ବିଜେପି ଏକ ଫମ୍ପା ମାଠିଆ : ନବୀନ

ଆରମ୍ଭ ହେଲା ଜନସଂପର୍କ ପଦଯାତ୍ରା 

ଭୁବନେଶ୍ବର: ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ଗାନ୍ଧୀ ଜୟନ୍ତୀରେ ଆଜିଠାରୁ ଆରମ୍ଭ ହୋଇଛି ବିଜେଡ଼ିର ଜନସମ୍ପର୍କ ପଦଯାତ୍ରା । ଆସନ୍ତା ଏକ ମାସ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପଦଯାତ୍ରାକୁ ଆଜି ଭୁବନେଶ୍ବରରୁ ଶୁଭାରମ୍ଭ କରିଛନ୍ତି ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ସିଧାସଳଖ କେନ୍ଦ୍ର ସରକାରକୁ ସିଧାସଳଖ ଟାର୍ଗେଟ୍ କରିଛନ୍ତି । କହିଛନ୍ତି, ବିଜେପି ଫମ୍ପା ମାଠିଆ, ଫମ୍ପା ମାଠିଆର ଶବ୍ଦ ବେଶୀ । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଏକ ଐତିହାସିକ ପଦକ୍ଷେପ । ରାଜ୍ୟ ସରକାର ନିଜସ୍ବ ଖାଦ୍ୟ ସୁରକ୍ଷା ଯୋଜନା ଆଜିଠୁ ଆରମ୍ଭ କରୁଛନ୍ତି । ୨୫ ଲକ୍ଷ ଲୋକ ଏହି ସୁବିଧା ପାଇବେ । ବିଜେଡି କଥାରେ ନୁହେଁ କାମରେ ବିଶ୍ବାସ କରେ ବୋଲି ନବୀନ କହିଛନ୍ତି । ଓଡ଼ିଶା ଲୋକଙ୍କ ସହ ଆମ ସରକାର ଅଛି, ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରୁଛୁ । ଏଥିସହିତ ସେ ପୁଣି ଥରେ ସ୍ବତନ୍ତ୍ର ପାହ୍ୟା ରାଜ୍ୟ ପ୍ରସଙ୍ଗ ଉଠାଇଛନ୍ତି ।

ଏକାମ୍ର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଝରଣା ସାହିରୁ ଜନସଂପର୍କ ପଦଯାତ୍ରାର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦେବା ପାଇଁ ବିଜେପି ତାର ନିର୍ବାଚନ ଇସ୍ତାହାରରେ କହିଥିଲା । ଓଡ଼ିଶାବାସୀ ଆଜି ବି ସେହି ପ୍ରତିଶ୍ରୁତି ପୂରଣକୁ ଅପେକ୍ଷା କରିଛନ୍ତି । ପ୍ରତିଶ୍ରୁତି କିଏ ପାଳନ କରୁଛି, କିଏ କରୁନି ତାହା ରାଜ୍ୟବାସୀ ଜାଣିଛନ୍ତି । ଫମ୍ପା ମାଠିଆର ଶବ୍ଦ ବେଶୀ । ଆମେ କଥାରେ ନୁହେଁ, କାମରେ ବିଶ୍ବାସ କରୁ । ଓଡ଼ିଶାବାସୀଙ୍କ କଲ୍ୟାଣ ପାଇଁ ମୋ ସରକାରରେ ଟଙ୍କାର ଅଭାବ ରହିବ ନାହିଁ ।

ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ରାଜ୍ୟର ଅନେକ ହିତାଧିକାରୀ କଟିଲେ । ତେଣୁ ରାଜ୍ୟ ସରକାର ବାଧ୍ୟ ହୋଇ ନିଜସ୍ବ ଯୋଜନା କଲେ । ସମସ୍ତ ଗରିବଙ୍କୁ ଖାଦ୍ୟ ସୁରକ୍ଷା ଯୋଗାଇ ଦେବା ଲକ୍ଷ୍ୟରେ ଆଜିଠାରୁ ନିଜସ୍ବ ଖାଦ୍ୟ ସୁରକ୍ଷା ଯୋଜନା ଆରମ୍ଭ ହେଉଛି । ଏହି ଯୋଜନାରେ ୨୫ ଲକ୍ଷ ପରିବାର ଉପକୃତ ହେବେ । ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ଆମେ ପାଳନ କରୁଛୁ । ଓଡ଼ିଶାବାସୀ ବିଜେଡ଼ି ସହ ଅଛନ୍ତି ଏବଂ ଆଗକୁ ରହିବେ ।

ଭୁବନେଶ୍ବର ବିଜେଡ଼ି ଜିଲ୍ଲା ସଭାପତି ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ନେତୃତ୍ବରେ ଆୟୋଜିତ ଏହି ଉତ୍ସବରେ ବିଧାୟକ ବିଜୟ ମହାନ୍ତି, ପ୍ରିୟଦର୍ଶୀ ମିଶ୍ର, ସାଂସଦ ପ୍ରସନ୍ନ ପାଟ୍ଟଶାଣୀଙ୍କ ସମେତ ଅନେକ କର୍ପୋରେଟର ଓ ଦଳୀୟ ନେତୃବର୍ଗ ଉପସ୍ଥିତ ଥିଲେ । ରାଜ୍ୟର ସବୁ ନିର୍ବାଚନମଣ୍ଡଳୀରେ ଆଜିଠାରୁ ବିଜେଡ଼ି ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି । ବିଜେଡ଼ି ନେତା ଓ କର୍ମୀମାନେ ପଦଯାତ୍ରାରେ ଲୋକଙ୍କ ପାଖକୁ ଯାଇ ବିଜେଡ଼ି ସରକାରଙ୍କ ସଫଳତାର ବାର୍ତ୍ତା ପ୍ରଚାର କରିବେ । ଏଥିସହ ଓଡ଼ିଶା ପ୍ରତି କେନ୍ଦ୍ରର ଅବହେଳା, ପକ୍ଷପାତିତା ଓ ଓଡ଼ିଶାର ଦାବିଗୁଡ଼ିକ ସମ୍ପର୍କରେ ଜନସାଧାରଣଙ୍କ ଦୃଷ୍ଟି ଆକର୍ଷଣ କରିବେ । ନଭେମ୍ବର ୨ ପର୍ଯ୍ୟନ୍ତ ଚାଲିବ ଏହି ପଦଯାତ୍ରା ।

ପଦଯାତ୍ରା ସମୟରେ ଦଳୀୟ କର୍ମୀମାନେ ରାଜ୍ୟସରକାରଙ୍କ ବିଭନ୍ନ ଜନହିତକର କାର୍ଯ୍ୟକ୍ରମ, ଆମ ଗାଁ ଆମ ବିକାଶ, ଆମ ସହର ଆମ ଉନ୍ନତି, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, ରାଜ୍ୟ ସରକାରଙ୍କ ନିଜସ୍ବ ଖାଦ୍ୟ ସୁରକ୍ଷା ଯୋଜନା, ମହିଳା, କୃଷକ ଓ ଛାତ୍ରଙ୍କ ପାଇଁ ୧ ପ୍ରତିଶତ ସୁଧରେ ଋଣ ବ୍ୟବସ୍ଥା, ଜନଜାତିଙ୍କ ପାଇଁ ସ୍ବତନ୍ତ୍ର ବିକାଶ ପରିଷଦ ଗଠନ, ସହରାଂଚଳ ବସ୍ତି ବାସିନ୍ଦାଙ୍କୁ ଜମି ଅଧିକାର, ମିଶନ ଶକ୍ତି ଯୋଜନା ସଂପର୍କରେ ଜନସାଧାରଣଙ୍କୁ ଅବଗତ କରାଇବେ।

Share

Leave a Reply

Your email address will not be published. Required fields are marked *

1 × 4 =