ଆଦିବାସୀଙ୍କ ସମାଗ୍ରିକ ବିକାଶ ଉପରେ ମୁଖ୍ୟମନ୍ତ୍ରୀଙ୍କ ଫୋକସ୍‌

ଆଦିବାସୀଙ୍କ କଳା, ସଂସ୍କୃତି ସୁରକ୍ଷା ସହ ଶିକ୍ଷାର ପ୍ରସାର ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି । ରାଜ୍ୟର ୯ ଆଦିବାସୀ ବହୁଳ ଜିଲ୍ଲାରେ ‘ସ୍ୱତନ୍ତ୍ର ଉନ୍ନୟନ ପରିଷଦ’ ଗଠନ ହୋଇ ଦୀର୍ଘମିଆଦୀ ଯୋଜନା ପ୍ରସ୍ତୁତ ବି ହୋଇଛି । ପ୍ରତି ଜିଲ୍ଲାରୁ ଦୁଇ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ପ୍ରଦାନ ନିମନ୍ତେ ବିଦେଶ ପଠାଇବାର ବ୍ୟବସ୍ଥା ହୋଇଛି । ଏହା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ବୁଧବାର ନବୀନ ନିବାସରେ ବସିଥିଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ବୈଠକ । ଏଥିରେ ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷତା କରିଥିବା ବେଳେ ଉନ୍ନୟନ ପରିଷଦର ଉପଦେଷ୍ଟା ପ୍ରଦୀପ ମାଝି ଏବଂ ୯ ଜିଲ୍ଲା ଉନ୍ନୟନ ପରିଷଦର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ସାମିଲ ହୋଇଥିଲେ । ବୈଠକ ପରେ ଉପଦେଷ୍ଟା ଶ୍ରୀ ମାଝି କହିଛନ୍ତି ଯେ ପରିଷଦ ଅଞ୍ଚଳରେ ଆଦିବାସୀଙ୍କ ସାମଗ୍ରିକ ବିକାଶ ଉପରେ ଅଧିକ ଫୋକସ୍ ଦେବାକୁ ନିଷ୍ପତ୍ତି ହୋଇଛି । ଆଦିବାସୀଙ୍କ ପିଲାମାନେ କିଭଳି ଦେଶ ବିଦେଶରେ ନାମ କରିବେ, ସେଥିପାଇଁ ସ୍ୱତନ୍ତ୍ର ଖସଡ଼ା ପ୍ରସ୍ତୁତ ହୋଇଛି । ଉଚ୍ଚଶିକ୍ଷା ପାଇଁ ପରିଷଦ ଅଞ୍ଚଳରେ ସ୍ୱତନ୍ତ୍ର ହଷ୍ଟେଲ ଖୋଲିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ତାହା ଖୁବ୍‌ଶୀଘ୍ର ହେବ । ସେହିପରି ପ୍ରତି ବର୍ଷ କନ୍‌କ୍ଲେଭ୍ ଆୟୋଜନ ହେବ । ଆଦିବାସୀ ବହୁଳ ଜିଲ୍ଲାରୁ ୨ଜଣ କରି ମେଧାବୀ ଆଦିବାସୀ ପିଲାଙ୍କୁ ଚିହ୍ନଟ୍ କରି ବିଦେଶ ପଠାଯିବ । ଏହାଦ୍ୱାରା ଆଦିବାସୀ ଛାତ୍ରଛାତ୍ରୀମାନେ ସମାଜର ମୁଖ୍ୟ ସ୍ରୋତକୁ ଆସିପାରିବେ । ସେମାନଙ୍କୁ ସମାଜର ଉଚ୍ଚ ସ୍ଥାନରେ ରଖିବା ହେଉଛି ସରକାରଙ୍କର ମୂଳ ଉଦ୍ଦେଶ୍ୟ । ସେମାନେ ସଫଳ ହେଲେ ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନ ସାକାର ହେବ ବୋଲି ସେ ପ୍ରକାଶ କରିଛନ୍ତି ।
ଉଲ୍ଲେଖନୀୟ ଯେ ରାଜ୍ୟ ସରକାର ଗତ ୨୭ ସେପ୍ଟେମ୍ବରରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ(ଏସ୍‌ଡିସି)ର ନୂଆ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କୁ ନିଯୁକ୍ତି ଦେଇଥିଲେ । ୮ ଜିଲ୍ଲାରେ ଅଧ୍ୟକ୍ଷ ପଦ ଓ ୯ ଜିଲ୍ଲାରେ ଉପାଧ୍ୟକ୍ଷ ପଦ ପାଇଁ ନାମ ଘୋଷଣା ହୋଇଥିଲା । ଆଜି ପରିଷଦର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ମୟୂରଭଞ୍ଜ ଜିଲ୍ଲାର ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଡ. ଦେବାଶିଷ ମାରାଣ୍ଡି ଓ ଉପାଧ୍ୟକ୍ଷ କମଳା ତିରିଆ, କେନ୍ଦୁଝର ଜିଲ୍ଲାର ଅଧ୍ୟକ୍ଷ ଲକ୍ଷ୍ମୀ ନାୟକ ଓ ଉପାଧ୍ୟକ୍ଷ ନାରାୟଣ ପୂର୍ତ୍ତୀ, ମାଲକାନଗିରି ଅଧ୍ୟକ୍ଷ ଆଦମା ରବା ଓ ଉପାଧ୍ୟକ୍ଷ ରାଏଲା ନାଏକ, କୋରାପୁଟର ଅଧ୍ୟକ୍ଷ ଚନ୍ଦ୍ରଶେଖର ମାଝୀ ଓ ଉପାଧ୍ୟକ୍ଷ ଲକ୍ଷ୍ମୀ ହନ୍ତାଳ, ନବରଙ୍ଗପୁରର ଅଧ୍ୟକ୍ଷ ଉପେନ୍ଦ୍ର ଗୋଁଣ୍ଡ ଓ ଉପାଧ୍ୟକ୍ଷ ଭାନୁମତି ପୂଜାରୀ, ରାୟଗଡ଼ାର ଅଧ୍ୟକ୍ଷ ଅନସୂୟା ମାଝି ଓ ଉପାଧ୍ୟକ୍ଷ ବନମାଳୀ କାଡ୍ରାକା, ଗଜପତିର ଅଧ୍ୟକ୍ଷ ମରିୟମ ରାଇତୋ ଓ ଉପାଧ୍ୟକ୍ଷ ଧନେଶ୍ୱର ଭୂୟାଁ, କନ୍ଧମାଳ ଜିଲ୍ଲାର ଅଧ୍ୟକ୍ଷ ରୋଦନ ମଲ୍ଲିକ ଓ ଉପାଧ୍ୟକ୍ଷ ନଳିନୀ କଁହର ଏବଂ ସୁନ୍ଦରଗଡ଼ ଜିଲ୍ଲାର ଉପାଧ୍ୟକ୍ଷ ସୁଶୀଳା ଟପ୍ପୋ ଯୋଗ ଦେଇଥିଲେ ।

Share

Leave a Reply

Your email address will not be published. Required fields are marked *

16 + 16 =