Friday, October 30, 2026
Latestରାଜ୍ୟ

କୃଷକ ମାନଙ୍କୁ ନୂତନ ଜ୍ଞାନକୌଶଳ ସହ ପରିଚିତ କରାଇବା ଲକ୍ଷ୍ୟ ନେଇ “କୃଷି ଓଡିଶା” ଆୟୋଜନ

ଭୁବନେଶ୍ୱର () ରାଜ୍ୟ ଅର୍ଥନୀତିରେ କୃଷି ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବେଳେ ରାଜ୍ୟର ପ୍ରାୟ ୬୨ ପ୍ରତିଶତ ଜନସାଧାରଣ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ଉପରେ ନିର୍ଭର କରିଥାଆନ୍ତି ।

କୃଷକମାନଙ୍କ ଆୟକୁ ଦ୍ଵିଗୁଣିତ କରିବା ପାଇଁ ରାଜ୍ୟ ସରକାର ଅନେକ ଗୁଡିଏ ଯୋଜନା ପ୍ରଣୟନ କରି ଚାଷୀମାନଙ୍କୁ ଏହାର ଲାଭ ସିଧାସଳଖ ଯୋଗାଇ ଦେଉଛନ୍ତି । ବିଗତ ୨ ଦଶନ୍ଧି ମଧ୍ୟରେ ଓଡ଼ିଶା କୃଷି ଓ ଆନୁଷଙ୍ଗିକ କୃଷି କ୍ଷେତ୍ରରେ ଦୃଶ୍ୟମାନ ଅଗ୍ରଗତି ଲାଭ କରିଛି ଏବଂ କେତେକ କ୍ଷେତ୍ରରେ ଏହା ଜାତୀୟ ହାରଠାରୁ ମଧ୍ୟ ଅଧିକ ରହିଛି । ଯେଉଁଥିପାଇଁ ବିଗତ ୭ ବର୍ଷ ମଧ୍ୟରେ ରାଜ୍ୟ ୫ ଥର କୃଷି କର୍ମଣ ପୁରସ୍କାର ଲାଭ କରିଛି । ଏଥିସହିତ କୃଷି କର୍ମଣ ପୁରସ୍କାର ଅନ୍ତର୍ଗତ ମୋଟ ଖାଦ୍ୟ ଶସ୍ୟ ଉତ୍ପାଦନ କ୍ଷେତ୍ରରେ ବିଶେଷ ସଫଳତା ଅର୍ଜନ କରିଥିବାରୁ ଚଳିତ ବର୍ଷ ରାଜ୍ୟ “Commendation” ଆୱାର୍ଡ ଲାଭ କରିଛି ।
କୃଷିକ୍ଷେତ୍ରରେ ରାଜ୍ୟ କରିଥିବା ପ୍ରଗତିର ଏକ ପ୍ରତିଛବି ଜନସାଧାରଣଙ୍କ ସମ୍ମୁଖରେ ତୋଳି ଧରିବା ସହିତ ରାଜ୍ୟର କୃଷକ ମାନଙ୍କୁ କୃଷିକ୍ଷେତ୍ରରେ ଘଟୁଥିବା ଓ ପ୍ରୟୋଗ ହେଉଥିବା ନୂତନ ଜ୍ଞାନକୌଶଳ ସହିତ ପରିଚିତ କରାଇବା ଲକ୍ଷ୍ୟ ନେଇ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ପ୍ରତିବର୍ଷ ରାଜ୍ୟ ସ୍ତରୀୟ କୃଷି ମହୋତ୍ସବ “କୃଷି ଓଡିଶା” ଆୟୋଜନ କରାଯାଉଛି ।

ଜାନୁଆରୀ ୨୦ ରୁ ୨୪ ତାରିଖ ପର୍ୟ୍ୟନ୍ତ ଜନତା ମୈଦାନରେ ଆୟୋଜିତ ହେଉଥିବା ୫ ଦିନିଆ “କୃଷି ଓଡିଶା”କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାନୁଆରୀ ୨୦ ତାରିଖ ପୂର୍ବାହ୍ନ ୧୧.୪୫ ମିନଟ ରେ ଶୁଭ ଉଦଘାଟନ କରିବେ । ସେହିପରି ଜାନୁଆରୀ ୨୪ ତାରିଖରେ ଆୟୋଜିତ ଉଦଯାପନୀ ସନ୍ଧ୍ୟାରେ ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିବେ ।

ଚଳିତ ବର୍ଷ କୃଷି କ୍ଷେତ୍ରରେ ସମବାୟ ଓ ଜାତୀୟ ବ୍ୟାଙ୍କ, ପଞ୍ଚାୟତିରାଜ ଜନପ୍ରତିନିଧି ଏବଂ ମହିଳାମାନଙ୍କର ଭୂମିକାକୁ ଗୁରୁତ୍ୱ ପ୍ରଦାନ କରାଯାଇ ୨୧ ତାରିଖକୁ ସମବାୟ ଓ ବ୍ୟାଙ୍କିଙ୍ଗ ଦିବସ, ୨୨ ତାରିଖକୁ ପଞ୍ଚାୟତିରାଜ ଜନ ପ୍ରତିନିଧି ଦିବସ ଏବଂ ୨୩ ତାରିଖକୁ ମହିଳା ଦିବସ ଭାବରେ ରଖାଯାଇଛି ।

କୃଷିର ଗୁରୁତ୍ୱ ଏବଂ କୃଷକ ମାନଙ୍କର ଅବଦାନକୁ ସ୍ୱୀକୃତି ପ୍ରଦାନ ସହିତ କୃଷିକ୍ଷେତ୍ରରେ ନୂତନ ଜ୍ଞାନ କୌଶଳର ପ୍ରଦର୍ଶନ ଲକ୍ଷ୍ୟରେ ଚଳିତ ବର୍ଷ ୨୨୮ ଟି ଷ୍ଟଲ ନିର୍ମାଣ କରାଯାଇଛି । ଏଥିରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ପ୍ରାୟ ୧୧୨ ଟି କମ୍ପାନୀ ଯୋଗଦେବେ । ଦେଶବିଦେଶରେ କୃଷିକ୍ଷେତ୍ରରେ ଘଟୁଥିବା ନୂତନ ଜ୍ଞାନ କୌଶଳ ଓ କୃଷି ପ୍ରଣାଳୀ ସହିତ ଓଡ଼ିଶାର ଚାଷୀ ମାନଙ୍କୁ ପରିଚିତ କରାଇବା ନିମନ୍ତେ ପ୍ରତିଦିନ ଆଲୋଚନା ଚକ୍ର ଓ ପାଠଶାଳାର ଆୟୋଜନ କରାଯାଇଛି । ପ୍ରତିଦିନ ପୂର୍ବାହ୍ନ ୧୦ ଟା ରୁ ଅପରାହ୍ନ ୫ ଟା ପର୍ୟ୍ୟନ୍ତ ଏହି ଆଲୋଚନା ଚକ୍ରର ଆୟୋଜନ କରାଯିବ ଯେଉଁଥିରେ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ଅନୁଷ୍ଠାନର ନାମୀ କୃଷି ବିଜ୍ଞାନୀ, କୃଷି ବିଶେଷଜ୍ଞ, କୃଷି ଅଧିକାରୀ ଓ ରାଜ୍ୟ ସରକାରଙ୍କର ବରିଷ୍ଠ ପଦାଧିକାରୀ ମାନେ ଯୋଗଦେବେ ।

Share

Leave a Reply

Your email address will not be published. Required fields are marked *

fifteen + 11 =