ଆସନ୍ତାକାଲି ଉଦଘାଟିତ ହେବ ପୁରୀର ଶ୍ରୀଜଗନ୍ନାଥ ମେଡିକାଲ କଲେଜ୍

ଆସନ୍ତାକାଲି ଉଦଘାଟିତ ହେବ ପୁରୀର ଶ୍ରୀଜଗନ୍ନାଥ ମେଡିକାଲ କଲେଜ୍ । ପୁରୀ-କୋଣାର୍କ ମେରାଇନ ଡ୍ରାଇଭ ରୋଡ ବାଲିଗୁଆଳିରେ ସ୍ଥାପିତ ହୋଇଥିବା ଶ୍ରୀଜଗନ୍ନାଥ ମେଡିକାଲ କଲେଜରେ କାଲିଠୁ ପ୍ରଥମ ବ୍ୟାଚର ଏମବିବିଏସ ପାଠ୍ୟକ୍ରମ ଆରମ୍ଭ ହେବ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମେଡିକାଲ କଲେଜର ଶୁଭ ଉଦଘାଟନ କରିବେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । କଲେଜ ପରିସରରେ ପ୍ରସ୍ତୁତ ହୋଇଥିବା ହେଲିପ୍ୟାଡରେ କାଲି ଅପରାହ୍ନରେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଅବତରଣ କରିବ।

ଏହା ପରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ମେଡିକାଲ କଲେଜର ଲୋକାପର୍ଣ ତଥା ଶୁଭ ଉଦଘାଟନ କରିବେ । ଏଥିପାଇଁ ପୁରୀ ଜିଲ୍ଲା, ପୋଲିସ ଓ ମେଡିକାଲ କଲେଜ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଛାତ୍ରଛାତ୍ରୀଙ୍କ ରହିବା ପାଇଁ ହଷ୍ଟେଲ, କ୍ୟାଣ୍ଟିନ୍, ଲ୍ୟାବ୍, ଖେଳପଡ଼ିଆ, କ୍ଲାସ ରୁମ୍ ସହ ପ୍ରଶାସନିକ ଭବନ ମଧ୍ୟ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ରହିଛି । ଏହି ମେଡିକାଲ କଲେଜ ମୁଖ୍ୟମନ୍ତ୍ରୀଙ୍କ ଏକ ପ୍ରମୁଖ ପ୍ରୋଜେକ୍ଟ ହୋଇଥିବା ବେଳେ ଏହାର ନିର୍ମାଣ କାର୍ଯ୍ୟ ପାଇଁ  ୫ ଶହ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିଲା । ଏବେ ପ୍ରାଥମିକ ପର୍ଯ୍ୟାୟରେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଛାତ୍ରଛାତ୍ରୀମାନେ ଶିକ୍ଷା ନେବାର ବ୍ୟବସ୍ଥା କରାଯାଇଛି । ଆସନ୍ତା ଦୁଇବର୍ଷ ମଧ୍ୟରେ ଶ୍ରୀଜଗନ୍ନାଥ ମେଡିକାଲ କଲେଜ ପରିସରରେ ନିଜସ୍ଵ ମେଡିକାଲ ନିର୍ମାଣ ହେବା ପରେ ଏଠାରେ ଆହୁରି ଅଧିକ ଅତ୍ୟାଧୁନିକ ଚିକିତ୍ସା ସୁବିଧା ମିଳିପାରିବ ।

Share

Leave a Reply

Your email address will not be published. Required fields are marked *

1 × 3 =