ବୁଲା ପ୍ରାଣୀମାନଙ୍କ ଖାଦ୍ୟ ବ୍ୟବସ୍ଥାକୁ ଗୁରୁତ୍ୱ

ଭୁବନେଶ୍ୱର ()ଲକଡାଉନ୍‌ରେ ସମସ୍ତେ ପ୍ରଭାବିତ । ବିଶ୍ୱବ୍ୟାପୀ ଆତଙ୍କ କରୋନାର ପ୍ରଭାବରେ ଦେଶ, ରାଜ୍ୟ ଓ ସହର ସମସ୍ତ ଅଂଚଳରେ ମାନବ ଜାତି ପ୍ରଭାବିତ ହେବା ସହିତ ବୁଲା ଗାଈ ଗୋରୁ, କୁକୁର ଇତ୍ୟାଦି ମଧ୍ୟ ଏହି ଅସୁବିଧାର ଶିକାର ହେଉଛନ୍ତି । ଲକ୍‌ଡାଉନ୍‌ରେ ଅନେକ ଖାଦ୍ୟ ଦୋକାନ ବନ୍ଦ ହେବା, ଲୋକମାନେ ବାହାରକୁ ନ ଆସିବା ଇତ୍ୟାଦି କେତେକ କାରଣରୁ ବୁଲା ପ୍ରାଣୀମାନେ ଖାଦ୍ୟ ପାଇବାରେ ଅସୁବିଧା ଦେଖିବାକୁ ମିଳୁଛି ।

ଏଥିପାଇଁ ଆରମ୍ଭ ହୋଇଛି, ସରକାରଙ୍କ ତରଫରୁ ସ୍ୱତନ୍ତ୍ର ପ୍ରୟାସ । ଓଡିଶା ସରକାରଙ୍କ ଆଦେଶ କ୍ରମେ ଆସନ୍ତା କାଲି ଠାରୁ ଭୁବନେଶ୍ୱର ମହାନଗର ନିଗମାଂଚଳରେ ବୁଲା ଗାଈ ଗୋରୁ, କୁକୁର ଇତ୍ୟାଦିଙ୍କୁ ଖାଦ୍ୟ ଦେବା ଆରମ୍ଭ କରାଯିବ ବୋଲି ଘୋଷଣା କରିଛନ୍ତି କମିଶନ୍‌ର ପ୍ରେମ ଚନ୍ଦ୍ର ଚୌଧରୀ । ଏପ୍ରିଲ ୧ ତାରିଖରୁ ଲକ୍ ଡାଉନ୍ ପର୍ଯ୍ୟନ୍ତ ଏହି କାର୍ଯ୍ୟ ଚାଲୁ ରହିବ ଫଳରେ ଲକ୍‌ଡାଉନ୍ ଅବସ୍ଥାରେ ବୁଲା ପ୍ରାଣୀଙ୍କ ଖାଦ୍ୟାଭାବକୁ ମେଂଟାଇବାରେ ଏହି ଉଦ୍ୟମ ସଫଳ ହେବ ବୋଲି ସେ ଆଶା ପୋଷଣ କରିଛନ୍ତି ।

ତେବେ ଏଥିପାଇଁ ପ୍ରସ୍ତୁତ ହୋଇଛି ଏକ ସାଧାରଣ ନିର୍ଦ୍ଦେଶାବଳୀ । ଡେପୁଟି କମିଶନର ଶ୍ୟାମ ସୁନ୍ଦର ସେଠୀଙ୍କ ତତ୍ୱାବଧାନରେ ପ୍ରସ୍ତୁତ ହୋଇଥିବା ଉକ୍ତ ନିର୍ଦ୍ଦେଶାବଳୀ ବା ଏସ୍‌ଓପିରେ ଲକ୍‌ଡାଉନ୍ ତାରିଖ ମଧ୍ୟରେ ପ୍ରତ୍ୟେକ ଦିନ ୨୦,୦୦୦ ଟଙ୍କାର ଖାଦ୍ୟ ପ୍ରସ୍ତୁତ ହୋଇ ଗାଈ ଷଣ୍ଢ ଏବଂ ବୁଲା କୁକୁରଙ୍କୁ ଦିଆଯିବ । ମୁଖ୍ୟତଃ ଷଣ୍ଢ ଏବଂ କୁକୁର ବୁଲା ପ୍ରାଣୀଭାବେ ଭୁବନେଶ୍ୱରରେ ଥିବାବେଳେ ଷଣ୍ଢଙ୍କ ପାଇଁ ୮,୦୦୦ ଟଙ୍କା ଏବଂ କୁକୁରଙ୍କ ପାଇଁ ୧୨,୦୦୦ଟଙ୍କାର ଖାଦ୍ୟ ଦିଆଯିବ ।
ଏଥିପାଇଁ ରାଜ୍ୟ ସରକାର ମତ୍ସ୍ୟ ଏବଂ ପ୍ରାଣୀ ସମ୍ବଳ ବିକାଶ ବିଭାଗରୁ ୩,୬୦,୦୦୦ଟଙ୍କାର ଅନୁଦାନ ଦେଇଥିବା ବେଳେ, କେବଳ ଖାଦ୍ୟ ପେୟରେ ଏହି ରାଶିର ଉପଯୋଗ ହେବ ଏବଂ ଆନୁସାଙ୍ଗିକ ଖର୍ଚ୍ଚ ସ୍ୱାୟତ ସଂସ୍ଥା ବହନ କରିବ ବୋଲି ସୂଚନା ଦେଇଛନ୍ତି କର୍ତୁପକ୍ଷ ।
ଏହି କାର୍ଯ୍ୟରେ ପ୍ରାଣୀ ଚିକିତ୍ସା ଅଧିକାରୀ ଓ କର୍ମୀଙ୍କ ସମେତ ପ୍ରାଣୀମଙ୍ଗଳ ପାଇଁ କାର୍ଯ୍ୟକରୁଥିବା ବିଭିନ୍ନ ସ୍ୱେଚ୍ଛାସେବୀ ସଙ୍ଗଠନ ବିଏମସିକୁ ସହଯୋଗ କରିବେ । ଚିହ୍ନିତ ହୋଇଥିବା ପ୍ରାୟ ୨୦୦ଟି ସ୍ଥାନରେ ଖାଦ୍ୟ ଦିଆଯିବ ।

ଯଦି କୌଣସି ଅନୁଷ୍ଠାନ ଖାଦ୍ୟ ଦେଇ ପ୍ରାଣୀ ମଙ୍ଗଳ କାର୍ଯ୍ୟରେ ସହଯୋଗ କରିବାକୁ ଆଗ୍ରହୀ ଥାଆନ୍ତି, ତେବେ ସେମାନେ ସିଧାସଳଖ ଖାଇବାକୁ ନ ଦେଇ ବିଏମସିର ଡେପୁଟି କମିଶନର ଶ୍ୟାମ ସୁନ୍ଦର ସେଠୀଙ୍କୁ ଏ ବାବଦରେ ଜଣାଇବା ପାଇଁ କହିଛନ୍ତି କମିଶନର ।

ତେବେ ଭୁବନେଶ୍ୱରରେ ପ୍ରାୟ ୧୫୦୦ ବୁଲା ଷଣ୍ଢ ଏବଂ ୪୦, ୦୦୦ କୁକୁର ଥିବାର ଜଣାପଡିଛି ।

Share

Leave a Reply

Your email address will not be published. Required fields are marked *

1 × 5 =