ଫୋକସରେ ନୂଆ ଭୋଟର

ଭୁବନେଶ୍ବର () ପ୍ରକାଶ ପାଇଛି ଚିଠା ଭୋଟର ତାଲିକା । ତଦନୁଯାୟୀ ରାଜ୍ୟରେ ଆଜି ସୁଦ୍ଧା ମୋଟ ଭୋଟର ସଂଖ୍ୟା ହେଉଛି 3 କୋଟି 12 ଲକ୍ଷ 52ହଜାର 333 । ସେ ମଧ୍ୟରୁ ପୁରୁଷ ଭୋଟର 1 କୋଟି 61 ଲକ୍ଷ 14ହଜାର 200 ଏବଂ ମହିଳା ଭୋଟର ସଂଖ୍ୟା 1 କୋଟି 51 ଲକ୍ଷ 36ହଜାର 36  । ତୃତୀୟ ଲିଙ୍ଗ ଭୋଟରଙ୍କ ସଂଖ୍ୟା ହେଉଛି 2097 । ଆଜିଠାରୁ ଚିଠା ଭୋଟର ତାଲିକାରେ ସଂଶୋଧନ ପ୍ରକ୍ରିୟା ଆରମ୍ଭ ହୋଇଛି । ଅକ୍ଟୋବର 31 ତାରିଖ ଯାଏଁ ସଂଶୋଧନ ପ୍ରକ୍ରିୟା ଜାରି ରହିବ ଏବଂ ଜାନୁଆରୀ 4 ତାରିଖରେ ଚୁଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ । ଭୋଟର ତାଲିକାରେ ନାମ ପଂଜିକରଣ ପାଇଁ ଭୁଲ ତଥ୍ୟ ଦେଲେ କିମ୍ବା ଏକାଧିକ ନିର୍ବାଚନମଣ୍ଡଳୀରେ ନାମ ପଂଜିକୃତ ହୋଇଥିଲେ ସଂପୃକ୍ତ ବ୍ୟକ୍ତି ଲୋକ ପ୍ରତିନିଧି ଆଇନର ଧାରା 31 ଅନୁୟାୟୀ ଦଣ୍ଡନୀୟ ହେବେ । ତାଙ୍କୁ ଏକ ବର୍ଷ ପର୍ଯ୍ୟନ୍ତ ଜେଲ କିମ୍ବା ଜୋରିମାନା କିମ୍ବା ଉଭୟ ଦଣ୍ଡର ବ୍ୟବସ୍ଥା ରହିଛି । ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ଏହି ସୂଚନା ଦେଇଛନ୍ତି ।

ଭୋଟର ତାଲିକା ସଂଶୋଧନରେ ନୂଆ ଭୋଟର, ମହିଳା, ଅନୁସୂଚିତ ଜାତି ଓ ଜନଜାତୀ ଏବଂ ଭିନ୍ନକ୍ଷମଙ୍କୁ ଅଗ୍ରାଧିକାର ଦିଆଯିବ । 2019 ଜାନୁଆରୀ 1 ତାରିଖ ସୁଦ୍ଧା 18 ବର୍ଷ ହେଉଥିବା ଯୁବକ ଯୁବତୀମାନଙ୍କୁ ନୂଆ ଭୋଟର ଭାବେ ଗ୍ରହଣ କରିପାରିବେ । ସେମାନେ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ନିଜର ଜନ୍ମ ପ୍ରମାଣପତ୍ର ଏବଂ ବାସସ୍ଥାନ ପ୍ରମାଣପତ୍ର ସହ ବୁଥ ସ୍ତରୀୟ ଅଧିକାରୀଙ୍କ ପାଖରେ ଆବେଦନ କରିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ପରାମର୍ଶ ଦେଇଛନ୍ତି । ଅନଲାଇନରେ ମଧ୍ୟ ଭୋଟର ତାଲିକା ସଂଶୋଧନ ଏବଂ ନୂଆ ଭୋଟରଙ୍କ ନାମ ପଂଜିକରଣ ହୋଇପାରିବ । ଏଥିପାଇଁ ଆଗ୍ରହୀ ବ୍ୟକ୍ତି www.ceoorissa.nic.in /www.nvsp.in ରେ ଅନଲାଇନ ଦରଖାନ୍ତ ଦେଇପାରିବେ ।

ଚିଠା ଭୋଟର ତାଲିକା ରାଜ୍ୟର ସବୁ ବୁଥରେ ଉପଲବ୍ଧ ହେବ । ଏଥର ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନଙ୍କ ମୋଟୋ ହେଉଛି – କୌଣସି ଭୋଟର ତାଲିକାରୁ ବାଦ ପଡିବେ ନାହିଁ । ତଦନୁଯାୟୀ ସବୁ ବୁସ୍ତ ସ୍ତରୀୟ ଅଧିକାରୀ ଓ ଉପଜିଲ୍ଲାପାଳ ବା ସହକାରୀ ରିଟର୍ଣ୍ଣି ଅଫିସରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଭୋଟର ତଲିକାରେ ସଂଶୋଧନ କିମ୍ବା ଅନ୍ୟାନ ସମସ୍ୟାର ସମାଧାନ ପାଇଁ ଆଜିଠାରୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟକ୍ଷମ ହୋଇଛି ଏକ ଟୋଲ ଫ୍ରି ନମ୍ବର । ଏହି ଟୋଲ ଫ୍ରି ନମ୍ବରଟି ହେଉଛି 1950 ।

ଏଥିସହିତ ନିର୍ବାଚନ ଅଧିକାରୀମାନଙ୍କୁ ନିଜ ନିଜ ଅଂଚଳରେ ତାଲିକାରେ ଏକାଧିକ ଥର ନାମ ପଂଜିକରଣ କରିଥିବା ଭୋଟରଙ୍କ ଚିହ୍ନଟ ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ସେମାନେ ଏଭଲି ଭୋଟରଙ୍କ ଚିହ୍ନଟ କରି 7ଦିନିଆ ନୋଟିସ ସହ ଗୋଟିଏ ସ୍ଥାନରୁ ସେମାନଙ୍କ ନାମ ତାଲିକାରୁ ବାଦ ଦେବେ ।

Share

Leave a Reply

Your email address will not be published. Required fields are marked *

5 × three =