ମୁଖ୍ୟମନ୍ତ୍ରୀ ଜାରି କଲେ ବସୁଧା ହେଲ୍ପ ଲାଇନ ନମ୍ବର

ଭୁବନେଶ୍ବର () ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଗ୍ରାମୀଣ ଜଳ ଯୋଗାଣ ପ୍ରକଳ୍ପ ବସୁଧା ହେଲ୍ପ ଲାଇନ ନମ୍ବର ଜାରି କରିଛନ୍ତି । ବସୁଧା ହେଲ୍ପ ଲାଇନ ନମ୍ବର 1916 ସକାଳ 6ଟାରୁ ସନ୍ଧ୍ୟା 6 ପର୍ଯ୍ୟନ୍ତ କାର୍ଯ୍ୟ କରିବ । ଗ୍ରାମାଞ୍ଚଳରେ ଜଳଯୋଗାଣ ବ୍ୟାହତ, ଟ୍ୟୁବେଲ ମରାମତି ଆଦି ସଂପର୍କରେ ଏହି ହେଲ୍ପ ଲାଇନ ନମ୍ବରରେ ଫୋନ କରି ନିଜ ଅଭିଯୋଗ ଦାଖଲ କରିପାରିବେ । ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ଏହାର ସମାଧାନ କରାଯିବ ।

ହେଲ୍ପ ଲାଇନ ନମ୍ବରକୁ କାର୍ଯ୍ୟକ୍ଷମ କରିବା ସହ ମୁଖ୍ୟମନ୍ତ୍ରୀ ପଂଚାୟତିରାଜ ଓ ଗ୍ରାମୀଣ ଜଳ ଯୋଗାଣ ବିଭାଗକୁ ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ରାଜ୍ୟର ସବୁ ପାନୀୟ ଜଳଯୋଗାଣ ପ୍ରକଳ୍ପ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟର ପ୍ରତ୍ୟେକ ଘରକୁ ନିଶ୍ଚିତ ପାନୀୟ ଜଳଯୋଗାଣ ରାଜ୍ୟ ସରକାରଙ୍କ ଲକ୍ଷ୍ୟ ।

ଗ୍ରାମାଞ୍ଚଳରେ ବିକେନ୍ଦ୍ରିକରଣ ପ୍ରକ୍ରିୟାରେ ସବୁ ପଂଚାୟତିରାଜ ଅନୁଷ୍ଠାନ ଏବଂ ଗୋଷ୍ଠି ଅନୁଷ୍ଠାନକୁ ସାମିଲ କରି 2014-15ରେ ଆରମ୍ଭ ହୋଇଥିଲା ଓଡିଶା ଗ୍ରାମୀଣ ଜଳ ପ୍ରକଳ୍ପ । 2017-18ରେ ବକ୍ସି ଜଗବନ୍ଧୀଙ୍କ ଦୁଇ ଶତ ବର୍ଷିକୀ ପାଳନ ଅବସରରେ ରାଜ୍ୟ ସରକାର ବକ୍ସି ଜଗବନ୍ଧୁ ନିଶ୍ଚିତ ପାନୀୟ ଜଳ ପ୍ରକଳ୍ପ ବା ବସୁଧା ଯୋଜନା ଆରମ୍ଭ କରିଥିଲେ । ଏଥିପାଇଁ 2017-18ରେ 600 କୋଟି ଏବଂ 2018-19ରେ 1000 କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ବସୁଧା ଯୋଜାର ମୂଳ ଲକ୍ଷ୍ୟ ହେଉଛି ଗ୍ରାମାଞ୍ଚଳର ପ୍ରତି ପରିବାର ନିଶ୍ଚିତ ପାନୀୟ ଜଳ ପାଇବେ ଏବଂ ପ୍ରନୀୟ ଜଳ ପ୍ରକଳ୍ପ ଉପରେ ନିର୍ଭର କରୁଥିବା ଗ୍ରାମବାସୀ ଓ ଗୋଷ୍ଠି ଏହାର ସୁରକ୍ଷା ଦାୟିତ୍ବ ନେବେ ।

ଗତ 18 ମାସ ମଧ୍ୟରେ ପଂଚାୟତିରାଜ ବିଭାଗ ପକ୍ଷରୁ 4200ଟି ନୂଆ ପାନୀୟ ଜଳ ପ୍ରକଳ୍ପ ଆରମ୍ଭ କରିଛନ୍ତି, ଯାହା ବିଭିନ୍ନ ପର୍ଯ୍ୟାୟରେ କାର୍ଯ୍ୟକାରୀ ହେଉଛି । 10ହଜାର 500 କୋଟି ଟଙ୍କା ବ୍ୟୟରେ 65ଟି ବୃହତ ପାନୀୟ ଜଳ ପ୍ରକଳ୍ପର ପରିକଳ୍ପନା କରାଯାଇଛି । 3000 ହଜାର ସୌର ଚାଳିତ ପମ୍ପ ସ୍ଥାପନ କରାଯାଇଛି । ଅସୁରକ୍ଷିତ ପାନୀୟ ଜଳ ବ୍ୟବହାର କରୁଥିବା 2500ଟି ଜନବସତିକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରାଯାଇଛି ଏବଂ ସବୁ ଆଦିମ ଜନଜାତୀଙ୍କ ଜନବସତିକୁ ପାନୀୟ ଜଳ ଯୋଗାଣ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

14 − 5 =