ଛିଣ୍ଡୁନି ଚାବି ବିବାଦ, ଜିଲ୍ଲାପାଳଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ଭୁବନେଶ୍ବର () ଚାବି ମିଳିବା ପରେ ବି ଶ୍ରୀମନ୍ଦିର ରତ୍ନଭଣ୍ଡାରର ବିବାଦ ଥମୁନି । ଗତକାଲି ପୁରୀ ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ପୁରୀ ଜିଲ୍ଲା ରେକର୍ଡ ରୁମ ଲକରୁ ଏକ ଲଫାଫା ଭିତରୁ ଏହି ଚାବିଟି ମିଳିଛି । ଲଫାଫା ଉପରେ ରତ୍ନଭଣ୍ଡାରର ଡୁପ୍ଲିକେଟ ଚାବି ବୋଲି ଲେଖାଯାଇଛି ଏବଂ ଏହା ଶେଷ ଥର ପାଇଁ 1985 ମସିହାରେ ବ୍ୟବହାର କରାଯାଇଥିଲା ।

ତେବେ ପ୍ରଶ୍ନ ଉଠୁଛି ଯଦି ମିଳିଥିବା ଚାବିଟି ଡୁପ୍ଲିକେଟ ତେବେ ମୂଳ ବା ଓରିଜିନାଲ ଚାବି କୁଆଡେ ଗଲା  । ଏ ସମ୍ପର୍କରେ ପ୍ରତିକ୍ରିୟା ରଖି ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ, ଏ ସଂପର୍କରେ ଗଠିତ ବିଚାର ବିଭାଗୀୟ ତଦନ୍ତ କମିଶନ ତଦନ୍ତ କରିବେ  । ଗତ 8 ତାରିଖରେ କମିଶନ ତଦନ୍ତ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । କମିଶନ ଚାବି ହଜିବା ଘଟଣାର ବିଭିନ୍ନ ଦିଗ ଉପରେ ତଦନ୍ତ କରି ସରକାରଙ୍କୁ ରିପୋର୍ଟ ଦେବେ  ।

ସେପଟେ ଚାବି ହଜିବା ଏବଂ ମିଳିବା ଘଟଣାରେ ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର ପୁରୀ ଜିଲ୍ଲାପାଳଙ୍କୁ ଦାୟୀ କରିଛନ୍ତି  । ପୁରୀ ଜିଲ୍ଲାପାଳ ଭାବେ ସେ ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ଦାୟିତ୍ବ ବି ତୁଲାଉଛନ୍ତି । 1985 ମସିହାରେ ଶେଷ ଥର ପାଇଁ ଚାବି ବ୍ୟବହାର ହେବା ପରେ କେଉଁଠି ଅଛି ସେ ସଂପର୍କିତ ରେକର୍ଡ ଜାଂଚ ନକରି ଚାବି ହଜିଯାଇଛି ବୋଲି ପରିଚାଳନା କମିଟି ବୈଠକରେ ଏବଂ ଗଣମାଧ୍ୟମରେ କହିବା ଦାୟିତ୍ବହୀନ ମନ୍ତବ୍ୟ  । ତାଙ୍କର ଏଭଳି ଦାୟିତ୍ବହୀନ ମନ୍ତବ୍ୟ ପାଇଁ ଗତ ପ୍ରାୟ 70 ଦିନ ହେଲା ଶ୍ରୀମନ୍ଦିରକୁ ନେଇ ରାଜନୀତି ଚାଲିଛି । ତାଙ୍କ ବିରୋଧରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ ବୋଲି ବିଜୟ କହିଛନ୍ତି ।

ସେପଟେ ପୁରୀ ଜିଲ୍ଲାପାଳ କହିଛନ୍ତି ଏହି ଚାବିକୁ ତଦନ୍ତ କମିଶନଙ୍କୁ ଦିଆଯିବ  । ସେ ସବୁ ପ୍ରକାର ତଦନ୍ତକୁ ପ୍ରସ୍ତୁତ ଅଛନ୍ତି ଏବଂ ତାଙ୍କର ଜଗନ୍ନାଥଙ୍କ ଉପରେ ପୂର୍ଣ୍ଣ ବିଶ୍ବାସ ରହିଛି  । ସେ ଭୁଲ କରିନାହାଁନ୍ତି ବୋଲି କହିଛନ୍ତି  । ସେ କହିଛନ୍ତି ଯେ, ଏପ୍ରିଲ 4 ତାରିଖରେ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ରତ୍ନଭଣ୍ଡାର ଖୋଲିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚିଠି ପାଇବା ପରେ ଚାବି ଖୋଜା ଆରମ୍ଭ ହୋଇଥିଲା  । ହଠାତ ଜିଲ୍ଲା ରେକର୍ଡ ରୁମରୁ ଏକ ବନ୍ଦ ଲଫାପାରୁ ଚାବି ମିଳିବା ତାଙ୍କୁ ଆଶ୍ଚର୍ଯ୍ୟ କରିଛି  । ଏହା ଶ୍ରୀଜଗନ୍ନାଥଙ୍କ ଆଉ ଏକ ଲିଳା ବୋଲି କହିଛନ୍ତି  । ଚାବି ହଜାବି ଦିନରୁ ସେ ମହାପ୍ରଭୁଙ୍କ ନିକଟରେ ହାତ ଟେକିଦେଇଥିଲେ  । ଲଫାପା ଉପରେ ଲେଖାଅଛି ରତ୍ନଭଣ୍ଡାରର ଡୁପ୍ଲିକେଟ ଚାବି  । ତେବେ ଲଫାପା ଖୋଲିଲେ କଣ ଅଛି ତାହା ଜଣାପଡିବ  ।

Share

Leave a Reply

Your email address will not be published. Required fields are marked *

20 + ten =