ନବୀନ ଦେଖାଇଛନ୍ତି ରାଜ୍ୟକୁ ନୂଆ ସ୍ୱପ୍ନ

ଭୁବନେଶ୍ବର () ନବୀନ ପଟ୍ଟନାୟକ, ଓଡ଼ିଶା ରାଜନୀତିର ଅନ୍‌ବିଟେ୍‌ବଲ୍‌ ହିରୋ । ରାଜନୀତିରେ କେବେ ବି ପରାଜୟର ସ୍ୱାଦ ଚାଖିନଥିବା ଏହି ବିଚକ୍ଷଣ ପ୍ରଶାସକ ଓ ଧୂରିଣ ରାଜନୀତିଜ୍ଞ ପଞ୍ଚମ ଇନିଂସର ପ୍ରଥମ ବର୍ଷ ବେଶ୍ ସଫଳତାର ସହ ପୂର୍ଣ୍ଣ କରିଛନ୍ତି । ବହୁ ଝଡ଼ ଝଞ୍ଜା ଓ ବିପର୍ଯ୍ୟୟର ପୃଷ୍ଠଭୂମିରେ ୫ମ ପାଳିର ଶାସନ ଡୋରି ଧରିଥିଲେ ନବୀନ । ଚାହୁଁ ଚାହୁଁ ବର୍ଷେ ବିତିଗଲା ନା ବିରୋଧୀ ତାଙ୍କୁ ଚେକ୍‌ ଦେଇପାରିଲେ ନା ବିପର୍ଯ୍ୟୟ ତାଙ୍କ ମାର୍ଗରେ ବାଧକ ସାଜିପାରିଲା । କୋଡିଏ ବର୍ଷ ଧରି ଓଡ଼ିଶା ଶାସନର ଭାର ସମ୍ଭାଳୁଥିବା ନବୀନଙ୍କ ଏକମାତ୍ର ନୀତିରେ ବିଶ୍ୱାସ କରନ୍ତି । ତାହା ହେଲା ଓଡ଼ିଶାବାସୀଙ୍କ ବିକାଶ ଓ ସ୍ୱାର୍ଥପୂରଣ । ସାଢ଼େ ୪ କୋଟି ଓଡ଼ିଶାବାସୀଙ୍କୁ ସେ ନିଜର ପରିବାର ବୋଲି ବିବେଚନା କରନ୍ତି । ସେହି ଆଧାରରେ ତିଆରି ହୁଏ ନୀତି ଓ ଯୋଜନା । ଫନି ମହାବାତ୍ୟା ବିଭୀଷିକାର ପୃଷ୍ଠଭୂମିରେ ସରକାର ଗଠନ କଲେ ନବୀନ ପଟ୍ଟନାୟକ । କ୍ରମାଗତ ଭାବେ ପଞ୍ଚମ ଥର ପାଇଁ ଓଡ଼ିଶାବାସୀ ତାଙ୍କ ଉପରେ ଆଶା ଭରସା ଓ ଆତ୍ମବିଶ୍ୱାସ ଅଜାଡ଼ି ପକାଇଲେ । ବିରୋଧୀଙ୍କ ସବୁ ରଣନୀତି ନବୀନଙ୍କ କୂଟନୀତି ଆଗରେ ଫେଲ୍ ମାରିଲା ।

ଓଡ଼ିଆଙ୍କ ଶ୍ରବଣ କୁମାର ନବୀନ ବିଧାନସଭାରେ ପୁଣି ଥରେ ୧୦୦ରୁ ଅଧିକ ଆସନ ଜିତି ସରକାର ଗଠନ କଲେ । ବିଜେପୁର ଓ ପାଟକୁରା ଭଳି ଦୁଇଟି ସମ୍ବେଦନଶୀଳ ବିଧାନସଭା କ୍ଷେତ୍ରରୁ ଉପନିର୍ବାଚନ ବି ଜିତିଲେ । ଏବେ କୋଭିଡ-୧୯ ମୁକାବିଲାରେ ବିଶ୍ୱ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ଏହି ସରଳ ଓ ସ୍ୱଳ୍ପଭାଷୀ ରାଜନେତା । ସରକାର ଗଠନର ପ୍ରଥମ ଦିନରେ ନବୀନ ରାଜ୍ୟକୁ ଦେଖାଇଲେ ନୂଆ ସ୍ୱପ୍ନ । ସ୍ୱପ୍ନ ସଶକ୍ତ ଓଡ଼ିଶାର । ପୁଣି ଏକ ସଶକ୍ତ ଓଡ଼ିଶା-ଯେଉଁଠାରେ ଦାରିଦ୍ର‌୍ୟ ଅତୀତର ପୃଷ୍ଠାରେ ଲୀନ ହୋଇଯିବ । ଏକ ସଶକ୍ତ ଓଡ଼ିଶା ଯେଉଁଠାରେ ମହିଳାମାନେ ବିକାଶ ଓ ଅଭିବୃଦ୍ଧିରେ ସମାନ ଭାବେ ଭାଗିଦାର ହେବେ ।

ଏକ ସଶକ୍ତ ଓଡ଼ିଶା ଯେଉଁଠାରେ ସମସ୍ତ ଦୁର୍ବଳ ବର୍ଗର ଲୋକମାନେ ବିକାଶର ଦୃଶ୍ୟପଟ୍ଟରେ ସାମିଲ ହେବେ । ଏକ ସଶକ୍ତ ଓଡ଼ିଶା ଯେଉଁଠାରେ ଯୁବକମାନଙ୍କର ସ୍ୱପ୍ନର ସଫଳ ରୂପାୟନ ହୋଇପାରିବ । ଏହି ସ୍ୱପ୍ନକୁ ସାକାର କରିବାକୁ ନବୀନ ଦେଲେ ୫-ଟିର ମନ୍ତ୍ର । ସଶକ୍ତ ଓ ସମୃଦ୍ଧ ଓଡ଼ିଶାର ପଥକୁ ଅଧିକ ଗ୍ରହଣୀୟ କରିବାକୁ ଆରମ୍ଭ ହେଲା ‘ମୋ ସରକାର’ ଅଭିଯାନ । ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହୋଇଥିବା ଅଭିଯାନର ଦାୟିତ୍ୱ ନେଲେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ. ପାଣ୍ଡିଆନ । ଲୋକଙ୍କ ପାଖରେ ପହଞ୍ôଚବ ସରକାର । ଲୋକେ ହେବେ ପ୍ରକୃତ ମାଷ୍ଟର । ସିଧାସଳଖ ଲୋକଙ୍କ ସହ ଟେଲିଫୋନରେ କଥାହେଲେ ମୁଖ୍ୟମନ୍ତ୍ରୀ । ଥାନାରେ ଥାନା ବାବୁ ଆପତ୍ତି ଅଭିଯୋଗ ଶୁଣୁଛନ୍ତି କି ନାହିଁ କିମ୍ବା ଡାକ୍ତରଖାନାରେ ଡାକ୍ତରବାବୁ ଚିକିତ୍ସାସେବା ଦେଉଛନ୍ତି କି ନାହିଁ ।

ସିଧାସଳଖ ଭାବେରେ ମୁଖ୍ୟମନ୍ତ୍ରୀ ଲୋକଙ୍କ ମତାମତ ନେଲେ, କାର୍ଯ୍ୟାନୁଷ୍ଠାନ ବି ହେଲା । ଗଣତନ୍ତ୍ରର ପ୍ରକୃତ ଅର୍ଥ ଓ ସତ୍ତା ଲୋକଙ୍କୁ ଉପଲବ୍ଧ କରାଇଲେ ମୁଖ୍ୟମନ୍ତ୍ରୀ । ନେତା, ମନ୍ତ୍ରୀ ଓ ପ୍ରଶାସକ ସମସ୍ତେ ଚେତିଲେ । ଛାଡ଼ିଗଲା ବାବୁ ଗିରି । ଥାନା ଓ ଡାକ୍ତରଖାନାରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ଧୀରେ ଧୀରେ ସବୁ ବିଭାଗରେ କାର୍ଯ୍ୟକାରୀ ହେଲା । ସବୁଠି ଖୋଲିଲା ମୋ ସରକାର ହେଲ୍‌ପ ଡେସ୍କ । ଫନି ବାତ୍ୟାର ବିଭୀଷିକା ଭିତରେ ଶ୍ରୀକ୍ଷେତ୍ର ପୁରୀ ବିଶ୍ୱ ଐତିହ୍ୟ କ୍ଷେତ୍ର ଭାବେ ରୂପାନ୍ତରିତ କରିବାକୁ ନବୀନ ବିସ୍ତୃତ ଯୋଜନା ପ୍ରସ୍ତୁତ କରିଥିଲେ । ଫନି ମାଡ଼ରୁ ଅଣ୍ଟା ସଳଖି ଛିଡ଼ା ହୋଇଥିବା ଓଡ଼ିଶା ଉପରେ ପୁଣି ଥରେ ଅଜାଡ଼ି ହୋଇଥିଲା ବୁଲ୍‌ବୁଲ୍ ବିପର୍ଯ୍ୟୟ । ସତେକି ଓଡ଼ିଶାବାସୀଙ୍କ ପାଇଁ ଏହା ଯଥେଷ୍ଟ ନ ଥିଲା । ମାଡ଼ିଆସିଲା କରୋନା ଆତଙ୍କ । ସାରା ବିଶ୍ୱ ଯେତେବେଳେ କରୋନା ମୁକାବିଲା ପାଇଁ ରଣନୀତି ଖୋଜୁଥିଲା ସେତିକି ବେଳେ ନବୀନ ଏହି ମହାମାରୀ ଭୂତାଣୁକୁ ପରାହତ କରିବାକୁ ପ୍ରସ୍ତୁତ କଲେ ସୁଚିନ୍ତିତ ଓ ବିଜ୍ଞାନସମ୍ମତ ଚକ୍ରବ୍ୟୁହ । ଫଳସ୍ୱରୂପ ଆଜି ଓଡ଼ିଶା କରୋନା ମୁକାବିଲାରେ ସାରା ବିଶ୍ୱରେ ଉଦାହରଣ ସୃଷ୍ଟି କରିଛି ।

ସଂକ୍ରମଣ ସଂଖ୍ୟା ଯେଊଁଭଳି ଭାବେ ନିୟନ୍ତ୍ରିତ ହୋଇ ରହିଛି ମୃତ୍ୟୁହାର ବି ସର୍ବନିମ୍ନ । ଲକଡାଉନ୍‌, ସଟ୍‌ଡାଉନ୍‌, ସଂଗରୋଧ ଓ କ୍ୱାରେଣ୍ଟାଇନ୍ ସେଣ୍ଟର ଭଳି କୋଭିଡ ମୁକାବିଲାକୁ ବିଶ୍ୱର ପ୍ରଭାବଶାଳୀ ରାଷ୍ଟ୍ର ଓ ଦେଶର ଧନୀ ରାଜ୍ୟ ମାନେ ଅନୁକରଣ କରୁଛନ୍ତି । ବିଭିନ୍ନ ପର୍ଯ୍ୟାୟରେ କରୋନା ସଂକ୍ରମଣକୁ ଚେକ୍ ଦେବା ପାଇଁ ଚାଲିଥିବା ଯୋଜନାରେ ନବୀନ ଖୋଲିଦେଲେ ମାଳମାଳ କୋଭିଡ୍ ହସ୍ପିଟାଲ । ଯାହା ସାରାଦେଶ ପାଇଁ ଥିଲା ଅଭିନବ । ଏସବୁ ଭିତରେ ଜାତୀୟ ରାଜନୀତି ସାଙ୍ଗକୁ ଓଡ଼ିଶା ବିକାଶର ନୂଆ ଦର୍ଶନ ଦେଇଥିଲେ ନବୀନ ।

ପୁରୀକୁ ବିଶ୍ୱ ଐତିହ୍ୟ କ୍ଷେତ୍ରରେ ରୂପାନ୍ତରିତ କରିବା ପାଇଁ ୩୨୦୦ କୋଟି ଟଙ୍କାର ରୋଡ୍‌ମ୍ୟାପ୍ ହୋଇଛି । ପୁରୀ ସହ ଏକାମ୍ର କ୍ଷେତ୍ର ଲିଙ୍ଗରାଜ ମନ୍ଦିରର ସୌନ୍ଦର୍ଯ୍ୟକରଣ, ଗଞ୍ଜାମର ପ୍ରସିଦ୍ଧ ତାରାତାରିଣୀ ପୀଠ, ପଶ୍ଚିମଓଡ଼ିଶାରେ ସମ୍ବଲପୁରରେ ମା ସମଲେଶ୍ୱରୀ ପୀଠର ଉନ୍ନତିକରଣ ପାଇଁ ମଧ୍ୟ ରୂପରେଖକୁ ମୋହର ମାରିଲେ ମୁଖ୍ୟମନ୍ତ୍ରୀ ।

ସେହିଭଳି ଚର୍ଚ୍ଚ ଓ ମସଜିଦ୍ ଗୁଡିକର ଉନ୍ନତିକରଣ । ପାଇଁ ମଧ୍ୟ ସ୍ୱତନ୍ତ୍ର ସହାୟତା ଦିଆଗଲା । ରାଜ୍ୟର ସର୍ବବୃହତ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ ଆଧୁନିକୀକରଣ ଓ ଶଯ୍ୟା ସଂଖ୍ୟା ବୃଦ୍ଧି ପାଇଁ ମଧ୍ୟ ବିରାଟ ଯୋଜନାକୁ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ ।

ରାଜ୍ୟ ରାଜନୀତିରେ ଚର୍ଚ୍ଚିତ ନବୀନ ଜାତୀୟ ରାଜନୀତିରେ ବି ନିଜର ଦବଦବା ଜାହିର କରିଛନ୍ତି । ହକି ବିଶ୍ୱକପ୍ ଠାରୁ ଆରମ୍ଭ କରି ସମ୍ବିଧାନର ମୁଖ୍ୟବନ୍ଧରେ ‘ଅହିଂସା’କୁ ସ୍ଥାନିତ କରିବା, ଧାରା ୩୭୦ର ଉଚ୍ଛେଦରେ କେନ୍ଦ୍ରକୁ ସମର୍ଥନ, ସିଏଏ ପ୍ରସଙ୍ଗରେ ସମର୍ଥନ, ଏନ୍‌ଆରସିକୁ ବିରୋଧ ଏମିତି ଅନେକଗୁଡିକ ପ୍ରସଙ୍ଗରେ ନବୀନ ନିଜ ଆଭିମୁଖ୍ୟ ଦ୍ୱାରା ଦିଲ୍ଲୀ ରାଜନୀତିରେ ଓଡ଼ିଆ ଯେ ଅଛୁଆଁ ନୁହେଁ ତାହା ପ୍ରମାଣିତ କରିଛନ୍ତି । ନବୀନଙ୍କ ଡାଇନିଂ ଟେବୁଲ୍‌ ରାଜନୀତି ବି ନିଆରା । କେନ୍ଦ୍ରରେ ଯିଏ ବି ସରକାରରେ ଥାଉନା କାହିଁକି ପ୍ରଭାବଶାଳୀ ନେତାମାନେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ସହ ଗୋଟିଏ ଟେବୁଲ୍‌ରେ ଲଞ୍ଚ କିମ୍ବା ଡିନର କରିଛନ୍ତି ।

ଏପରିକି ପରସ୍ପର ବିରୋଧୀ ଆଭିମୁଖ୍ୟ ରଖୁଥିବା ଦଳର ମୁଖିଆଙ୍କୁ ମଧ୍ୟ ଗୋଟିଏ ଟେବୁଲ୍‌ରେ ବସାଇବାକୁ ସକ୍ଷମ ହୁଅନ୍ତି ନବୀନ । ନବୀନଙ୍କ ରାଜନୀତିର ବିଚକ୍ଷଣତା ଏତିକିରେ ଶେଷହୁଏନି । ୨୦୧୯ ନିର୍ବାଚନ ପରେ ରାଜ୍ୟସଭାର ଗୋଟିଏ ଆସନ ବିଜେପିକୁ ଟେକିଦେବା ଏବଂ ପରିବର୍ତ୍ତୀ ସମୟରେ ୪ଟି ଯାକ ରାଜ୍ୟସଭା ଆସନ ଦଖଲ କରିବା କୌଶଳ ତାଙ୍କୁ ହିଁ ଜଣା ।

Share

Leave a Reply

Your email address will not be published. Required fields are marked *

20 − seven =