ ନବୀନ ଦାବି କରିଛନ୍ତି । ସୂଚନାଯୋଗ୍ୟ ୨୦୨୩ ହକି ବିଶ୍ୱକପ୍ ଭୁବନେଶ୍ୱର ସମେତ ରାଉରକେଲାରେ ଖେଳାଯିବ । ସେହିଭଳି ଓଡ଼ିଶା ଶିଳ୍ପ ଉତ୍ପାଦନ କ୍ଷେତ୍ରରେ ଆଗେଇଛି । ସବୁକୁ ଦୃଷ୍ଟିରେ ରଖି ଓଡ଼ିଶାରୁ ଅଧିକ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ହେଉ । ରାଜ୍ୟ ସରକାର ସମସ୍ତ ପ୍ରକାର ସହାୟତା ଯୋଗାଇଦେବେ ବୋଲି ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

18 − three =