ହାତ ମିଳାଇଲେ କଂଗ୍ରେସ-ବିଜେପି, ଅଚଳ ହେଲା ବିଧାନସଭା

ଭୁବନେଶ୍ବର ()  ବିଜେଡିକୁ ଘେରିବାକୁ କଂଗ୍ରେସ-ବିଜେପି ଗୋଟିଏ ମଂଚରେ ଏକାଠି ହେଲେ । ବଜେଟ ଅଧିବେଶନର ଦ୍ବିତୀୟ ଦିନରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା କରାଇଦେଲେନି ବିଜେପି ଓ କଂଗ୍ରେସ । ଚାଷୀ ଏବଂ ଚିଟଫଣ୍ଡ ପ୍ରସଙ୍ଗରେ ବିଧାନସଭାକୁ ଦିନ ତମାମ ଅଚଳ କରି ରଖିଲେ ବିରୋଧୀ ।

ଆଜି ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ହରିହର କରଣଙ୍କ ବିୟୋଗରେ ବିଧାନସଭାରେ ଶୋକ ପ୍ରସ୍ତାବ ଆଗତ କରିଥିଲେ । ଶୋକ ପ୍ରସ୍ତାବ ଉପରେ ପ୍ରାୟ 10 ମିନିଟ ଆଲୋଚନା ହେବା ପରେ କଂଗ୍ରେସ ଓ ବିଜେପି ବିଧାୟକମାନେ ହାତ ଠରାଠରି ହୋଇ ଗୃହର ମଧ୍ୟଭାଗକୁ ମାଡି ଆସିଲେ । କଂଗ୍ରେସ ବିଧାୟକମାନେ ଚାଷୀ ପ୍ରସଙ୍ଗକୁ ନେଇ ହଟ୍ଟଗୋଳ କରିଥିବା ବେଳେ ବିଜେପି ବିଧାୟକମାନେ ଚିଟଫଣ୍ଡ ପ୍ରସଙ୍ଗକୁ ଅସ୍ତ୍ର କରିଥିଲେ ।

ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନିପତି “ରାଜ୍ୟରେ ଧାନର ଅଭାବୀ ବିକ୍ରି, ଚାଷୀ ବେହାଲ, ଦଲାଲ ଓ ସରକାରୀ କର୍ମଚାରୀ ମାଲାମାଲ”, ଏହି ପ୍ରସଙ୍ଗରେ ମୁଲତବି ନୋଟିସ ଦେଇଥିଲେ । ମୁଲତବି ନୋଟିସଟିକୁ ବାଚସ୍ପତି ଗ୍ରହଣ କରିଥିଲେ । କିନ୍ତୁ ବିରୋଧୀ ଦଳର ସଭ୍ୟମାନେ ଚାଷୀଙ୍କ ପ୍ରସଙ୍ଗରେ ଆଲୋଚନାର ସୁଯୋଗ ନଦେଇ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ । କଂଗ୍ରେସ ବିଧାୟକଙ୍କ ସହ ବିଜେପି ବିଧାୟକମାନେ ବି ଚିଟଫଣ୍ଡ ପ୍ରସଙ୍ଗରେ ଦେହରେ କଳା ଗାଉନ ପିନ୍ଧି ନାରାବାଜୀ କରିଥିଲେ । ଉଭୟ କଂଗ୍ରେସ ଓ ବିଜେପି ବିଧାୟକଙ୍କ ଏଭଳି ହଟ୍ଟଗୋଳ ଯୋଗୁଁ ଆଜି ବିଧାନସଭା ଅଧିବେଶନରେ କୌଣସି ପ୍ରସଙ୍ଗରେ ଆଲୋଚନା ହୋଇପାରିନଥିଲା ।

ପ୍ରଥମାର୍ଦ୍ଧରେ ହଟ୍ଟଗୋଳ ଯୋଗୁଁ ଦୁଇଥରରେ ବିଧାନସଭାକୁ ବାଚସ୍ପତି ଅପରାହ୍ନ 3ଟା ଯାଏଁ ମୁଲତବି କରିଥିବା ବେଳେ ଅପରାହ୍ନ ଅଧିବେଶନରେ ମଧ୍ୟ ସେହିଭଳି ହଟ୍ଟଗୋଳ ଜାରି ରହିବାରୁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ ଏବଂ ଆସନ୍ତାକାଲି ପର୍ଯ୍ୟନ୍ତ ବିଧାନସଭାକୁ ମୁଲତବି ଘୋଷଣା କରିଥିଲେ ।

Share

Leave a Reply

Your email address will not be published. Required fields are marked *

2 × three =