‘ତିତଲି ହିରୋଙ୍କୁ’ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ବର () ବାତ୍ୟା ଓ ବନ୍ୟାରେ ହୋଇଥିବା କ୍ଷୟକ୍ଷତିର ପୁର୍ନରୁଦ୍ଧାର ପାଇଁ ବିଭିନ୍ନ ସ୍ଥାନରେ ସାଧାରଣ ଲୋକେ ପ୍ରଶାସନକୁ ସ୍ବଇଚ୍ଛାରେ ସହଯୋଗର ହାତ ବଢାଇଛନ୍ତି । ଆଉ ଏଭଳି ବ୍ୟକ୍ତିଙ୍କ ଅବଦାନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ପ୍ରଶଂସା କରିଛନ୍ତି । ଏଭଳି ଜଣେ ବ୍ୟକ୍ତି ହେଉଛନ୍ତି ଗଜପତି ଜିଲ୍ଲା କୋଇଁପୁର ପଂଚାୟର ଲକ୍ଷ୍ମଣ ସବର ।

ଲକ୍ଷ୍ଣଣ ନିଜ ଉଦ୍ୟମରେ କୋଇଁପୁରରୁ ଖିଚଲିଙ୍ଗ ପର୍ଯ୍ୟନ୍ତ 9 କିଲୋମିଟର ରାସ୍ତା ସଫା କରିଥିଲେ । ତାଙ୍କର ଏହି ସ୍ବେଚ୍ଛାସେବାରେ କିଛି ଗ୍ରାମବାସୀ ବି ସହଯୋଗ କରିଥିଲେ । ଏ ଜେସିବି ମେସିନ ଓ ଗ୍ରାମବାସୀଙ୍କ ସହଯୋଗରେ ଲକ୍ଷ୍ଣଣ ଏହି ରାସ୍ତା ସଫା କରିବାରୁ ଏବେ କୋଇଁପୁରରୁ ଖିଚଲିଙ୍ଗକୁ ସଡକା ଯୋଗାଯୋଗ ପୁଣି ଥରେ ସମ୍ଭବ ହୋଇଛି । ଲକ୍ଷ୍ମଣ ନିଜ ଆଡୁ ରାସ୍ତା ସଫା କରିବାକୁ ଅଣ୍ଟାଭିଡିବାରୁ ଗାଁର 70 ଜଣ ଲୋକଙ୍କ ତାଙ୍କୁ ସହଯୋଗ କରିଥିଲେ ।

ମୁଖ୍ୟମନ୍ତ୍ରୀ ନିଜ ଟ୍ବିଟରରେ ଲକ୍ଷ୍ଣଣଙ୍କୁ ପ୍ରଶଂସା କରିବା ସହ ତାଙ୍କୁ ତିତଲି ହିରୋ ବୋଲି ସମ୍ବୋଧିତ କରିଛନ୍ତି । ତାଙ୍କ ସ୍ବେଚ୍ଛାକୃତ ସେବାକୁ ମୁଖ୍ୟମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଛନ୍ତି । ସେ ଗ୍ରାମବାସୀଙ୍କ ସହଯୋଗରେ ତିନୋଟି ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିବା କଲଭର୍ଟକୁ ମରାମତି କରିବା ସହ ରାସ୍ତା ପଡିଥିବା ପ୍ରାୟ 500 ଗଛ ସଫା କରିଛନ୍ତି ।

ସେହିପରି ମୁଖ୍ୟମନ୍ତ୍ରୀ ଚାଇଲ୍ଡ ଲାଇନର ଏକ 8ଜଣିଆ ଟିମକୁ ମଧ୍ୟ ସେମାନଙ୍କ ସହଯୋଗ ପାଇଁ ପ୍ରଶଂସା କରିଛନ୍ତି । ସାଇପ୍ରସାଦ ସାମଲଙ୍କ ନେତୃତ୍ବରେ ଏହି 8ଟିମ ଛଅ ଜଣ ବାତ୍ୟା ପ୍ରଭାବିତ ବୃଦ୍ଧ ବ୍ୟକ୍ତିଙ୍କୁ ଖାଦ୍ୟ ପହଁଚାଇଥିଲେ । ଏହି ଟିମ ପାହାଡ ଉପରେ 3 କିଲୋମିଟର ବାଟ ଚାଲିଚାଲି ଯାଇ ଏହି ଅସହାୟ ବୃଦ୍ଧଙ୍କୁ 50 କୋଜି ଖାଦ୍ୟ ସାମଗ୍ରୀ ଯୋଗାଇଦେଇଥିଲେ । ସେମାନେ ପାହାଡ ଉପରେ ଲକ୍ଷ୍ମୀପୁର ଗ୍ରାମପଂଚାୟତରୁ ଆତଙ୍କପୁରକୁ ଚାଲିଚାଲି ଯାଇଥିଲେ ।

ସେହିଭଳି ଆର. ଉଦୟଗିରି ବ୍ଲକର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ପ୍ରହଲ୍ଲାଦ ସାହୁ ଓ ତାଙ୍କ ଟିମକୁ ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି । ପ୍ରହଲ୍ଲାଦ ଆଇଆଇଟିରୁ ଏମଟେକ ସାରି 2016ରେ ରାଜ୍ୟ ସରକାରଙ୍କ ଅଧିନରେ କାମ କରୁଛନ୍ତି । ସେ ଓ ତାଙ୍କ ଟିମ ସପ୍ତାହକ ମଧ୍ୟରେ ବାତ୍ୟାରେ ଭାଙ୍ଗି ଯାଇଥିବା 83 କିଲୋମିଟର ଲମ୍ବା ପାଇପ ଲାଇନର ମରାମତି ଦାୟିତ୍ବ ନେଇଥିଲେ । ଆଉ ସଫଳତାର ସେହି କାର୍ଯ୍ୟ ନିର୍ଦ୍ଧାରିତ ସମୟରେ ଶେଷ କରିଥିବାରୁ ମୁଖ୍ୟମନ୍ତ୍ରୀ ତାଙ୍କୁ ମଧ୍ୟ ହିରୋ ଅଫ ତିତଲି ବୋଲି ସମ୍ବୋଧିତ କରିଛନ୍ତି ।

ଲକ୍ଷ୍ମଣ ଓ ସାଇପ୍ରସାଦଙ୍କ ଏଭଳି ଉଦ୍ୟମ ବିଭିନ୍ନ ମହଲରୁ ଏବେ ଉଚ୍ଚପ୍ରଶଂସିତ ହେଉଥିବାରୁ ବାତ୍ୟା ଓ ବନ୍ୟା ପ୍ରଭାବିତଙ୍କ ସହାୟତା ପାଇଁ ଆହୁରି ବହୁ ଯୁବକ ଅଣ୍ଟା ଭିଡିଲେଣି । ସେମାନେ ବି ପ୍ରଭାବିତଙ୍କୁ ସହାୟତା କରିବାକୁ ଜିଲ୍ଲା ପ୍ରଶାସନକୁ ସହଯୋଗ କରିବାକୁ ଆଗେଇ ଆସୁଛନ୍ତି ।

Share

Leave a Reply

Your email address will not be published. Required fields are marked *

fifteen − 7 =