ନବୀନ ନିବାସ ଘେରିବ ଡି.ଇଏଲ.ଇଡି. ଛାତ୍ରସଂଘ

ଭୁବନେଶ୍ୱର: ଆସନ୍ତା ୨୩ ତାରିଖରେ ନବୀନ ନିବାସ ଘେରିବା ଲାଗି ଚେତାବନୀ ଦେଇଛି ଡି.ଇଏଲ.ଇଡି. ଛାତ୍ରସଂଘ । ଡି.ଇଏଲ୍‌. ଇଡି. ଶେଷ ବର୍ଷ ପରୀକ୍ଷା ଓ ଫଳ ପ୍ରକାଶନ ଅଗଷ୍ଟ ମାସ ମଧ୍ୟରେ ଶେଷ କରିବା ପାଇଁ ଜୁଲାଇ ୨୧ ସୁଦ୍ଧା ଘୋଷଣା ନ କଲେ ସମଗ୍ର ରାଜ୍ୟର ଡି.ଇଏଲ୍‌. ଇଡି. ଛାତ୍ରଛାତ୍ରୀ ୨୩ ଜୁଲାଇରେ ନବୀନ ନିବାସ ଘେରାଓ କରିବା ପାଇଁ ନିଖିଳ ଓଡ଼ିଶା ଡି.ଇଏଲ୍‌. ଇଡି. ଛାତ୍ର ସଂଘ ପକ୍ଷରୁ ଆଜି ୟୁନିଟ୍‌-୬ ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।

ଗତ ଜାନୁଆରୀ ୬ତାରିଖରେ ଏସ୍‌.ସି.ଇ.ଆର.ଟି. ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ନଂ ୬୪ ଅନୁଯାୟୀ ୩୦ ଜୁନ୍ ମଧ୍ୟରେ ଶିକ୍ଷକ ଶୈକ୍ଷିକ ଶିକ୍ଷାଦାନ ଓ ଇଣ୍ଟର୍ଣ୍ଣସିପ୍ ଶେଷ କରି ଜୁଲାଇ ମଧ୍ୟରେ ପରୀକ୍ଷା ଶେଷ କରି ଫଳ ପ୍ରକାଶନ ପାଇଁ ଘୋଷଣା କରାଯାଇଥିଲା । ତଦନୁଯାୟୀ ଜୁନ୍ ୩୦ ପୂର୍ବରୁ ଶିକ୍ଷକ ପ୍ରଶିକ୍ଷଣ ଇଣ୍ଟର୍ଣ୍ଣସିପ୍ କାର୍ଯ୍ୟକ୍ରମ ଶେଷ କରାଯାଇଛି । ମାତ୍ର ଆଶ୍ଚର୍ଯ୍ୟଜନକ ଭାବରେ ୧୩ ଜୁଲାଇରେ ଏସ୍‌.ସି.ଇ.ଆର.ଟି. ତରଫରୁ ବିଜ୍ଞପ୍ତି ନଂ- ୪୩୬୭, ତାରିଖ ୧୩.୦୭.୨୧ ଅନୁସାରେ ପୁଣି ୩ ମାସିଆ ଇଣ୍ଟର୍ଣ୍ଣସିପ୍ ପାଇଁ ଅଧ୍ୟୟନ ଶେଷ କରିଥିବା ଡି.ଇଏଲ୍‌. ଇଡି. ଶେଷ ବର୍ଷର ଛାତ୍ରଛାତ୍ରୀମାନଙ୍କୁ ବାଧ୍ୟ କରାଗଲା । ଏହି ପରିବର୍ଦ୍ଧିତ ଇଣ୍ଟର୍ଣ୍ଣସିପ୍ ଅକ୍ଟୋବର ୧୦ ତାରିଖରେ ଶେଷ ହେଲାପରେ ପରୀକ୍ଷା ଓ ଫଳ ପ୍ରକାଶନ ଅହେତୁକ ଭାବରେ ବିଳମ୍ବିତ ହେବ ।

ଯାହାଫଳରେ ୟୁ.ଜି.ସି. ନିର୍ଦ୍ଦେଶାବଳୀ ଅନୁସାରେ ଡିଗ୍ରୀ ଶ୍ରେଣୀରେ ପ୍ରବେଶିକା ପ୍ରକ୍ରିୟା ସେପ୍ଟେମ୍ବର ପହିଲାରୁ ଓ ଅକ୍ଟୋବର ପହିଲାରୁ ଅଧ୍ୟୟନ ପ୍ରକ୍ରିୟା ଆରମ୍ଭ ହେବ । ଡି.ଇଏଲ୍‌. ଇଡି. ଛାତ୍ରଛାତ୍ରୀମାନଙ୍କ ପରୀକ୍ଷା ଫଳ ଅଗଷ୍ଟ ଶେଷ ମଧ୍ୟରେ ପ୍ରକାଶିତ ନହେଲେ ଏମାନେ ଉଚ୍ଚ ଶିକ୍ଷାରୁ ବଞ୍ôଚତ ହେବେ । ଏହି ଉଦ୍‌ବେଗ ନେଇ ସମଗ୍ର ରାଜ୍ୟରେ ଡି.ଇଏଲ୍‌.ଇଡି.ର ଶେଷ ବର୍ଷର ଛାତ୍ରଛାତ୍ରୀଙ୍କ ପକ୍ଷରୁ ସରକାରଙ୍କୁ ଦାବିପତ୍ର ମାଧ୍ୟମରେ ବାରମ୍ବାର ଅବଗତ କରାଯାଇଥିଲେ ମଧ୍ୟ ସରକାର ଏହାକୁ କର୍ଣ୍ଣପାତ କରିନାହାନ୍ତି ।

ଏହାର ପ୍ରତିବଦଳରେ ଡି.ଇଏଲ୍‌.ଇଡି. ଶେଷ ବର୍ଷର ଛାତ୍ରଛାତ୍ରୀମାନେ ଘରକୁ ଘର ବୁଲି ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରିବେ ଏବଂ ଏହି ଶିକ୍ଷାଦାନ ସମୟରେ ଯଦି ଏମାନେ କରୋନା ଦ୍ୱାରା ସଂକ୍ରମିତ ହୁଅନ୍ତି ସେଥିପାଇଁ ସରକାର ଅଥବା ଶିକ୍ଷକମାନେ ଦାୟୀ ନୁହନ୍ତି ବୋଲି ଅଭିଭାବକ ମାନଙ୍କଠାରୁ ମାନସିକ ନିର୍ଯ୍ୟାତନା ଦେଇ ସମ୍ମତି ପତ୍ରରେ ସ୍ୱାକ୍ଷର ନେଉଛନ୍ତି । ସରକାରଙ୍କ ଏତାଦୃଶ ପଦକ୍ଷେପକୁ ସଂଘ ତରଫରୁ ଦୃଢ ନିନ୍ଦା କରାଯାଇ ମାନବାଧିକାର କ୍ଷୁର୍ଣ୍ଣକାରୀ ଏଭଳି ପଦକ୍ଷେପରୁ ସରକାର ବିରତ ରହିବାକୁ ଦାବି କରାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଅଖିଳ ଭାରତ ଛାତ୍ର ସଂଘ ସହବନ୍ଧିତ ନିଖିଳ ଓଡ଼ିଶା ଡି.ଇଏଲ୍‌.ଇଡି. ଛାତ୍ର ସଂଘର ରାଜ୍ୟ ସଭାପତି ଚନ୍ଦନ କୁମାର ବିଶ୍ୱାଳ ଏ.ଆଇ.ଏସ୍‌.ଏଫ୍‌.ର ରାଜ୍ୟ ସଭାପତି ସଂଘମିତ୍ରା ଜେନା, ସଂଘର ସମ୍ପାଦକ ମଳୟ ରଞ୍ଜନ ସ୍ୱାଇଁଙ୍କ ସମେତ ପର୍ଶୁରାମ ବେହେରା, ଦୁତୀକୃୃଷ୍ଣ ବେହେରା, ସୁଦାମ ସ୍ୱାଇଁ, ବିଶ୍ୱ ବିଜୟୀ ଦେବୀ ପ୍ରସାଦ, ଦୀପ୍ତିରଞ୍ଜନ ପାତ୍ର, ସଂଗ୍ରାମ କୁମାର ମିଶ୍ର, ସରୋଜ କୁମାର ସାହୁ, ଅନୁଶ୍ରୀ ରୀତାପଦ୍ମା, ପୀତବାସ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।

Share

Leave a Reply

Your email address will not be published. Required fields are marked *

4 − one =