କରୋନା ନେଇ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର()  କରୋନା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିବେଦନ । ଏହି ମାରାତ୍ମକ ଭୂତାଣୁ ସଂକ୍ରମଣରୁ କିଭଳି ନିଜକୁ ରକ୍ଷା କରିବେ ସେ ନେଇ ଟୁଇଟ୍ କରି ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ କରୋନାକୁ ରୋକିବାକୁ ହେଲେ ସମସ୍ତଙ୍କ ସହାୟତା ଆବଶ୍ୟକ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ବିଶ୍ୱରେ ଦ୍ରୁତ ଗତିରେ ବ୍ୟାପୁଥିବା ଏହି କରୋନା ଭୂତାଣୁ ସଂକ୍ରମଣ ସମଗ୍ର ମାନବ ସମାଜ ପାଇଁ ଏକ ପ୍ରମୁଖ ଆହ୍ୱାନ ଭାବେ ଉଭା ହୋଇଛି । ଏହାର ସଫଳ ପ୍ରତିରୋଧ ପାଇଁ ପ୍ରତ୍ୟେକ ସ୍ତରରେ ସମ୍ମିଳୀତ ଉଦ୍ୟମର ଆବଶ୍ୟକତା ରହିଛି ଏବଂ ସମସ୍ତଙ୍କ ସହଯୋଗରେ ଓଡିଶା ଏହାର ଉପଯୁକ୍ତ ମୁକାବିଲା କରିବାରେ ସମର୍ଥ ହେବ ବୋଲି କହିଛନ୍ତି ନବୀନ ।

ଏଥିସହିତ ସାମାଜିକ ଜନସମାଗମରେ ଲୋକଙ୍କଠାରୁ ଦୂରେଇ ରହିବା ଦ୍ୱାରା କରୋନା ଭୁତାଣୁ ସଂକ୍ରମଣ ରୋକିବାରେ ସବୁଠାରୁ ଫଳପ୍ରଦ ଉପାୟ ବୋଲି ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଧାର୍ମିକ ଉତ୍ସବ, ବିବାହ ବ୍ରତ ଆଦି ସାମାଜିକ ଜନସମାଗମଠାରୁ ଦୂରରେ ରହିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି ନବୀନ । ଘର ଭିତରେ ରହିବା, ଜନଗହଳିକୁ ବର୍ଜନ କରିବା ଓ ଅନ୍ୟମାନଙ୍କ ସହ ମିଳାମିଶାକୁ କମ କରିବା ଦ୍ୱାରା ଏହି ରୋଗର ଆଶଙ୍କାକୁ ଯଥେଷ୍ଟ ପରିମାଣରେ ହ୍ରାସ କରାଯାଇପାରେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହସହିତ କୌଣସି ଗୁଜବ ତଥା ଉଡା ଖବରକୁ ବିଶ୍ୱାସ ନକରିବା ପାଇଁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସୂଚନା ଅନୁସାରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୪ରେ ପହଞ୍ଚିଛି। ଆଜି ନାଗପୁର ଏବଂ ତେଲେଙ୍ଗାନାରେ ଦୁଇ ଜଣ ଏହି ମହାମାରୀ ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ୮୪ ଜଣଙ୍କ ମଧ୍ୟରେ ଦୁଇ ଜଣ ମୃତକ ଏବଂ ସୁସ୍ଥ ହୋଇ ଘରକୁ ଫେରିଥିବା ୧୦ ଜଣ ରହିଛନ୍ତି।

ଭାରତ ସମେତ ୧୨୦ଟି ଦେଶକୁ ଏହି ଭାଇରସ ବ୍ୟାପିଛି। ୧,୩୫୦୦୦ରୁ ଅଧିକ ଏହି ମହାମାରୀରେ ଆକ୍ରାନ୍ତ ହୋଇଥିବା ବେଳେ ୫ ହଜାରରୁ ଅଧିକଙ୍କର ମୃତ୍ୟୁ ଘଟିଛି। କରୋନା ବ୍ୟାପୁଥିବା ଦେଖି ଦିଲ୍ଲୀ, ଓଡ଼ିଶା, ରାଜସ୍ଥାନ, ମହାରାଷ୍ଟ୍ର, ତେଲେଙ୍ଗାନା, ଉତ୍ତର ପ୍ରଦେଶସ କେରଳ ଓ ପଶ୍ଚିମବଙ୍ଗ ଭଳି ଅନେକ ରାଜ୍ୟରେ ସ୍କୁଲ, କଲେଜ, ସିନେମା ହଲ୍, ସପିଂ ମଲ୍ ଆଦି ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

Share

Leave a Reply

Your email address will not be published. Required fields are marked *

3 × two =