ଆଉଟସୋର୍ସିଂରେ ନିଯୁକ୍ତ ଠିକା କର୍ମଚାରୀଙ୍କୁ ମିଳୁନି ଇପିଏଫ୍ ସୁବିଧା

ଭୁବନେଶ୍ୱର : ସରକାରୀ ସଂସ୍ଥାରେ ଚାକିରି । ଦରମା ବି କିଛି କମ୍ ନୁହେଁ । ବ୍ୟାଙ୍କ୍ ଆକଉଣ୍ଟକୁ ପ୍ରତିମାସରେ ମୋଟା ରକମର ଦରମା ଆସୁଛି । ହେଲେ ବ୍ୟାଙ୍କରୁ ଋଣ ପାଇଁ ଗଲେ ଫେରାଇ ଦିଅ।।ଯାଉଛି । ଏହାର କାରଣ ହେଉଛି ଆଉଟସୋର୍ସିଂରେ ନିଯୁକ୍ତି ପାଇଥିବା ଏହି କର୍ମଚାରୀଙ୍କର ଇପିଏଫ୍ କଟୁନାହିଁ । ଇପିଏଫ୍ ନଥିବାରୁ ବ୍ୟାଙ୍କମାନେ ଏମାନଙ୍କ ଋଣ ପରିଶୋଧ ଉପରେ ଭରସି ପାରୁନାହାନ୍ତି ।

ଏଭଳି ଅବସ୍ଥା ରାଜ୍ୟ ସରକାରଙ୍କର ଗୃହ ଓ ନଗର ଉନ୍ନୟନ ବିଭାଗରେ ଦେଖିବାକୁ ମିଳିଛି । ବିଭାଗ ଅଧିନରେ ଥିବା ପୌରସଂସ୍ଥାଗୁଡିକରେ ମାଳ ମାଳ କନସଲଟାକ୍ଟ, ଆକାଉଣ୍ଟାଣ୍ଟ, ପ୍ରୋଗ୍ରାମର ସହିତ ଆହୁରି ଅନେକ ପ୍ରକାରର ଶହ ଶହ କର୍ମଚାରୀ ବିଭିନ୍ନ ପ୍ରକଳ୍ପରେ କାର୍ଯ୍ୟରତ ଅଛନ୍ତି । ଏମାନଙ୍କ ମଧ୍ୟରେ ଲକ୍ଷାଧିକ ଟଙ୍କା ଦରମା ନେଉଥିବା କର୍ମଚାରୀ ବି ରହିଛନ୍ତି । ମାସକୁ ମାସ ସରକାର ତହବିଲରୁ ଏମାନଙ୍କୁ ଦରମା ମିଳୁଛି । ହେଲେ ଅନେକଙ୍କର ଇପିଏଫ୍ କଟୁନି । ଏହାର କାରଣ ହେଉଛି ଯେଉଁ ସଂସ୍ଥା ଏମାନଙ୍କୁ ସରକାରରେ ନିଯୁକ୍ତି ଦେଇ କୋଟି କୋଟି ଟଙ୍କାର ମୁନାଫା ଉଠାଉଛି ସେହି ସଂସ୍ଥା ଇପିଏଫ ଦେବାକୁ କୁନ୍ଥୁ କୁନ୍ଥୁ ।

ଯଦି କର୍ମଚାରୀଙ୍କ ଇପିଏଫ୍ କଟିବ ତେବେ ସମ୍ପୃକ୍ତ ସଂସ୍ଥାକୁ ବି ସମ ପରିମାଣର ଅର୍ଥ ଦେବାକୁ ପଡିବ । ଏଥିରୁ ନିସ୍ତାର ପାଇବାପାଇଁ ଅନେକଙ୍କର ଇପିଏଫ୍ ଦାଖଲ ହେଉନାହିଁ । ସବୁଠାରୁ ବଡ କଥା ହେଉଛି ବିଭାଗର ବଡ ପଣ୍ଡାମାନେ ଏ ସଂକ୍ରାନ୍ତରେ ଉଣା ଅଧିକେ ଜାଣିଛନ୍ତି । ହେଲେ କର୍ମଚାରୀ ଯୋଗାଇଥିବା ସଂସ୍ଥାକୁ ତାଗିଦ କରିବାକୁ ଏମାନଙ୍କର ପାଟି ଫିଟୁନାହିଁ । କାରଣ କର୍ମଚାରୀ ଯୋଗାଣ ସମୟରେ ନିଜ ଜ୍ଞାତି କୁଟୁମ୍ବ, ଚିହ୍ନା ପରିଚୟ ଆଦିଙ୍କୁ ଭର୍ତ୍ତିକରି ଭଲ ରୋଜଗାର କରିବା ସହିତ ସମ୍ପୃକ୍ତ ସଂସ୍ଥାରୁ ବି ମାଲ୍ ନେଉଥିବା ଘେନି ଚର୍ଚ୍ଚା ହେଉଛି । ତେଣୁ ସଂସ୍ଥା ଯାହା କଲେ ଏମାନଙ୍କ ନଜରକୁ ଆସୁନାହିଁ ।

କୌଣସି ସଂସ୍ଥାରେ ନିଯୁକ୍ତ କର୍ମଚାରୀମାନଙ୍କ ଇପିଏଫ ନକଟିଲେ ମାଲିମୋକଦ୍ଦା ହେଉଛି । ହେଲେ ଖୋଦ୍ ସରକାରୀ ସଂସ୍ଥାରେ କାର୍ଯ୍ୟରତ କର୍ମଚାରୀଙ୍କ ଇପିଏଫ କାହିଁକି କଟୁନାହିଁ ତାହାର ତର୍ଜମା କେବେ ସରକାର କରୁନାହାନ୍ତି । ଏ ନେଇ ହେଉଥିବା ଆଲୋଚନାରୁ ଜଣାଯାଇଛି ଯେ ଏକାଧିକ ସଂସ୍ଥା ବିଭାଗକୁ କର୍ମଚାରୀ ଯୋଗାଇଥିବାବେଳେ ସେମାନେ କିଛି ଅସାଧୁ ଅଫିସରଙ୍କ ସହ ମିଶି ଏଭଳି ଷଡଯନ୍ତ୍ର ରଚିଛନ୍ତି । ଯାହା ଫଳରେ କର୍ମଚାରୀମାନେ ଖାଲି ଇପିଏଫ୍ ସୁବିଧାରୁ ବଞ୍ଚିତ ହେଉନାହାନ୍ତି, ବରଂ ଅସୁବିଧା ସମୟରେ ବ୍ୟାଙ୍କରୁ ଋଣ ଟିଏ ବି ପାଇପାରୁ ନାହାନ୍ତି ।

କେବଳ ସରକାରଙ୍କର ଏହି ଗୋଟିଏ ବିଭାଗ ନୁହେଁ, ଯେଉଁସବୁ ବିଭାଗରେ ମାଳ ମାଳ ଆଉଟସୋର୍ସିଂ କର୍ମଚାରୀ ଠିକାରେ ଅଛନ୍ତି ଉଣାଅଧିକେ ସବୁଠି ଏହି ରୋଗ ବ୍ୟାପିଛି । ତେଣୁ ସରକାର ଏ ଦିଗରେ ଧ୍ୟାନ ଦେବା ସହିତ ସମସ୍ତ କର୍ମଚାରୀଙ୍କର କିଭଳି ଇପିଏଫ ଓ ଇଏସଆଇ ସୁବିଧା ହେବ ସେ ଦିଗରେ ପଦକ୍ଷେପ ନେବାକୁ ମତପ୍ରକାଶ ପାଉଛି ।

Share

Leave a Reply

Your email address will not be published. Required fields are marked *

15 + 10 =