15ରୁ ଭୂମିହୀନ କୃଷି ଶ୍ରମିକଙ୍କୁ କାଳିଆ ସହାୟତା

22 ତାରିଖରୁ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ମିଳିବ ସହାୟତା

5 ଲକ୍ଷ ଭୂମିହୀନ କୃଷି ଶ୍ରମିକ ଓ 14 ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଉପକୃତ ହେବେ

ପଂଚାୟତ ସ୍ତରରେ ହେବ ଜୀବିକା ସଚେତନତା ଶିବିର

ଭୁବନେଶ୍ବର () ଭୁମିହୀନ କୃଷି ଶ୍ରମିକ, କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ କାଳିଆ ଯୋଜନାରେ ସହାୟତା ପାଇଁ ପ୍ରଶାସନିକ ପ୍ରସ୍ତୁତି ବ୍ୟାପକ କରାଯାଇଛି । ଏଥିପାଇଁ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟ ସ୍ତରୀୟ କମିଟିର ବୈଠକ ଅନୁଷ୍ଠିତ ହୋଇଥିଲା । ମିଳିଥିବା ଦରଖାସ୍ତଗୁଡିକର ଯାଞ୍ଚ ପ୍ରକ୍ରିୟା ତ୍ବରାନ୍ବିତ କରି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ହିତାଧିକାରୀ ତାଲିକା ଚୁଡାନ୍ତ କରିବାକୁ ମୁଖ୍ୟ ଶାସନ ସଚିବ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ହିତାଧିକାରୀଙ୍କ ଉପଯୁକ୍ତତା ଓ ବ୍ୟାଙ୍କ ଆକାଉଣ୍ଟ ସଠିକ କରି ଚଳିତ ମାସ ମଧ୍ୟରେ କୃଷି ଶ୍ରମିକ ଏବଂ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ସହାୟତା ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ଭୂମିହୀନ କୃଷି ଶ୍ରମିକ ମାନଙ୍କୁ ଜିବୀକା ନିର୍ବାହର ବିଭିନ୍ନ ଉପାୟ ଓ କୌଶଳ ବିଷୟରେ ସଚେତନ କରିବା ପାଇଁ ମଧ୍ୟ ମୁଖ୍ୟ ଶାସନ ସଚିବ କୃଷି ଓ ଆନୁସଙ୍ଗିକ ସେକ୍ଟର ସହ ଜଡିତ ବିଭାଗ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଆର୍ଥିକ ସହାୟତା ସହ ପଂଚାୟତ ସ୍ତରରେ ଜିବୀକା ସଚେତନତା ଶିବିରମାନ ଆୟୋଜନ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି ।

ଏହି ଯୋଜନାର ସଫଳ କାର୍ଯ୍ୟାନ୍ବୟନ ପାଇଁ କୃଷି, ମତ୍ସ୍ୟ ଓ ପଶୁପାଳନ, ଉଦ୍ୟାନ କୃଷି, ଜଳସଂପଦ ଏବଂ ସମବାୟ ବିଭାଗମାନେ କ୍ଷେତ୍ର ସ୍ତରରେ ସମ୍ମନ୍ବିତ ଭାବେ କାର୍ଯ୍ୟ କରିବାକୁ ଉନ୍ନୟନ କମିଶନର ଅସିତ ତ୍ରିପାଠୀ ନିର୍ଦ୍ଦେଶ ଦେଇଛନ୍ତି ।

ପରେ ଗଣମାଧ୍ୟମ ପ୍ରଶ୍ନର ଉତ୍ତର ଦେଇ ବିଭାଗୀୟ ପ୍ରମୁଖ ସଚିବ ସୌରଭ ଗର୍ଗ କହିଛନ୍ତି ଯେ, ଭୂମିହୀନ କୃଷି ଶ୍ରମିକମାନଙ୍କ ବିଷୟରେ ମିଳିଥିବା ଦରଖାସ୍ତ ଓ ସୂଚନା ଗୁଡିକର ସଠିକତା ଯାଞ୍ଚ କରାଯାଉଛି । ବର୍ତ୍ତମାନ ସୁଦ୍ଧା ପ୍ରାପ୍ତ ସୂଚନା ଅନୁସାରେ ପ୍ରଥମ ପର୍ଯ୍ୟାୟରେ 4ରୁ 5ଲକ୍ଷ ହିତାଧିକାରୀଙ୍କୁ 5ହଜାର ଟଙ୍କା ଲେଖାଏଁ ଟଙ୍କା ଚଳିତ ମାସ 15 ତାରିଖରୁ ଆବଣ୍ଟନ କରାଯିବ । ବରବର୍ତ୍ତି 2ଟି ପର୍ଯ୍ୟାୟରେ ସେମାନଙ୍କୁ ଅବଶିଷ୍ଟ ସହାୟତା ରାଶି ଦିଆଯିବ । ପ୍ରତି ହିତାଧିକାରୀ ସମୁଦାୟ 12,500 ଟଙ୍କା ପାଇବେ । ସେହିପରି କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ମଧ୍ୟ ଚଳିତ 22 ତାରିଖରୁ ସହାୟତା ଯୋଗାଇ ଦିଆଯିବ । ଏଥିରେ ପ୍ରାୟ 13ରୁ 14 ଲକ୍ଷ କୃଷକ ସହାୟତା ପାଇବେ ବୋଲି ସେ କହିଛନ୍ତି ।

ଭୂମିହୀନ କୃଷି ଶ୍ରମିକଙ୍କୁ ଜିବୀକା ନିର୍ବାହର ପନ୍ଥା ଓ କୌଶଳ ବିଷୟରେ ତାଲିମ ଦେବା ପାଇଁ ରାଜ୍ୟସ୍ତରୀୟ ସଚେତନତା ଶିବିର ଚଳିତ ମାସ 14 ତାରିଖରେ ଆୟୋଜିତ ହେବ ବୋଲି କୃଷି ନିର୍ଦ୍ଦେଶକ ମୁଥୁ କୁମାର ସୂଚନା ଦେଇଛନ୍ତି । ହିତାଧିକାରୀଙ୍କୁ ପଂଚାୟତ ସ୍ତରରେ ତାଲିମ ଦିଆଯିବ । ଏଥିପାଇଁ ପ୍ରାୟ 5 କୋଟି ଟଙ୍କାର ଖର୍ଚ୍ଚ ଅଟକଳ କରାଯାଇଛି ଏବଂ ତାଲିମ ସୂଚନା ପୁସ୍ତିକା ଆଦି ମଧ୍ୟ ଚୁଡାନ୍ତ କରାଯାଇଛି ।

ହିତାଧିକାରୀଙ୍କୁ ମୁଖ୍ୟତଃ ପଶୁପାଳନ, କୁକୁଡା ଫାର୍ମ, ଛତୁ ଚାଷ, ମହୁ ଚାଷ, କୃଷିଜାତ ଦ୍ରବ୍ୟ ପ୍ରକ୍ରିୟାକରଣ, ମତ୍ସ୍ୟ ଚାଷ ଆଦି ବିଷୟରେ ତାଲିମ ଦିଆଯିବ । ଏହାଛଡା ଜଣେ ଭୂମିହୀନ କୃଷି ଶ୍ରମିକ ନିଜର ସୁବିଧା, କୌଶଳ ଏବଂ ବସବାସ କରୁଥିବା ଅଂଚଳ ଅନୁସାରେ ଅନ୍ୟ କୌଣସି ଜିବୀକା ନିର୍ବାହ ପନ୍ଥା ମଧ୍ୟ ଅବଲମ୍ବନ କରିପାରିବେ । ହିତାଧିକାରୀଙ୍କ ପସନ୍ଦ ଅନୁସାରେ ସେମାନଙ୍କୁ ତାଲିମ ଓ ବୈଷୟିକ ସହଯୋଗ ଦିଆଯିବ ।

Share

Leave a Reply

Your email address will not be published. Required fields are marked *

16 − 9 =