ସୁନ୍ଦରଗଡରେ ମାଇଁ ହାର୍ଟ ବିଟ୍ସ ଫର ହକି

ଭୁବନେଶ୍ୱର– ରାଜ୍ୟର ସବୁ ବ୍ଲକ୍ରେ ଆଷ୍ଟ୍ରୋଟର୍ଫ ଗଠନ କରାଯିବ । ଏହାଦ୍ୱାରା ସୁନ୍ଦରଗଡ଼ ଜିଲ୍ଲା ଯାହାକି ରାଜ୍ୟରେ ହକିର ଏନ୍ତୁଳିଶାଳ ବୋଲି ବିବେଚନା କରାଯାଏ ସେଠାରେ ସର୍ବାଧିକ ଆଷ୍ଟ୍ରୋଟର୍ଫ ଗଠନ କରାଯିବ । ଏହାଦ୍ୱାରା ଏଠାରୁ ପୁଣି ଥରେ ବିଶ୍ୱସ୍ତରୀୟ ହକି ଖେଳାଳିମାନେ ରାଜ୍ୟ ଓ ଦେଶକୁ ଗୌରବାନ୍ୱିତ କରିବେ । ସୁନ୍ଦରଗଡ଼ ଜିଲ୍ଲାର ହକି ପ୍ରତି ରହିଥିବା ଅବଦାନ ପାଇଁ ଏହା ହିଁ ଉପଯୁକ୍ତ ମାନ୍ୟତା ହେବ ବୋଲି ସୁନ୍ଦରଗଡ଼ ଠାରେ ଆୟୋଜିତ ଓଡ଼ିଶା ଏକାଦଶ ଓ ଅଷ୍ଟ୍ରେଲିଆର ନ୍ୟୁ ସାଉଥ୍ ୱେଲ୍ସ ମଧ୍ୟରେ ଆୟୋଜିତ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍ର ଉଦ୍ଘାଟନୀ ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।
ସେ କହିଛନ୍ତି ଯେ ରାଜ୍ୟ ସରକାର ଓଡିଶାରେ କ୍ରୀଡ଼ା ବିଶେଷକରି ହକିର ବିକାଶକୁ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି । କାରଣ ଏହା ସୁନ୍ଦରଗଡ ଲୋକଙ୍କ ହୃଦୟ ସହ ଜଡିତ । ରାଜ୍ୟରେ ହକିର ବିକାଶକୁ ଦୃଷ୍ଟିରେ ରଖି ଚାମ୍ପିଅନ୍ସ ଟ୍ରଫି ଓ ବିଶ୍ୱ ହକି ଲିଗ୍ ଭଳି ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯାଇଛି । ଓଡିଶା ଏକ ମାତ୍ର ରାଜ୍ୟ ଯାହାର ନିଜସ୍ୱ ହକି ଟିମ୍ କଳିଙ୍ଗ ଲାନ୍ସର୍ସ ରହିଛି । କଳିଙ୍ଗ ଲାନ୍ସର୍ସ ଗତ ସଂସ୍କରଣରେ ଚାମ୍ପିଅନ୍ ହୋଇଛି । ସେହିଭଳି ଓଡିଶା ଏକମାତ୍ର ରାଜ୍ୟ ଯାହାକି ହକିରେ ଜାତୀୟ ଟିମ୍କୁ ପ୍ରାୟୋଜିତ କରୁଛି । ଭାରତୀୟ ହକି ଟିମ୍କୁ ଆସନ୍ତା ୫ ବର୍ଷ ପାଇଁ ଓଡିଶା ପ୍ରାୟୋଜିତ କରିବ ।
ଓଡିଶାର ଉଭୟ ପୁରୁଷ ଓ ମହିଳା ହକି ଖେଳାଳିମାନେ ଜାତୀୟସ୍ତରରେ ସୁନାମ ଆଣିଛନ୍ତି । ଆଗକୁ ମଧ୍ୟ ସେମାନେ ଓଡ଼ିଶା ଓ ଭାରତକୁ ବିଶ୍ୱସ୍ତରରେ ଚାମ୍ପିଅନ୍ କରାଇବେ । ହକିକୁ ଗୁରୁତ୍ୱ ଦେଇ ସ୍ୱତନ୍ତ୍ର ସ୍ପୋର୍ଟସ ହଷ୍ଟେଲ୍ ନିର୍ମାଣ କରାଯାଇଛି । ଖୁବଶୀଘ୍ର ହକି ପାଇଁ ଭୁବନେଶ୍ୱରରେ ହାଇ ପରଫରମାନ୍ସ ସେଣ୍ଟର ନିର୍ମାଣ କରାଯିବ । ରାଉରକେଲାରେ ମଧ୍ୟ ହକି କୋଚିଂ ବ୍ୟବସ୍ଥାକୁ ଅଧିକ ସୁଦୃୃଢୀକରଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ହକିକୁ ଜାତୀୟ କ୍ରୀଡ଼ା ଭାବେ ବିବେଚନା କରାଯାଉଛି । କିନ୍ତୁ ଏ ନେଇ କେନ୍ଦ୍ର ସରକାର ସରକାରୀ ଭାବେ କୌଣସି ବିଜ୍ଞପ୍ତି ଜାରି କରିନାହାଁନ୍ତି । ଏ ସଂପର୍କରେ ସେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଏବଂ ଆଶା କରିଛନ୍ତି ଯେ, ଖୁବଶୀଘ୍ର ଏ ଦିଗରେ ସକରାତ୍ମକ ଉତ୍ତର ପାଇବେ ।

Share

Leave a Reply

Your email address will not be published. Required fields are marked *

2 × three =