୬ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର

ଦୁର୍ନୀତି ଓ ଅପାରଗତା ଯୋଗୁଁ ରାଜ୍ୟ ସରକାର ଆଜି ୬ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି । ସେମାନଙ୍କ ମଧ୍ୟରୁ ୪ ଜଣ ଇଂଜିନିୟର ଥିଲାବେଳେ ୨ ଜଣ ଅବକାରୀ ବିଭାଗର ଅଧିକାରୀ ଅଟନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ସାଧାରଣ ଜୀବନରେ ସାଧୁତା ଓ ନୈତିକତା ଉପରେ ଗୁରୁତ୍ଵ ଦେଇ ଆସିଛନ୍ତି । ଅପାରଗ ତଥା ଅସାଧୁ ଅଧିକାରୀଙ୍କ ବିରୁଦ୍ଧରେ ଶୂନ୍ୟ ସହିଷ୍ଣୁତା ଉପରେ ସବୁବେଳେ ଜୋର ଦେଇ ଆସିଛନ୍ତି । ଦୁର୍ନୀତି ଓ ଅପାରଗତା ବିରୁଦ୍ଧରେ ସବୁବେଳେ କଠୋର ପଦକ୍ଷେପ ନେଇଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ବାଧ୍ୟତାମୂଳକ ଅବସର ଦିଆଯାଇଥିବା ଅଧିକାରୀମାନେ ହେଲେ କେନ୍ଦୁଝର ଗ୍ରାମ୍ୟ ଉନ୍ନୟନ ଉପନିର୍ବାହୀ ଯନ୍ତ୍ରୀ ଅଜିତ କୁମାର ଦେବତା । ତାଙ୍କ ବିରୁଦ୍ଧରେ ଦୁଇଟି ଭିଜିଲାନ୍ସ କେସ୍ ରହିଛି ଏବଂ ସେ ଏକ କୋଟିରୁ ଅଧିକ ଟଙ୍କାର ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିଥିବାର ଅଭିଯୋଗ ରହିଛି । କଟକ R&B କ୍ୱାଲିଟି କଣ୍ଟ୍ରୋଲ ସହକାରୀ ଯନ୍ତ୍ରୀ ଜିତେନ୍ଦ୍ର କୁମାର ଦଳାଇ | ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ତାଙ୍କ ବିରୁଦ୍ଧରେ ଦୁଇଟି ଭିଜିଲାନ୍ସ କେସ୍ ରହିଛି ।

ମୟୁରଭଞ୍ଜ କରଞ୍ଜିଆରଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ଯନ୍ତ୍ରୀ ବିଜୟ ପରିଡାଙ୍କ ନାଁରେ ତିନିଗୋଟି ଭିଜିଲାନ୍ସ କେସ୍ ଜଡିତ ରହିଛି । ମରାମତି କାମ କରିବା ସମୟରେ ସରକାରୀ ଅର୍ଥ ଆତ୍ମସାତ କରିଥିବା ଅଭିଯୋଗ ରହିଛି । ଭୁବନେଶ୍ୱର R&B ସହକାରୀ ଯନ୍ତ୍ରୀ ଗଣେଶ୍ୱର ସେଠୀଙ୍କ ବିରୁଦ୍ଧରେ ଅଶୋଭନୀୟ ବ୍ୟବହାର ତଥା କର୍ତ୍ତବ୍ୟରେ ଅବହେଳା ଆଦି ଗୁରୁତର ଅଭିଯୋଗକୁ ଭିତ୍ତିକରି ୬ ଗୋଟି ବିଭାଗୀୟ କାର୍ଯ୍ୟାନୁଷ୍ଠାନ କରାଯାଇଥିଲା । ସମ୍ବଲପୁର ଓଡିଶା ପାନୀୟ ନିଗମ ବିଏମ ଭାବରେ କାର୍ଯ୍ୟରତ ଜୟଦୀପ ପଟ୍ଟନାୟକଙ୍କର କାର୍ଯ୍ୟକଳାପ ସରକାରୀ ଶାଳୀନତା ଓ ସୌଜନ୍ୟର ବିରୁଦ୍ଧାଚରଣ କରୁଥିଲା । ଦାୟୀତ୍ୱରେ ଅବହେଳା ସହିତ ସରକାରୀ ସମ୍ପତ୍ତର କୁପରିଚାଳନା ଏବଂ ଅଫିସ ସମୟରେ ମଦ୍ୟପାନ ଆଦି ଅଭିଯୋଗ ତାଙ୍କ ବିରୁଦ୍ଧରେ ରହିଛି ।

ସୁନ୍ଦରଗଡ଼ରେ କାର୍ଯ୍ୟରତ ଅବକାରୀ ନିରୀକ୍ଷକ ରିହାଜ ଅହମ୍ମଦ ବେଗ୍ ଙ୍କ ଚାକିରୀ କାଳ ମଧ୍ୟରେ ପାଞ୍ଚ ଥର ନିଲମ୍ବିତ ହୋଇଛନ୍ତି । ଅପାରଗତା,ନିଷ୍ଠାହୀନତା ତଥା ଦାୟୀତ୍ବହୀନ ବ୍ୟବହାର ପାଇଁ ତାଙ୍କ ବିରୁଦ୍ଧରେ ମଧ୍ୟ ପାଞ୍ଚଗୋଟି ବିଭାଗୀୟ କାର୍ଯ୍ୟାନୁଷ୍ଠାନ କରାଯାଇଛି । ଦାଇତ୍ୱରେ ଅବହେଳା ଓ ଅଶୋଭନୀୟ ବ୍ୟବହାର ଆଦି ବିଭିନ୍ନ ଅଭିଯୋଗ ତାଙ୍କ ବିରୁଦ୍ଧରେ ରହିଥିବାରୁ ସେ ସରକାରୀ ଚାକିରୀ କରିବା ପାଇଁ ସମ୍ପୂର୍ଣ୍ଣ ଅଯୋଗ୍ୟ । ପ୍ରଶାସନରେ ସ୍ୱଚ୍ଛତା, ଉତ୍ତରଦାୟୀତ୍ବ ଓ ସେବା ମନୋଭାବର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ସବୁବେଳେ ଗୁରୁତ୍ଵ ଦେଇ ଆସିଛନ୍ତି । ତେଣୁ ଦୁର୍ନୀତି ତଥା ଲୋକଙ୍କୁ ସେବା ଯୋଗାଇବାରେ ଅବହେଳା କରୁଥିବା କର୍ମଚାରୀ ମାନଙ୍କ ପାଇଁ ଏହି ପଦକ୍ଷେପ ଏକ ସତର୍କ ଘଣ୍ଟି ।

Share

Leave a Reply

Your email address will not be published. Required fields are marked *

19 + 5 =