ସବୁଜ ଭବିଷ୍ୟତ ପାଇଁ ଟାଟା ଷ୍ଟିଲ୍ କଳିଙ୍ଗନଗରରେ ‘ସର୍କୁଲାର ଇକୋନୋମି’କୁ ପ୍ରୋତ୍ସାହନ

କଳିଙ୍ଗନଗର, ଜୁଲାଇ ୨,୨୦୨୬: ପ୍ରାକୃତିକ ପରିବେଶ ସହିତ ସମନ୍ୱୟ ରକ୍ଷା କରି ମଧ୍ୟ ଶିଳ୍ପାଞ୍ଚଳଗୁଡ଼ିକ ସମୃଦ୍ଧ ହୋଇପାରିବେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛି ଟାଟା ଷ୍ଟିଲ୍ କଳିଙ୍ଗନଗର (ଟିଏସକେ)। ଏହି ପ୍ଲାଣ୍ଟ ପରିସରର ପ୍ରାୟ ୩୩ ପ୍ରତିଶତ ଅଞ୍ଚଳକୁ ସମ୍ପୂର୍ଣ୍ଣ ଭାବେ ସବୁଜ ବଳୟରେ ବିକଶିତ କରାଯାଇଛି, ଯାହା ମୂଳ ଶିଳ୍ପ କାର୍ଯ୍ୟକଳାପ ସହ ଜୈବ ବିବିଧତାକୁ ସୁନ୍ଦର ଭାବେ ଯୋଡ଼ିପାରିଛି । ଏଠାରେ ୮,୨୪,୦୦୦ ରୁ ଅଧିକ ଚାରା ରୋପଣ କରାଯିବା ସହ ଅତ୍ୟାଧୁନିକ ‘ମିୟାୱାକି’ ପଦ୍ଧତିକୁ ଆପଣାଯାଇଛି । ଏହା ହେଉଛି ସହରାଞ୍ଚଳ ବନୀକରଣର ଏକ ଅଭିନବ ପ୍ରଣାଳୀ, ଯାହା ପାରମ୍ପରିକ ପଦ୍ଧତି ତୁଳନାରେ ପ୍ରାୟ ୧୦ ଗୁଣ ଶୀଘ୍ର ଅତି ଘଞ୍ଚ ତଥା ସ୍ୱୟଂ-ନିର୍ଭରଶୀଳ ସ୍ଥାନୀୟ ଜଙ୍ଗଲ ସୃଷ୍ଟି କରିଥାଏ । ଏହି ପ୍ରକ୍ରିୟା ଇସ୍ପାତ କାରଖାନା ସହିତ ଏକ ଜୀବନ୍ତ ପରିବେଶ ପ୍ରଣାଳୀକୁ ମଧ୍ୟ ସୁଦୃଢ କରୁଛି ।
ଟାଟା ପାୱାର ସହିତ ଏକ ସହଭାଗିତା ମାଧ୍ୟମରେ ଏଠାରେ ଏକ ଗ୍ରୀଡ୍-ସଂଯୁକ୍ତ ସୌର ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଛି, ଯେଉଁଥିରେ ଦ୍ୱିମୁଖୀ ଭିତ୍ତିଭୂମି କୌଶଳ ଆପଣାଯାଇଛି। କାରଖାନାର ଛାତ ଉପରେ ୯.୧୨ ମେଗାୱାଟ୍ ପାୱାରର ରୁଫ୍ଟପ୍ ସୋଲାର ଏବଂ ଜଳାଶୟଗୁଡ଼ିକ ଉପରେ ଏକ ଅଭିନବ ୧୦.୧୦ ମେଗାୱାଟ୍ ପାୱାରର ଭାସମାନ ସୌର ପ୍ରକଳ୍ପ (ଫ୍ଲୋଟିଂ ପିଭି) ର ସମନ୍ୱୟ କରାଯାଇଛି । ଏଥିପାଇଁ କୌଣସି ଅତିରିକ୍ତ ଜମିର ଆବଶ୍ୟକତା ପଡ଼ିନଥିବା ବେଳେ ଏଥିରୁ ସର୍ବାଧିକ ସ୍ୱଚ୍ଛ ଶକ୍ତି ଉତ୍ପାଦନ କରାଯାଇପାରୁଛି । ସେହିଭଳି, ପରିବେଶ ଅନୁକୂଳ ପରିବହନ ବ୍ୟବସ୍ଥା ଦ୍ୱାରା ଅଙ୍ଗାରକାମ୍ଳ ନିର୍ଗମନ (କାର୍ବନ ଫୁଟପ୍ରିଣ୍ଟ) କୁ ହ୍ରାସ କରାଯାଉଛି। କର୍ମଚାରୀମାନଙ୍କ ଦୈନନ୍ଦିନ ଯାତାୟାତ ପାଇଁ ଏବେ ୧୯ଟି ଇଲେକ୍ଟ୍ରିକ୍ କାର୍ ଏବଂ ୨୦ଟି ଇଲେକ୍ଟ୍ରିକ୍ ବସ ଚାଲୁଛି । ଏକ ସ୍ୱଚ୍ଛ ଓ ସୁସ୍ଥ କର୍ମକ୍ଷେତ୍ର ସୁନିଶ୍ଚିତ କରିବା ପାଇଁ ପ୍ଲାଣ୍ଟ ପରିସରରେ ଏକ ସ୍ୱତନ୍ତ୍ର ‘ଇଭି ବସ୍ ଚାର୍ଜିଂ ବେ’ ମଧ୍ୟ ନିର୍ମାଣ କରାଯାଇଛି।
ପ୍ରକୃତ ଦୀର୍ଘସ୍ଥାୟୀତା, ସମ୍ପଦର ସଠିକ୍ ପରିଚାଳନା ମଧ୍ୟରେ ହିଁ ନିହିତ ଥାଏ। ସ୍ମାର୍ଟ ଅପ୍ଟିମାଇଜେସନ ପଦକ୍ଷେପ ମାଧ୍ୟମରେ ଟିଏସକେ ମଧୁର ଜଳ ବ୍ୟବହାରକୁ ପ୍ରାୟ ୪୦ ପ୍ରତିଶତ ହ୍ରାସ କରିବାରେ ବଡ଼ ସଫଳତା ହାସଲ କରିଛି, ଯାହା ସ୍ଥାନୀୟ ପ୍ରାକୃତିକ ସମ୍ପଦ ଉପରେ ପ୍ରଭାବ କୁ ଯଥେଷ୍ଟ କମାଇ ଦେଇଛି ।
ଟିଏସକେ ଏବଂ ଏନଆଇଏନଏଲ ଉଭୟ ପ୍ଲାଣ୍ଟର ବାହ୍ୟ ନିଷ୍କାସନ ସ୍ଥାନଗୁଡ଼ିକର ଏନଏବିଏଲ -ସ୍ୱୀକୃତିପ୍ରାପ୍ତ ତୃତୀୟ-ପକ୍ଷ ଲାବୋରେଟୋରୀ ଦ୍ଵାରା ବିଶ୍ଳେଷଣରୁ ଜଣାପଡ଼ିଛି ଯେ ସମସ୍ତ ପାରାମିଟର ବୈଧାନିକ ସୀମାଠାରୁ ଯଥେଷ୍ଟ କମ୍ ରହିଛି ।
ଏହା ବ୍ୟତୀତ, ଏହି ପ୍ରକଳ୍ପ ‘ଜିରୋ ଏଫ୍ଲୁଏଣ୍ଟ ଡିସଚାର୍ଜ’ ମଡେଲ ଅଧୀନରେ ପରିଚାଳିତ ହେଉଛି । ଏହାର ସହାୟତା ପାଇଁ ଏକ ବିଶାଳ ୧୦,୫୦୦ ବର୍ଗ ମିଟରର ବର୍ଷା ଜଳ ଅମଳ ଏବଂ ଭୂତଳ ଜଳ ଭରଣ ପୋଖରୀ (ପରକୋଲେସନ ପଣ୍ଡ) ନିର୍ମାଣ କରାଯାଇଛି । ୪୬,୦୦୦ କ୍ୟୁବିକ୍ ମିଟର କ୍ଷମତା ବିଶିଷ୍ଟ ଏହି ସଂରଚନା ଭୂତଳ ଜଳ ସ୍ତରକୁ ବୃଦ୍ଧି କରିବା ସହ ସ୍ଥାନୀୟ ଜୈବ ବିବିଧତା ପାଇଁ ଏକ ସମୃଦ୍ଧ ଆବାସସ୍ଥଳୀ ସୃଷ୍ଟି କରୁଛି।
ଏହା ବ୍ୟତୀତ, ଟାଟା ଷ୍ଟିଲ୍ କଳିଙ୍ଗନଗରର କାର୍ଯ୍ୟକ୍ଷେତ୍ରରେ ବୈଷୟିକ ଅଗ୍ରଗତି ଏବଂ ଅଭିନବ ପ୍ରଣାଳୀକୁ ସର୍ବାଧିକ ପ୍ରାଧାନ୍ୟ ଦିଆଯାଉଛି । ପ୍ରତ୍ୟେକ କ୍ଷେତ୍ରରେ ନିର୍ଗମନ ହ୍ରାସ କରିବା ଏବଂ ପରିବେଶଗତ ପ୍ରଭାବକୁ ସର୍ବନିମ୍ନ କରିବା ପାଇଁ ଅତ୍ୟାଧୁନିକ ବ୍ୟବସ୍ଥାଗୁଡ଼ିକୁ ସକ୍ରିୟ ଭାବେ ପ୍ରୟୋଗ କରାଯାଉଛି । ଏହି ଦୃଢ ପରିବେଶ ସଚେତନ କାର୍ଯ୍ୟକଳାପର ପରିଣାମ ସ୍ୱରୂପ ଶତପ୍ରତିଶତ (୧୦୦%) କଠିନ ବର୍ଜ୍ୟବସ୍ତୁର ସଦୁପଯୋଗ କରାଯାଇପାରୁଛି, ଯାହା ପରିବେଶ ସୁରକ୍ଷା ପ୍ରତି କାରଖାନାର ଗଭୀର ନିଷ୍ଠାକୁ ଦର୍ଶାଉଛି । ବିଶ୍ୱ ସ୍ତରରେ ଏହି ପ୍ରୟାସର ଫଳ ସ୍ୱରୂପ, ଟିଏସକେ ୨୦୨୪ ମସିହାରେ ସମ୍ମାନଜନକ ‘ରେସପନ୍ସିବଲ ଷ୍ଟିଲ’ ସାର୍ଟିଫିକେସନ ହାସଲ କରିଥିଲା, ଯାହା ଏହାର ନୈତିକ ଉତ୍ସ ଏବଂ ଦାୟିତ୍ୱସମ୍ପନ୍ନ ଉତ୍ପାଦନ ପ୍ରଣାଳୀକୁ ପ୍ରମାଣିତ କରୁଛି ।
ଶିଳ୍ପ ବର୍ଜ୍ୟବସ୍ତୁକୁ ମଧ୍ୟ ଏକ ମୂଲ୍ୟବାନ ସମ୍ପଦ ଭାବେ ପୁନଃବ୍ୟାଖ୍ୟା କରାଯାଉଛି । ଟିଏସକେ ୧୦୦% ଏଲ୍ଡି ସ୍ଲାଗ୍ ର ସଦୁପଯୋଗ କରୁଛି; ଏହି ଇସ୍ପାତ ଉତ୍ପାଦନରୁ ବାହାରୁଥିବା ଉପଜାତ ଦ୍ରବ୍ୟକୁ ରାସ୍ତା ନିର୍ମାଣ ଏବଂ ସିମେଣ୍ଟ ତିଆରିରେ ବ୍ୟବହାର କରାଯାଉଛି। ସେହିପରି ଅଙ୍ଗାରକାମ୍ଳ ବର୍ଜ୍ୟବସ୍ତୁର ମୁକାବିଲା ପାଇଁ ଦୈନିକ ୧୦ ଟନ୍ କ୍ଷମତା ବିଶିଷ୍ଟ ‘ପଲିକ୍ରାକ୍’ ୟୁନିଟ୍ ସ୍ଥାପନ କରାଯାଇଛି । ଏହି ଉନ୍ନତ ‘ୱେଷ୍ଟ-ଟୁ-ଏନର୍ଜି’ (ବର୍ଜ୍ୟରୁ ଶକ୍ତି) ପ୍ରଯୁକ୍ତିବିଦ୍ୟା ପୌରପାଳିକାର କଠିନ ବର୍ଜ୍ୟବସ୍ତୁ, ବାୟୋମାସ ଏବଂ ବର୍ଜିତ ରବରକୁ ମୂଲ୍ୟବାନ ହାଇଡ୍ରୋକାର୍ବନ ଓ ଶକ୍ତିରେ ରୂପାନ୍ତରିତ କରିଥାଏ । ଏଭଳି ଶୂନ୍ୟ-ନିଷ୍କାସନ ଏବଂ ସର୍କୁଲାର-ଇକୋନୋମି କୁ ଆପଣେଇବା ସହ ଭାରୀ ବର୍ଜ୍ୟବସ୍ତୁକୁ ଆବର୍ଜନା ସ୍ଥାନ କୁ ଯିବାରେ ରୋକ ଲଗାଇ ପାରିଛି । ଟାଟା ଷ୍ଟିଲ୍ କଳିଙ୍ଗନଗର ଆଗାମୀ ଦିନରେ ଶିଳ୍ପ ଜଗତ ପାଇଁ ଏକ ନୂତନ ମାନଦଣ୍ଡ ସ୍ଥାପନ କରୁଛି ।

