ଚିଲିକା ଡଙ୍ଗା ବୁଡି ଘଟଣା। ମିଳିଲା ନିଖୋଜ ବ୍ୟକ୍ତିଙ୍କ ମୃତଦେହ

ଚିଲିକା ଡଙ୍ଗା ବୁଡି ଘଟଣା। ମିଳିଲା ନିଖୋଜ ବ୍ୟକ୍ତିଙ୍କ ମୃତଦେହ। ଦୀର୍ଘ ସମୟର ଅପେରେସନ୍ ପରେ ଚିଲିକା ଖାରିବନ୍ଧ ନିକଟରୁ ନିଖୋଜଙ୍କ ମୃତଦେହ ଉଦ୍ଧାର ହୋଇଛି।

ପ୍ରକାଶ ଥାଉକି, ଗୁରୁବାର ଅପରାହ୍ଣ ସାଢ଼େ ୪ଟାରେ କାଳବୈଶାଖୀ ପ୍ରଭାବରେ ଚିଲିକାର ଗଭୀର ଜଳରାଶିରେ ଏକ ଯାତ୍ରୀବାହୀ ଡଙ୍ଗା ବୁଡ଼ିଯାଇଥିଲା । ଡଙ୍ଗାରେ ପର୍ଯ୍ୟଟକମାନେ ଥିଲେ । ଦେବଦୂତ ସାଜି ପୁଲିସ ପହଞ୍ଚି ପାଣିରୁ ୧୧ ଜଣଙ୍କୁ ଉଦ୍ଧାର କରିଥିଲା । ଉଦ୍ଧାର ପର୍ଯ୍ୟଟକମାନେ ହେଲେ ବାଲେଶ୍ୱର ରେମୁଣା ଅଞ୍ଚଳର ମଧୁସୂଦନ ମହାଲିକ (୨୫), ବିମ୍ବାଧର ସେନାପତି (୬୩), ଭବାନୀ ପଣ୍ଡା (୩୩), ଜ୍ୟୋତିସ୍ମିତା ସେନାପତି (୨୯), ପ୍ରୀତିସ୍ମିତା ସେନାପତି (୨୨), ଜ୍ୟୋସ୍ନା ସେନାପତି (୫୩), ଏଲିନା ପ୍ରାଣିଗ୍ରାହୀ (୩୮), ପୀୟୂଷ ପାଣିଗ୍ରାହୀ (୧୪) ଏବଂ ଗଞ୍ଜାମ ଜିଲ୍ଲାର ଭାସ୍କର ସାହୁ (୬୦), ଡଙ୍ଗା ଚାଳକ ରାଜକିଶୋର ବେହେରା (୪୮), ରାମଚନ୍ଦ୍ର ବେହେରା (୨୨) । ସମସ୍ତଙ୍କୁ ବାଲୁଗାଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେମାନେ ବିପଦମୁକ୍ତ ଅଛନ୍ତି । କାଳିଜାଇସ୍ଥିତ ଏକ ଦୋକାନରେ କାମ କରୁଥିବା ବାଲୁଗାଁର ରାଜେନ୍ଦ୍ର ଖୁଣ୍ଟିଆ ନିଖୋଜ ହୋଇଯାଇଥିଲେ।

ଗୁରୁବାର ବାଲେଶ୍ୱର ରେମୁଣା ଅଞ୍ଚଳର ୮ଜଣ ପର୍ଯ୍ୟଟକ ଚିଲିକା ବୁଲିବାକୁ ଆସିଥିଲେ । ସେମାନେ ବାଲୁଗାଁଠାରୁ ଏକ ଘରୋଇ ଯାତ୍ରୀବାହୀ ଡଙ୍ଗାରେ ପୂର୍ବାହ୍ଣରେ ମା’ କାଳିଜାଇ ଦର୍ଶନ କରିବାକୁ ଯାଇଥିଲେ । ଫେରିବା ସମୟରେ ସେମାନଙ୍କ ସହ ଡଙ୍ଗାରେ ଥିଲେ ରାଜେନ୍ଦ୍ର ଖୁଣ୍ଟିଆ ଓ ଗଞ୍ଜାମ ଜିଲ୍ଲାର ଭାସ୍କର ସାହୁ । ଚଢେଇହଗା ପାହାଡ଼ ନିକଟରେ ହଠାତ କାଳବୈଶାଖୀ ପ୍ରଭାବରେ ପବନ ହୋଇଥିଲା । ଫଳରେ ଡଙ୍ଗାଟି ଭାରସାମ୍ୟ ହରାଇ ଚିଲିକାର ଗଭୀର ଜଳରେ ବୁଡ଼ିଯାଇଥିଲା । ଏହି ସମୟରେ ବଡ଼କୂଳଠାରେ ଏକ କାର୍ଯ୍ୟକ୍ରମରେ ଥିଲେ ପୁଲିସ୍‌ ଅଧିକାରୀମାନେ । ସଙ୍ଗେ ସଙ୍ଗେ ଏସ୍‌ଡିପିଓ ମାନସ ରଞ୍ଜନ ବାରିକ, ବାଲୁଗାଁ ଥାନାଧିକାରୀ ରମାକାନ୍ତ ମହାଲିକ ଏବଂ ବାଲୁଗାଁ ପୁଲିସର ଅନ୍ୟ ଜଣେ ଏସ୍‌ଆଇ, ଓଟିଡିସିର ୪ଜଣ କର୍ମଚାରୀ, ୪ ଜଣ ନୌସେନା ଯବାନ ଓ ଜଣେ ଡାକ୍ତରଖାନା କର୍ମଚାରୀ ଘଟଣାସ୍ଥଳକୁ ଅନ୍ୟ ଏକ ମୋଟର ଡଙ୍ଗାରେ ପହଞ୍ଚିଥିଲେ । ପର୍ଯ୍ୟଟକଙ୍କ ମଧ୍ୟରୁ କେତେକ ଗଭୀର ଜଳରେ ମୃତ୍ୟୁ ସହ ସଂଗ୍ରାମ କରୁଥିବାବେଳେ ଆଉ କେତେକ ପହଁରି ପହଁରି ଚଢ଼େଇଗୁହା ପାହାଡ଼କୁ ଚାଲିଯାଇଥିଲେ । ପ୍ରାୟ ଏକ ଘଣ୍ଟା ପରିଶ୍ରମ ପରେ ୧୧ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା । ମାତ୍ର ରାଜେନ୍ଦ୍ର ଖୁଣ୍ଟିଆ ନିଖୋଜ ହୋଇଯାଇଥିଲେ । ବହୁ ଚେଷ୍ଟା ପରେ ତାଙ୍କର ପତ୍ତା ମିଳିନଥିବା ଏସଡିପିଓ ଶ୍ରୀ ବାରିକ୍‌ କହିଛନ୍ତି । ଉଦ୍ଧାର ପର୍ଯ୍ୟଟକଙ୍କ ମଧ୍ୟରେ ୫ ଜଣ ମହିଳା, ଜଣେ ନାବାଳକ ଅଛନ୍ତି ।ଚିଲିକାରେ ଡଙ୍ଗାବୁଡ଼ି ନୂଆ କଥା ନୁହେଁ । ୪ ବର୍ଷ ତଳେ ୨୦୧୮ ଜୁଲାଇ ୧୬ରେ ଚିଲିକାରେ ଡଙ୍ଗାବୁଡ଼ି ୬ ଜଣଙ୍କ ମୃତ୍ୟୁ ହୋଇଥିଲା । ଏ ଘଟଣା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିଲା ।

Share

Leave a Reply

Your email address will not be published. Required fields are marked *

one × five =