ଧରା ପଡିଲା କଂଗ୍ରେସର ଦୋମୁହାଁ ନୀତି

ଭୁବନେଶ୍ୱର : ମହାନଦୀର ଉପରମୁଣ୍ଡରେ ବ୍ୟାରେଜ୍ ନିର୍ମାଣ ମାମଲାର ବିଚାର ଏବେ ଟ୍ରିବୁନାଲରେ ବିଚାରଧୀନ ଅବସ୍ଥାରେ ରହିଛି । ଏହି ସମୟରେ ନୂଆ କରି ଛତିଶଗଡ଼ରେ ସରକାର ଗଢ଼ିଥିବା କଂଗ୍ରେସର ଜଳ ସମ୍ପଦ ମନ୍ତ୍ରୀ ରବିନ୍ଦ୍ର ଚୌବେ କହିଛନ୍ତି ଯେ, ମହାନଦୀ ଉପରେ ଛତିଶଗଡ଼ବାସୀଙ୍କ ପୂର୍ଣ୍ଣ ଅଧିକାର ରହିଛି । ମହାନଦୀର ଉତ୍ପତ୍ତି ସ୍ଥଳ ମଧ୍ୟ ଛତିଶଗଡ଼ର । ଏହି ମାମଲା ଟ୍ରିବୁନାଲରେ ବିଚାରଧୀନ ଥିବାରୁ ସରକାର ତାଙ୍କର ପକ୍ଷର ସେଠାରେ ରଖିବେ । କିନ୍ତୁ ମହାନଦୀ ପାଣି କାହାରିକୁ ଦିଆଯିବ ନାହିଁ ବୋଲି ରବିନ୍ଦ୍ର ଚୌବେ ସିଧାସଳଖ ଭାବେ ଗଣମାଧ୍ୟମରେ ବିବୃତ୍ତି ଦେଇଛନ୍ତି । ଚୌବେଙ୍କ ଏହି ବିବୃତି ରାଜ୍ୟ କଂଗ୍ରେସ ନେତାଙ୍କୁ ଅଡ଼ୁଆରେ ପକାଇଛି ।
କାରଣ ଛତିଶଗଡ଼ରେ ରମଣ ସିଂ ସରକାର ଥିବା ସମୟରେ ମହାନଦୀ ଜଳ ବିବାଦକୁ ଉଭୟ ଓଡ଼ିଶା ଓ ଛତିଶଗଡ଼ ସରକାରଙ୍କ ମଧ୍ୟରେ ଟଣାଓଟରା ଲାଗି ରହିଥିଲା । ଏପରିକି ଛତିଶଗଡ଼ରେ କଂଗ୍ରେସ ସରକାର ଗଠନ କରିବା ପରେ ମହାନଦୀ ଜଳ ବିବାଦର ସମାଧାନ ହୋଇଯିବ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଗଣମାଧ୍ୟମରେ ବିବୃତି ଦେଇଥିଲେ । ଏପରିକି ସେ ନିଜେ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ଓଡ଼ିଶାକୁ ତା’ର ହକ୍ ଦେବେ ବୋଲି କହିଥିଲେ ।
କିନ୍ତୁ ଏସବୁ ମଧ୍ୟରେ ଛତିଶଗଡ଼ ଜଳ ସମ୍ପଦ ମନ୍ତ୍ରୀ ରବିନ୍ଦ୍ର ଚୌବେଙ୍କର ଏଭଳି ବୟାନ ମହାନଦୀ ଜଳ ବିବାଦକୁ ପୁଣି ଗୋଳିଆ କରିଛି । ଏଠାରେ ସୂଚନାଯୋଗ୍ୟ ଯେ,ଗତ ୧୫ ତାରିଖରେ ମହାନଦୀ ଟ୍ରିବୁନାଲରେ ଜଳ ବିବାଦ ମାମଲାର ଶୁଣାଣୀ ହୋଇଥିଲା । ୨ ସପ୍ତାହ ମଧ୍ୟରେ ଓଡ଼ିଶାକୁ ସତ୍ୟପାଠ ଜରିଆରେ ୨୦ ବର୍ଷର ମହାନଦୀ ଜଳ ପ୍ରବାହ ନେଇ ବିସ୍ତୁତ ତଥ୍ୟ ମାଗିଛନ୍ତି ଟ୍ରିବୁନାଲ । ଓଡ଼ିଶାର ସତ୍ୟପାଠ ପରେ ପ୍ରତି ଜବାବ ରଖିବ ଛତିଶଗଡ଼ ।
ଅନ୍ୟପକ୍ଷରେ ଛତିଶଗଡ଼ ଜଳସମ୍ପଦ ମନ୍ତ୍ରୀଙ୍କର ଏଭଳି ବୟାନ ପରେ ରାଜନୈତିକ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଯାଇଛି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, ଏନେଇ
ସେ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ଛତିଶଗଡ଼ ସରକାରଙ୍କର ଯେଉଁ ଅଧିକାର ଅଛି ଓ ଆମର ଯେଉଁ ଅଧିକାର ଅଛି ଟେକ୍ନିକାଲି ତାହାର ସମାଧାନ କରାଯିବ । ଏଥିରେ କିଛି ବ୍ୟସ୍ତ ହେବାର ନାହିଁ ବୋଲି ନିରଞ୍ଜନ କହିଛନ୍ତି ।
ସେପଟେ ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର କହିଛନ୍ତି ଯେ, ମହାନଦୀ ପ୍ରସଙ୍ଗରେ ଆଗରୁ ଓଡ଼ିଶାକୁ ରମଣ ସିଂଙ୍କ ସରକାର ଅଣଦେଖା କରିଆସିଥଲେ । ବାରମ୍ବାର ସମାଧାନର ପ୍ରତିଶ୍ରୁତି ଦେଇ ଓଡ଼ିଶା ସରକାର ତଥା ଜନସାଧାରଣଙ୍କ ସହ ଛକାପଞ୍ଝା କରି ଆସୁଥିଲେ । ବର୍ତ୍ତମାନ ସେମାନଙ୍କ ଭୂମିକାକୁ କଂଗ୍ରେସ ଓହ୍ଲାଇଛି । ଛତିଶଗଡ଼ରେ ଦଳ କ୍ଷମତାକୁ ଆସିଲେ ଅକ୍ଳେଶରେ ମହାନଦୀ ସମସ୍ୟାର ସମାଧାନ ହେବ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ବାରମ୍ବାର କହି ଆସୁଥିଲେ । ମାତ୍ର ବର୍ତ୍ତମାନର ଛତିଶଗଡ଼ର ଜଳମନ୍ତ୍ରୀଙ୍କ ଉକ୍ତି ପ୍ରମାଣିତ କରୁଛି କଂଗ୍ରେସ ଓ ବିଜେପି ଗୋଟିଏ ମୁଦ୍ରାର ଦୁଇଟି ପାଶ୍ୱର୍ ବୋଲି ବିଜେଡ଼ି ଭପସଭାପତି ଦେବୀ ମିଶ୍ର ଅଭିଯୋଗରେ କହିଛନ୍ତି । ମହାନଦୀ ଉପରେ ଛତିଶଗଡ଼ ସରକାରଙ୍କ ଏକଚାଟିଆ ଅଧିକାର ଘୋଷଣା କରିବା ଅତ୍ୟନ୍ତ ହାସ୍ୟାସ୍ପଦ । ୧୯୪୭ ମସିହାରେ ହୀରାକୁଦ ଜାତୀୟ ପ୍ରକଳ୍ପ ପ୍ରତିଷ୍ଠା ହେବା ସମୟରେ ତକ୍ରାଳୀନ ସିଡବ୍ଲ୍ୟୁଆଇଏନ୍ସି ଅଧ୍ୟକ୍ଷ ଡା.ଏନ୍ ଖୋସଲା ଏକ ଡିପିଆର୍ ପ୍ରସ୍ତୁତ କରିଥିଲେ । ଡିପିଆର୍ର ଚୁକ୍ତିନାମା ଅନୁଯାୟୀ ସେଥିରେ ମହାନଦୀର ଜଳର ୬୦ ପ୍ରତିଶତ ଏବଂ ଛତିଶଗଡ଼ ୪୦ ପ୍ରତିଶତଽ୍ୟବହାର କରିବା ନେଇ ବ୍ୟବସ୍ଥା କରାଯାଇଥିଲା । ମାତ୍ର ବର୍ତ୍ତମାନ କେଉଁ ଆଧାରରେ ଛତିଶଗଡ଼ ଜଳମନ୍ତ୍ରୀ ଏକଥା କହୁଛନ୍ତି ବୋଲି ଦେବୀ ପ୍ରଶ୍ନ କରିଛନ୍ତି । ମହାନଦୀ ପାଇଁ ବିରୋଧୀ ଦଳ କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ମାତ୍ର ଆଞ୍ଚଳିକ ଦଳ ଭାବରେ ଓଡ଼ିଶଽାସୀଙ୍କ ସ୍ୱାର୍ଥରକ୍ଷା ପାଇଁ ବିଜେଡ଼ି ନିଜର ଉଦ୍ୟମ ଜାରି ରଖିଛି ଏବଂ ଏଥିରେ ନିଶ୍ଚୟ ସଫଳ ହେବ ବୋଲି ଦେବୀ ମିଶ୍ର ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।
Share

Leave a Reply

Your email address will not be published. Required fields are marked *

one × five =