ଚାଷୀ ପିଲାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆଶ୍ବାସନା : ମୁଁ ସବୁବେଳେ ତୁମ ପରିବାର ସହ ଅଛି

ଢେଙ୍କାନାଳ () ଢେଙ୍କାନାଳରେ ଏକ ବିରାଟ ଚାଷୀ ସମାବେଶକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି 1 ଲକ୍ଷ 78ହଜାର  466 ଜଣ ଭୂମିହୀନ କୃଷି ଶ୍ରମିକଙ୍କୁ ଜୀବନଜୀବିକା ସହାୟତା ପ୍ରଦାନ କରିଛନ୍ତି । ପ୍ରଥମ ଦଫାରେ ପ୍ରତ୍ୟେକ ଭୂମିହୀନ କୃଷି ଶ୍ରମିକଙ୍କୁ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ 5ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କାଳିଆ ସହାୟତା ପାଉଥିବା ଚାଷୀଙ୍କ ପିଲାମାନଙ୍କୁ କାଳିଆ ଛାତ୍ରବୃତ୍ତି ସଂପର୍କିତ ଅଫର ଲେଟର ପ୍ରଦାନ କରିଥିଲେ । ଏହି ଚାଷୀ ପିଲାମାନେ ରାଜ୍ୟ ସରକାରଙ୍କ ଶିକ୍ଷାନୁଷ୍ଠାନରେ ବୃତ୍ତିଗତ ଓ ବୈଷୟିକ ଶିକ୍ଷା ପାଇଁ ଛାତ୍ରବୃତ୍ତି ପାଇବେ ।

ଏହି ସମାବେଶକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ଚାଷୀ ପିଲାଙ୍କୁ କହିଥିଲେ ଯେ, ତୁମ ଅଭିଭାବକମାନେ ଦେଶର ଗର୍ବ । ସେମାନେ ନିଜ ଝାଳ ଓ ରକ୍ତ ବୁହୁଇ ଆମ ପେଟକୁ ଦାନା ଦେଉଛନ୍ତି । ଯେହେତୁ ଆମ ରାଜ୍ୟ ନିୟମିତ ଭାବେ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି, ସେମାନଙ୍କ ସୁନାର ଫସଲ ସବୁ ବେଳେ ପ୍ରଭୁତ କ୍ଷତି ସହୁଛି । ନିକଟରେ ଆମେ କାଳିଆ ଯୋଜନା ଆରମ୍ଭ କରିଛୁ । ଚାଷୀଙ୍କୁ ଆତ୍ମସମ୍ମାନର ସହ ବଞ୍ଚିବାର ସୁଯୋଗ ଦେବାକୁ ଏହା ଦେଶର ଶ୍ରେଷ୍ଠ ଯୋଜନା । ବର୍ତ୍ତମାନ ସୁଦ୍ଧା ଏହି ଯୋଜନାରେ 30 ଲକ୍ଷରୁ ଅଧିକ ଚାଷୀ ଉପକୃତ ହୋଇସାରିଲେଣି ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏକ ପରିବାର ବିକାଶ ପିଲାଙ୍କ ବିକାଶ ଉପରେ ନିର୍ଭର କରେ ଏବଂ ଏଦିଗରେ ଶିକ୍ଷା ଏକ ଗୁରୁତ୍ବପୂର୍ଣ୍ଣ ଭୂମୀକା ଗ୍ରହଣ କରିଥାଏ । କାଳିଆ ହିତାଧିକାରୀଙ୍କ ପିଲାଙ୍କ ଉଜ୍ବଳ ଭବିଷ୍ୟତ ପାଇଁ କାଳିଆ ଛାତ୍ରବୃତ୍ତି ଯୋଜନା ଆରମ୍ଭ ହୋଇଛି । କାଳିଆ ହିତାଧିକାରୀଙ୍କ ପିଲାଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ସେମାନଙ୍କୁ କାଳିଆ ଛାତ୍ରବୃତ୍ତିର ସୁବିଧା ଉପଭୋଗ କରିବାକୁ ବୈଷୟିକ ଶିକ୍ଷାନୁଷ୍ଠାନରେ ନାମ ଲେଖାଅ, ଡାକ୍ତର, ଇଂଜିନିୟର, କୃଷି ବିଜ୍ଞାନୀ ଆଦି ହୋଇ ନିଜ ପରିବାରକୁ ଗର୍ବିତ କର ବୋଲି କହିଥିଲେ । “ମୁଁ ସବୁବେଳେ ତୁମ ପରିବାର ସହ ଅଛି, ଏବଂ ତୁମମାନଙ୍କ ଏକ ଉଜ୍ବଳ ଓ ସଶକ୍ତ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଉଛି” ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

Share

Leave a Reply

Your email address will not be published. Required fields are marked *

20 − 14 =