ନୂଆ ବର୍ଷରେ ନୂଆ ଶଙ୍କଳ୍ପ: ଏସିବିରେ ଏମସ୍ ପ୍ଲସ ଚିକିତ୍ସା ସୁବିଧା

ଭୁବନେଶ୍ବର () ଶ୍ରୀରାମଚନ୍ଦ୍ରଭଞ୍ଜ ମେଡିକାଲ କଲେଜ ହେଉଛି ଓଡ଼ିଶାବାସୀଙ୍କର  ଭରସାର କେନ୍ଦ୍ର । ସ୍ବାସ୍ଥ୍ୟ ସେବା ପାଇଁ ଓଡିଶାବାସୀଙ୍କର ବିଶ୍ବାସର କେନ୍ଦ୍ର କଟକ ଶ୍ରୀରାମଚନ୍ଦ୍ରଭଞ୍ଜ ମେଡିକାଲ କଲେଜର ନବକଳେବର ହେବ । ସେଥିପାଇଁ ୩୫୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ । ଏହି ସମ୍ମାଜ ଜନକ ଅନୁଷ୍ଠାନକୁ ଏକ ବିଶ୍ବସ୍ତରୀୟ ଚିକିତ୍ସା ଅନୁଷ୍ଠାନ ଭାବରେ ବିକଶିତ କରିବା ଲକ୍ଷ୍ୟ ନେଇ ଏହି ପ୍ରକଳ୍ପ ୫ଟି କାର୍ଯ୍ୟକ୍ରମ ଅଧୀନରେ କାର୍ଯ୍ୟକାରୀ କରାଯିବ । ସାଧାରଣ ଲୋକଙ୍କୁ ମିଳିବ ଉନ୍ନତ ଚିକିତ୍ସା ସେବା । ଲକ୍ଷ୍ୟ, ଏମ୍‌ସ ପ୍ଲସ । ଏହି ଯୋଜନାରେ ଭିତ୍ତିଭୂମିର ବିକାଶ ସହିତ ବ୍ୟବସ୍ଥାରେ ମଧ୍ୟ ପରିବର୍ତ୍ତନ ଅଣାଯିବ, ଯାହା କି ୫-ଟି କାର୍ଯ୍ୟକ୍ରମର ମୁଖ୍ୟ ଆଧାର ।

୨୦୨୧ରେ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଏହା ଏକ ନୂଆ ଯୁଗର ସଂକେତ ଦେଉଛି । ମେଡିକାଲ କଲେଜ ଓ ହସ୍ପିଟାଲ ପାଇଁ ସରକାରୀ ସ୍ତରରେ ଏହା ଦେଶର ସର୍ବ ବୃହତ ପ୍ରକଳ୍ପ । ୫୦୦୦ ଶଯ୍ୟ ସହିତ ଡାକ୍ତର, ରୋଗୀ ଓ ଅନ୍ୟ ସ୍ବାସ୍ଥ୍ୟ କର୍ମଚାରୀମାନଙ୍କ ପାଇଁ ଅତ୍ୟାଧୁନିକ ଚିକିତ୍ସା ସୁବିଧା ଏଠାରେ ଉପଲବ୍ଧ ହେବ । ୧୯୪୪ ମସିହାରେ ସ୍ଥାପିତ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ ଦୀର୍ଘ ଦିନ ଧରି ଓଡ଼ିଶା ସମେତ ପୂର୍ବ ଭାରତର ବିଭିନ୍ନ ରାଜ୍ୟର ଲୋକମାନଙ୍କୁ ଉନ୍ନତ ଚିକିତ୍ସା ଯୋଗାଇବାରେ ସୁନାମ କରିଛି । ଏଠାରେ ପଢିଥିବା
ଡାକ୍ତରମାନେ ସାରା ପୃଥିବୀରେ ସେମାନଙ୍କର ଦକ୍ଷତା ଦ୍ବାରା ଓଡିଶାର ଗୌରବ ବୃଦ୍ଧି କରିଛନ୍ତି । ଦେଶରେ ଚିକିତ୍ସା ଓ ଡାକ୍ତରୀ ଶିକ୍ଷା କ୍ଷେତ୍ରରେ ଏହି ମର୍ଯ୍ୟାଦାଜନକ ଅନୁଷ୍ଠାନକୁ ଏକ ବିଶ୍ବସ୍ତରୀୟ ଚିକିତ୍ସା କେନ୍ଦ୍ରରେ ପରିଣତ କରାଯିବ ।

ମୁଖ୍ୟମନ୍ତ୍ରୀଙ୍କର ୫-ଟି କାର୍ଯ୍ୟକ୍ରମ ଅଧୀନରେ ଚିକିତ୍ସା ଓ ଡାକ୍ତରୀ ଶିକ୍ଷା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିବା ଲକ୍ଷ୍ୟ ନେଇ ଆରମ୍ଭ ହେବାକୁ ଥିବା ଏହି ପ୍ରକଳ୍ପ ରୋଗୀମାନଙ୍କୁ ସୁଲଭ ତଥା ଗୁଣାତ୍ମକ ଚିକିତ୍ସା ସେବା ଯୋଗାଇବାରେ ଏକ ଉଦାହରଣ ହୋଇ ରହିବ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ଜନସାଧାରଣ ସୁଲଭ ତଥା ଉଚ୍ଚ ଗୁଣାତ୍ମକ ମାନର ସ୍ୱାସ୍ଥ୍ୟସେବା ପାଆନ୍ତୁ । ଲକ୍ଷ୍ୟ, ଓଡିଶାର ଲୋକ ଏହିଠାରେ ହିଁ ଉନ୍ନତ ଚିକିତ୍ସା ପାଇପାରିବେ । ବହୁ ଓଡିଆ ଡାକ୍ତର ଦେଶ ବିଦେଶରେ ଚିକିତ୍ସା ସେବା ଯୋଗାଇ ସୁନାମ କରିଛନ୍ତି । ସେମାନେ ଯେପରି ସେମାନଙ୍କ ଜନ୍ମ ମାଟିରେ ସେମାନଙ୍କ ଦକ୍ଷତାକୁ  ଓଡିଶାବାସୀଙ୍କ ସେବାରେ ଲଗାଇ ପାରିବେ, ସେଥିପାଇଁ ମଧ୍ୟ ଏକ ଉତ୍ତମ ପରିବେଶ ସୃଷ୍ଟି କରାଯିବ ବୋଲି ସେ କହିଥିଲେ ।

ଏହି ପ୍ରକଳ୍ପକୁ ସେ ନିଜେ ବ୍ୟକ୍ତିଗତ ଭାବରେ ତଦାରଖ କରୁଛନ୍ତି । ସମସ୍ତଙ୍କର ସହଯୋଗରେ ଏହି ଅନୁଷ୍ଠାନ ଦିନେ ଦେଶର ଶ୍ରେଷ୍ଠ ୩ଟି ଚିକିତ୍ସା ଅନୁଷ୍ଠାନ ମଧ୍ୟରେ ସ୍ଥାନ ପାଇବାରେ ସଫଳ ହେବ ବୋଲି ଆଶାବ୍ୟକ୍ତ କରିଥିଲେ । ୧୭୫ ଏକର ଜମିରେ ବିକଶିତ ହେବାକୁ ଥିବା ଏକ ମର୍ଯ୍ୟାଦାଜନକ ପ୍ରକଳ୍ପରେ ପ୍ରଥମ ପର୍ଯ୍ୟାୟରେ ଶର୍ଯ୍ୟା ସଂଖ୍ୟା ୩୫୦୦ କରାଯିବ ଏବଂ ଦ୍ବିତୀୟ ପର୍ଯ୍ୟାୟରେ ଏହାକୁ ୫୦୦୦କୁ ବୃଦ୍ଧି କରାଯିବ । ୩ ବର୍ଷରେ ସଂପୂର୍ଣ୍ଣ ହେବାକୁ ଥିବା ଏହି ପ୍ରକଳ୍ପରେ ଡାକ୍ତର, ରୋଗୀ, ରୋଗୀଙ୍କ ସହାୟକ, ସ୍ବାସ୍ଥ୍ୟ କର୍ମଚାରୀ
ସମସ୍ତଙ୍କ ପାଇଁ ଅତ୍ୟାଧୁନିକ ସୁବିଧା ଉପଲବ୍ଧ ଦେବ । ଅତ୍ୟାଧୁନିକ ଚିକିତ୍ସା ଉପକରଣ ସହିତ ପରିବହନ ବ୍ୟବସ୍ଥା, ଆଧୁନିକ ରେଷ୍ଟୁରେଣ୍ଟ, ବାଣିଜ୍ୟ କେନ୍ଦ୍ର ଓ ସୁରକ୍ଷା ବ୍ୟବସ୍ଥା ଆଦି ସମସ୍ତ ସୁବିଧା ଉପଲବ୍ଧ ହେବ ।

ଏଥିରେ ୧୨୮୦ଟି ସରକାରୀ ବାସଗୃହ ନିର୍ମିତ ହେବା ସହିତ ଛାତ୍ରାବାସରେ ଅଧିକ ୨୨୦୦ ଜଣ ଛାତ୍ରଛାତ୍ରୀ ରହିବାର ବ୍ୟବସ୍ଥା କରାଯିବ । ଏହି ହସ୍ପିଟାଲର ଉନ୍ନତି ସହିତ କ୍ରୀଡାଓ ମନୋରଞ୍ଜନ ପାଇଁ ମଧ୍ୟ ଉତ୍ତମ ପରିବେଶ ସୃଷ୍ଟି କରାଯିବ । ଏହି ମେଡିକାଲ କଲେଜ ହସ୍‌ପିଟାଲର ସୁପରିଚାଳନା ପାଇଁ ଏକ ସ୍ବାଧୀନ
ପରିଚାଳନା ମଣ୍ଡଳୀ ରହିବ ଯାହାକି ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ସହିତ ଚିକିତ୍ସା, ଶିକ୍ଷା ଓ ଗବେଷଣାର ମାନ ବୃଦ୍ଧି ପାଇଁ କାମ କରିବ । ଏହି ପ୍ରକଳ୍ପ ନିର୍ଦ୍ଧାରିତ ସମୟରେ ଶେଷ ହେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।

ବୈଠକରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ପୂର୍ଷ ସଚିବ ପ୍ରକଳ୍ପ ସଂପର୍କରେ ବିସ୍ତୁତ ଉପସ୍ଥାପନା ରଖିଥିଲେ ।

Share

Leave a Reply

Your email address will not be published. Required fields are marked *

five × 1 =