ବିଦ୍ୟୁତ ଓ ପାନୀୟ ଜଳ ଯୋଗାଣ ପୁନଃସ୍ଥାପିତ

  • ପ୍ରାଥମିକ ଆକଳନରେ ପ୍ରାୟ ୨୨୦୦ କୋଟି ଟଙ୍କାର କ୍ଷୟକ୍ଷତି
  • ମୃତ୍ୟୁ ସଂଖ୍ୟା 57 ଛୁଇଁଲା

ଭୁବନେଶ୍ବର () ତିତିଲି ପରବର୍ତ୍ତୀ ପ୍ରବଳ ବର୍ଷା ଏବଂ ବନ୍ୟା ପ୍ରପିଡିତ ଅଂଚଳରେ ପୁନରୁଦ୍ଧାର କାର୍ଯ୍ୟ ତ୍ବରାନ୍ବିତ ହୋଇଛି । କେତେକ ଅଂଚଳରେ ସ୍ଥିତି ସ୍ବାଭାବିକ ହେଉଛି । ଆଜି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୁନରୁଦ୍ଧାର କାର୍ଯ୍ୟର ଅଗ୍ରଗତି ବୈଠକରୁ ଏହା ଜଣା ପଡ଼ିଛି । ରାଜ୍ୟ ସଚିବାଳୟଠାରେ ଅନୁଷ୍ଠିତ ଏହି ବୈଠକରେ ସ୍ବତନ୍ତ୍ର ରିଲିଫ୍‌ କମିଶନର ବିଷ୍ଣୁ ପଦ ସେଠୀ ବର୍ତ୍ତମାନର ସ୍ଥିତି ଓ ପୁନରୁଦ୍ଧାର କାର୍ଯ୍ୟ ସଂପର୍କରେ ବିସ୍ତ୍ରୁତ ରିପୋର୍ଟ ଉପସ୍ଥାପନ କରିଥିଲେ ।

ପ୍ରାଥମିକ ଆକଳନ ଅନୁଯାୟୀ ତିତଲି ଓ ବନ୍ୟାରେ ରାଜ୍ୟର ପ୍ରାୟ 2ହଜାର 200 କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି । ସଡକ ଯୋଗାଯୋଗ କ୍ଷେତ୍ରରେ ୫୦୦କୋଟିସ ବିଦ୍ୟୁତ ତାର ଓ ଖୁଣ୍ଟ ଭାଙ୍ଗି ୧୩୩ କୋଟି, ଫସଲ ଓ ଚାଷ ୨୩୩ କୋଟି ଏବଂ ବାସଗୃହ ଭଙ୍ଗା ବାବଦରେ ପ୍ରାୟ ୧୫୦ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି । ଆଉ ଦୁଇ ତିନି ଦିନ ମଧ୍ୟରେ ପୂର୍ଣ୍ଣାଙ୍ଗ କ୍ଷୟକ୍ଷତି ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯିବ । ବର୍ତ୍ତମାନ ସୁଦ୍ଧା ମୃତ୍ୟୁସଂଖା ୫୭ରେ ପହଞ୍ଚିଛି ବୋଲି କହିଛନ୍ତି ସରକାର । ଗଜପତିରେ ସର୍ବାଧିକ ୩୯ ଜଣ ପ୍ରାଣ ହରାଇଥିବାବେଳେ ୧୦ ଏବେ ବି ନିଖୋଜ ଅଛନ୍ତି । ନିଖୋଜ ଥିବା ୧୦ ଜଣଙ୍କର ଯାଂଚ ଜାରି ରହିଛି । ସେହିଭଳି ଗଞ୍ଜାମ ଜିଲ୍ଲାରେ ୧୨ ପ୍ରାଣ ହରାଇଥିବାବେଳେ ୪ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । କନ୍ଧମାଳରେ ଜଣେ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରେ ଅଛନ୍ତି 10ଜଣ ଶିଶୁ ।

ତେବେ ବନ୍ୟା ପରେ ଏବେ ସରକାର ରିଲିଫ ଓ ପୁର୍ନବାସକୁ ସର୍ବାଧିକ ଗୁରୁତ୍ବ ଦେଉଥିବା ବେଳେ ଏବେ ସୁଦ୍ଧା ୯୫ ପ୍ରତିଶତ କାମ ଶେଷ ହୋଇଛି । ଗ୍ରାମାଞ୍ଚଳରେ ଚାଲିଥିବା କାମ ଆସନ୍ତା ୨୨ତାରିଖ ସୁଦ୍ଧା ଶେଷହେବ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି ।

ମୁଖ୍ୟ ଶାସନ ସଚିବଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ ଏବେ ସୁଦ୍ଧା ପ୍ରଭାବିତ ପ୍ରାୟ ୧୭ ଟି ଜିଲ୍ଲାରେ ୯୫% ଭାଗ ସଡ଼କର ପୁନରୁଦ୍ଧାର କାର୍ଯ୍ୟ ସରିଛି । ଗଞ୍ଜାମ ଜିଲ୍ଲାରେ ରାସ୍ତାଗୁଡ଼ିକରେ ସୃଷ୍ଟି ହୋଇଥିବା ସମୁଦାୟ ୪୫ ଟି ଘାଇ, ଗଜପତିରେ ହୋଇଥିବା ୯ ଟି ଘାଇ, କନ୍ଧମାଳରେ ସମୁଦାୟ ୪ ଟି ଏବଂ ରାୟଗଡ଼ାରେ ୧ ଟି ଘାଇର ମରାମତି ସରିଛି । ପ୍ରଭାବିତ ହୋଇଥିବା ସମୁଦାୟ ୩୮୦ ଟି ରାସ୍ତା ମଧ୍ୟରୁ ୩୪୩ ଟି ରାସ୍ତାର ପନରୁଦ୍ଧାର ସରିଛି । ୨୪ ଟି ରାସ୍ତାର ପୁନରୁଦ୍ଧାର କାମ ଖୁବଶୀଘ୍ର ଶେଷ ହେବ । ଅବଶିଷ୍ଟ ୧୩ ଟିର ପୁନରୁଦ୍ଧାର କାମ ଯୁଦ୍ଧକାଳିନ ଭିତ୍ତିରେ ଲାଚିଛି ।

ଜଳସଂପଦ ବିଭାଗର ପ୍ରମୁଖ ଶାସନ ସଚିବ ପ୍ରଦୀ ପ କୁମାର ଜେନା ଜଣାଇଥିଲେ ଯେ, ବିଭିନ୍ନ କେନାଲ ବନ୍ଧଗୁଡ଼ିକରେ ସୃଷ୍ଟି ହୋଇଥିବା ସମୁଦାୟ ୧୭୨ ଟି ଘାଇ ମଧ୍ୟରୁ ୧୬୭ ଟିର ମରାମତି କାର୍ଯ୍ୟ ପୁର୍ଣ୍ଣାଙ୍ଗ ସ୍ଥିତିରେ ପହଞ୍ଚିଛି । ବର୍ତ୍ତମାନ ମରାମତି ସରିଥିବା ପ୍ରାୟ ୯୨ ଟି କେନାଲ୍‌ରେ ଜଳ ଯୋଗାଣ ଆରମ୍ଭ ହୋଇଛି । ଆସନ୍ତା ୨ ଦିନ ମଧ୍ୟରେ ପ୍ରାୟ ସବୁ କେନାଲରେ ପାଣି ଛଡ଼ାଯିବ । ପଂଚାୟତିରାଜ ଓ ପାନୀୟ ଜଳଯୋଗାଣ ସଚିବ ଦେଓ ରଂଜନ କୁମାର ସିହ ଜଣାଇଥିଲେ ଯେ, ବନ୍ୟା ପ୍ରଭାବିତ ସମସ୍ତ ସହରାଞ୍ଚଳରେ ଜଳ ଯୋଗାଣ ବ୍ୟବସ୍ଥାକୁ ପୁନଃ କାର୍ଯ୍ୟକ୍ଷମ କରାଯାଇଛି ।

ଗଞ୍ଜାମ ଜିଲ୍ଲାରେ ୫୨ ଟି ମୋବାଇଲ୍‌ ହେଲ୍‌ଥ୍‌ ୟୁନିଟ୍‌ ଏବଂ ୪୯ ଟି ମେଡ଼ିକାଲ୍‌ ରିଲିଫ୍‌ କ୍ୟାମ୍ପ କାର୍ଯ୍ୟ କରୁଛି । ଗଜପତି ଜିଲ୍ଲାରେ ୨୧ ଟି ଭ୍ରାମ୍ୟମାଣ ୟୁନିଟ୍‌ ଏବଂ ୨୯ ଟି ମେଡ଼ିକାଲ୍‌ ରିଲିଫ୍‌ କ୍ୟାମ୍ପ, ରାୟଗଡ଼ା ଜିଲ୍ଲାରେ ୫ ଟି ଭ୍ରାମ୍ୟମାଣ ଟିମ୍‌ ଏବଂ ୫ ଟି କ୍ୟାମ୍ପ ଏବଂ ବାଲେଶ୍ବର ଜିଲ୍ଲାରେ ୩ ଟି ଭ୍ରାମ୍ୟମାଣ ଟିମ୍‌ ଏବଂ ୬ ଟି ରିଲିଫ୍‌ କ୍ୟାମ୍ପ କାର୍ଯ୍ୟ କରୁଛି । ଏହି ଟିମ୍‌ ଏବଂ କ୍ୟାମ୍ପମାନେ ମଧ୍ୟ ସଂକ୍ରାମକ ରୋଗର ପ୍ରତିରୋଷେଧକ ବ୍ୟବସ୍ଥାମାନ ଗ୍ରହଣ କରୁଛନ୍ତି । ବର୍ତ୍ତମାନ ସୁଦ୍ଧା କୌଣସି ସ୍ଥାନରେ ବ୍ୟାପକ ସଂକ୍ରାମକ ରୋଗ ସ୍ଥିତି ସୃଷ୍ଟି ହୋଇନାହିଁ ।

Share

Leave a Reply

Your email address will not be published. Required fields are marked *

13 + eight =